କରୋନା ‘ବିପତ୍ତି’ ଘୋଷଣା : ଭାରତରେ ଷ୍ଟେଜ୍‌-୨ରେ ପହଞ୍ଚିଲା, ଷ୍ଟେଜ୍‌-୩କୁ ରୋକିବା ପାଇଁ ୩୦ ଦିନ ସମୟ

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଚୀନ୍‌ର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି। ଭାରତରେ ମଧ୍ୟ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି ଏବଂ ଏହି ସଂଖ୍ୟା ୧୦୦ରେ ପହଞ୍ଚିଲାଣି। କର୍ଣ୍ଣାଟକର କଲବୁର୍ଗିରେ ଜଣେ ଏବଂ ଦିଲ୍ଲୀର ଜନକପୁରୀ ଅଂଚଳରେ ଜଣେ କରୋନାରେ ପ୍ରାଣ ହରାଇଛନ୍ତି। ସଂକ୍ରମଣ ବଢ଼ି ଚାଲିଥିବାରୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଲାଗୁ କରିଛନ୍ତି ଏବଂ ଭାଇରସ୍‌ର ମୁକାବିଲା ପାଇଁ ବ୍ୟାପକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ ହୋଇଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତରେ ଏବେ ଏହି ମହାମାରୀ ଦ୍ବିତୀୟ ପର୍ଯ୍ୟାୟ (ଷ୍ଟେଜ୍‌-୨)ରେ ରହଛି। ଯଦି ସରକାରକୁ ଏହି ଅତି ଗମ୍ଭୀରତାର ସହ ଗ୍ରହଣ କରିବେ ନାହିଁ ତା’ହେଲେ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ଭାରତୀୟ ସ୍ବାସ୍ଥ୍ୟ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମୁତାବକ ଷ୍ଟେଜ୍‌-୨ରେ ରହିଥିବା କରୋନା ଭାଇରସ୍‌ ଷ୍ଟେଜ୍‌-୩କୁ ଯିବା ପୂର୍ବରୁ ଏହାକୁ ରୋକିବା ପାଇଁ ସରକାରଙ୍କ ପାଖରେ ୩୦ ଦିନ ସମୟ ରହିଛି। ଷ୍ଟେଜ୍‌-୨ରେ ଭାଇରସ୍‌ ବ୍ୟାପିବା ଆରମ୍ଭ ହୋଇଥାଏ ଏବଂ ପ୍ରତିଦିନ ଲୋକେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ଅନ୍ୟପକ୍ଷରେ ଷ୍ଟେଜ୍‌-୩ରେ ଏହା ଅତି ବ୍ୟାପକ ରୂପ ନେଇଥାଏ ଏବଂ ସବୁ ଅଂଚଳରେ ଏହା ସାଂଘାତିକ ସ୍ଥିତ ସୃଷ୍ଟି କରେ। ଷ୍ଟେଜ୍‌-୪ରେ ଏହା ମହାମାରୀ ରୂପ ଧାରଣ କରି ଅତ୍ୟନ୍ତ ଭୟାନକ ହୋଇଥାଏ ଏବଂ ଏହା କେବେ କେମିତି ନିୟନ୍ତ୍ରଣ ହେବ ତାହା କହିବା କଷ୍ଟକର ହୋଇପଡ଼େ।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା
ନୂଆଦିଲ୍ଲୀ : ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଘାତକ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ଭାରତରେ ମଧ୍ୟ ଏହି ସଂଖ୍ୟା ୧୦୦ରେ ପହଂଚିଛି। ପରିସ୍ଥିତି ବିପଜ୍ଜନକ ହେଉଥିବାରୁ କେନ୍ଦ୍ର ସରକାର ଆଜି ଏହି ସଙ୍କଟକୁ ‘ବିଜ୍ଞପିତ ବିପତ୍ତି’ ଭାବେ ଘୋଷଣା କରିଛନ୍ତି। ପୀଡ଼ିତମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ୍‌) ଅଧୀନରେ ସହାୟତା ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଯଦି ମୃତ୍ୟୁ ହୁଏ ତା’ହେଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। କରୋନା ମୁକାବିଲା ଅଭିଯାନ ଏବଂ କରୋନା ସଂପର୍କିତ ଅନ୍ୟ କାରଣରୁ ମୃତ୍ୟୁ ଘଟିଲେ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର