ବିପଦ ବଢ଼ାଉଛି ପଶ୍ଚିମବଙ୍ଗ : ଆଉ ୭ ପଜିଟିଭ୍ ଚିହ୍ନଟ, ସଂକ୍ରମିତ ଜିଲ୍ଲାରେ ସାମିଲ ହେଲା କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼

୧୪ଦିନ ପରେ ରାଜଧାନୀକୁ ଫେରିଲା, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟ‌ା ଛୁଇଁଲା ୧୨୫

ଭୁବନେଶ୍ବର : ଆଜି ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଆଦି ୩ ନୂଆ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ଏହାକୁ ମିଶାଇ ରାଜ୍ୟର ମୋଟ ୧୪ ଜିଲ୍ଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛି। ଏହା ବ୍ୟତୀତ ଆଜି ବାଲେଶ୍ବର ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି। ଅନ୍ୟପକ୍ଷ‌ରେ ୧୪ଦିନ ପରେ ରାଜଧାନୀରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୭୭ବର୍ଷର ଏହି ବ୍ୟକ୍ତି ଜଣକ ପୂର୍ବରୁ କରୋନା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ରାଜ୍ୟରେ ଏବେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଥିବା ବେଳେ ଆଜି ରାଜଧାନୀର ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଜି ନୂଆ ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଛି ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲା। ଏହି ଜିଲ୍ଲାରୁ ପଶ୍ଚିମବଙ୍ଗ ଫେରନ୍ତା ୩ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ପଞ୍ଚପଲ୍ଲୀର ଜଣେ ୬୦ବର୍ଷର ପୁରୁଷ, ଦେବଗଡ଼ ବାସୁଦେବପୁରର ୩୪ବର୍ଷର ପୁରୁଷ ଓ ଝାରସୁଗୁଡ଼ା ବ୍ରଜରାଜନଗରର ୧୮ବର୍ଷର ଯୁବତୀ କରୋନା ସଂକ୍ରମିତ ହୋଇଛନ୍ତି।

ସମସ୍ତଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି। ଏହାସହ ବାଲେଶ୍ବର ଜିଲ୍ଲାରୁ ଆଜି ଆଉ ୩ଜଣ ପୁରୁଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୪୪, ୬୧ ଓ ୬୩ ବର୍ଷ ରହିଛି। ସେମାନେ କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗରୁ ଫେରିଥିଲେ। ସେମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ହେଁ ବାହାର ରାଜ୍ୟରୁ ଫେରିଥିବା କାରଣରୁ କୋଭିଡ ନମୁନା ପରୀକ୍ଷା କରାଯାଇଥିଲା। ଆଜିକୁ ମିଶାଇ ବାଲେଶ୍ବର ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଏବେ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜଧାନୀର ୟୁନିଟ-୪ ମଧୁସୂଦନ ନଗରରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ରାଜ୍ୟର ୪୧ନଂ କରୋନା ସଂକ୍ରମିତଙ୍କ ସଂପର୍କୀୟ ବୋଲି ଜଣାପଡ଼ିଛି। ଗତ ୯ତାରିଖରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ମାତ୍ର ନମୁନା ନେଗେଟିଭ୍ ରହିଥିଲା। ସେବେଠାରୁ ସେ ଘରେ ସଙ୍ଗରୋଧରେ ରହିଥିଲେ। ନିକଟରେ ତାଙ୍କ ଶରୀରରେ କରୋନାର ଲକ୍ଷଣ ପ୍ରକାଶ ପାଇଥିଲା ଏବଂ ସେ ୧୦୪ ସହାୟତା ନମ୍ବରକୁ ଫୋନ୍ କରି ସୂଚନା ଦେଇଥିଲେ। ଫଳରେ ଦ୍ବିତୀୟ ବାର ନମୁନା ପରୀକ୍ଷା ହୋଇଥିଲା ଓ ଏଥିରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହା ପୂର୍ବରୁ ୪୧ନଂ. ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ‌ୟୁନିଟ-୪ ଅଞ୍ଚଳର ୩୫ବର୍ଷର ଜଣେ ମହିଳା (ଆକ୍ରାନ୍ତ ନଂ.୪୯) ଓ ସେହି ଅଞ୍ଚଳର ୨୨ବର୍ଷର ଜଣେ ଯୁବକ (ଆକ୍ରାନ୍ତ ନଂ.୫୦) ଚିହ୍ନଟ ହୋଇଥିଲେ। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଭାଇରାଲ୍‌ ଲୋଡ୍‌ ଉପରେ ସଂକ୍ରମଣ ନିର୍ଭର କରିଥାଏ। ଯେଉଁ ବ୍ୟକ୍ତିଙ୍କ ଭାଇରାଲ ଲୋଡ୍‌ ଅଧିକ ରହିଥିଲା ନମୁନା ପରୀକ୍ଷାରେ ‌ସଂପୃକ୍ତ ବ୍ୟକ୍ତି ଧରା ପଡ଼ିଥାନ୍ତି। ‌ତେଣୁ ଯେଉଁ ବ୍ୟକ୍ତିମାନଙ୍କର ପ୍ରଥମ ନମୁନା ନେଗେଟିଭ୍ ରହୁଛି, ମାତ୍ର ପରବର୍ତୀ ସମୟରେ କୌଣସି ଲକ୍ଷଣ ପରିପ୍ରକାଶ ପାଉଛି ତା’ହାଲେ ସେହି ବ୍ୟକ୍ତିଙ୍କ ଦ୍ବିତୀୟଥର ମଧ୍ୟ ନମୁନା ପରୀକ୍ଷା କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷ‌ରେ ରାଜଧାନୀର ଆଜି ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟବିଭାଗ। ଏହାକୁ ମିଶାଇ ରାଜଧାନୀରେ ୨୭ଜଣ ସୁସ୍ଥ ହୋଇଥିବା ବେ‌ଳେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଗତକାଲି ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୨୯୧୦୮ କୋଭିଡ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ହାର ୦.୪୧ ପ୍ରତିଶତ ରହିଥିବା ବେଳେ ୮୫ଜଣ ସକ୍ରିୟ କରୋନା ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି। କରୋନା ସନ୍ଦେହରେ ୧୭୬ଜଣ ବିଭିନ୍ନ ହସ୍ପିଟାଲରେ ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର