ରାଜ୍ୟରେ ୪ଲକ୍ଷ ଟପିଲା କରୋନା ସଂକ୍ରମଣ, ଦୈନିକ ସଂକ୍ରମଣ ୬ହଜାର ଉପରେ

ଭୁବନେଶ୍ବର : ରାଜ୍ୟରେ ଗତ ୩ଦିନ ଧରି ଦୈନିକ ସଂକ୍ରମଣ ୬ହଜାର ଉପରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬,୬୪୭ ନୂତନ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ସଂକ୍ରମଣ ୪ଲକ୍ଷ ୧ହଜାର ୩୪୧‌କୁ ବୃଦ୍ଧି ପାଇଛି। କେବଳ ଚଳିତମାସ ୨୩ଦିନରେ ରାଜ୍ୟରେ ୬୦ହଜାର କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ଅନୁକରଣ କରୁଥିବା ୩ଟି ସଂକ୍ରମଣ ମଡେଲ(ଆଇସିଏମ୍‌ଆର, ଆଇଆଇଟି ଭୁବନେଶ୍ବର ଓ ଜନ୍ ହପ୍‌କିନ୍‌ସ)ରେ ଆଗକୁ ରାଜ୍ୟର କରୋନା ସ୍ଥିତି ଅଧିକ ଜଟିଳ ହେବା ନେଇ ଆକଳନ କରିଛି। ଆସନ୍ତା ମେ’ ପ୍ରଥମ ସପ୍ତାହ କିମ୍ବା ଦ୍ବିତୀୟ ସପ୍ତାହର ଆରମ୍ଭରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାର ପାର୍ କରିବ ବୋଲି ଆକଳନ କରାଯାଉଛି। ଏବେ ଏକପ୍ରକାର ସ୍ଥିର ହାରରେ ସଂକ୍ରମଣ ବଢ଼ୁଛି। ମାତ୍ର ମେ’ ମାସ ବେଳକୁ ଏହା ଶୀର୍ଷରେ ପହଞ୍ଚିବ। ଶୀର୍ଷରେ ପହଞ୍ଚିବାର ପ୍ରାୟ ୪ସପ୍ତାହ ପରେ ସଂକ୍ରମଣ ହ୍ରାସ ପାଇବ। କେସ ଫାଟାଲିଟ୍ ରେଟ୍‌ ବା ସିଏଫ୍‌ଆର ୦.୩ ବା ୦.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା. ତ୍ରିଭୂବନ ମହାପାତ୍ର କହିଛନ୍ତି ଯେ ଏହା ଏକ ରକ୍ଷଣଶୀଳ ଆକଳନ। କାରଣ ରାଜ୍ୟର ସହରାଞ୍ଚଳରେ କଟକଣା ଥିବା ବେଳେ ଗ୍ରାମାଞ୍ଚଳରେ ନାହିଁ। ତେଣୁ ସହରାଞ୍ଚଳର ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଗ୍ରାମାଞ୍ଚଳକୁ ଯାଆନ୍ତି ଓ ସଂକ୍ରମିତ କରନ୍ତି ତା’ହେଲେ ସେଠ‌ାରେ ସଂକ୍ରମଣ ବୃଦ୍ଧି ପାଇବ। ତେଣୁ ଦୈନିକ ୧୦ହଜାର ନୁହେଁ, ବରଂ ଏହାର ୨୦ ପ୍ରତିଶତ ଅଧିକ ସଂକ୍ରମଣ ହୋଇପାରେ। ଏହାକୁ ନଜରରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିବା ଉଚିତ୍ ବୋଲି ଡା. ମହାପାତ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୦୧୭ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୧୮,୭୦୮ ଆରଟି-ପିସିଆର, ୨୨,୨୧୬ ରାପିଡ୍‌ ଆଣ୍ଟିଜେନ୍ ନମୁନା ରହିଛି। ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୧୬.୨୦ ପ୍ରତିଶତକୁ ବୃଦ୍ଧି ପାଇଛି। ମାତ୍ର ନୂଆପଡ଼ା ୩୯.୭, କଳାହାଣ୍ଡି ୩୮, ସୁନ୍ଦରଗଡ଼ ୩୦, ସମ୍ବଲପୁର ୩୬.୪୫, ଖୋର୍ଧା ୨୩ ଓ ପୁରୀରେ ୨୩.୩୩ ପ୍ରତିଶତ ଟିପିଆର ରହିଛି। ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଟିପିଆର ୩୦ ପ୍ରତିଶତରୁ ଅଧିକ ରହିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଖୋର୍ଧା ଜିଲ୍ଲା ପୁଣି ଥରେ ସଂକ୍ରମଣରେ ଶୀର୍ଷ ସ୍ଥାନରେ ରହିଛି। ଜିଲ୍ଲାରୁ ୧୧୮୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ସୁନ୍ଦରଗଡ଼ ୭୮୮, ନୂଆପଡ଼ା ୫୫୯, ପୁରୀ ୩୯୫, କଳାହାଣ୍ଡି ୩୬୧, ଝାରସୁଗୁଡ଼ା ୩୪୩, କଟକ ୩୩୬, ବରଗଡ଼୨୯୦, ବଲାଙ୍ଗୀର ୨୩୪, ନବରଙ୍ଗପୁର ୨୨୪ ଓ ଷ୍ଟେଟ୍ ପୁଲରୁ ୨୬୬ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ୨, ନୂଆପଡ଼ା, କଟକ, ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ ଓ ବରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୩୪୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୫୯ହଜାର ୪୬୭ରେ ପହଞ୍ଚିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୯,୮୪୦କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର