କରୋନାର ନୂଆ ରେକର୍ଡ : ଦିନକରେ ୧୭୩ ପଜିଟିଭ୍, ସୁସ୍ଥ ହେଲେ ୧୧୨

୯ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଅଧିକ

ଭୁବନେଶ୍ବର : ସାରା ଦଶେରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୦ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନା ନୂଆ ରେକର୍ଡ ଭାଙ୍ଗୁଛି। ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ସର୍ବାଧିକ ୧୭୩ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୪ ଜିଲ୍ଲାରୁ ଏହି ରୋଗୀମାନଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି। ଅପରପକ୍ଷରେ ଶହେରୁ ଅଧିକ ରୋଗୀ ଥିବା ଜିଲ୍ଲା ସଂଖ୍ୟା ଏବେ ୯କୁ ବୃଦ୍ଧି ପାଇଛି। ଏହାସହିତ ଆଜି ଗୋଟିଏ ଦିନରେ ୧୧୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ୧୯, କଟକ ଓ ମୟୂରଭଞ୍ଜ ୧୩ ଲେଖାଏଁ, ବାଲେଶ୍ବର ଓ ବଲାଙ୍ଗୀର ୧୧ ଲେଖାଏଁ, ଗଜପତି ୧୦, ଖୋର୍ଧା ୯, ନୂଆପଡ଼ା ୮, ନୟାଗଡ଼ ୭, ଭଦ୍ରକ ୪, କଳାହାଣ୍ଡି ୨ ଓ ଝାରସୁଗୁଡ଼ାରେ ଜଣେ ଚିହ୍ନଟ ହୋଇଛନ୍ତି। ୧୭୩ ପଜିଟିଭ୍‌ଙ୍କ ମଧ୍ୟରୁ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୨୩ଜଣ ସ୍ଥାନୀୟ ସଂକ୍ରମିତ ରହିଥିବାା ଜଣାପଡ଼ିଛି।

The Local Italy

ଏହା ସହିତ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯୭ରେ ପହଞ୍ଚିଛି, ଯାହାକି ରାଜ୍ୟରେ ସର୍ବାଧିକ। ଯାଜପୁରରେ ୩୧୨, ଖୋର୍ଧା ୨୨୬, ବାଲେଶ୍ବର ୧୯୦, କଟକ ୧୬୭, କେନ୍ଦ୍ରାପଡ଼ା ୧୬୩, ଭଦ୍ରକ ୧୪୦, ବଲାଙ୍ଗୀର ୧୧୬ ଓ ପୁରୀରେ ୧୦୦ ପଜିଟିଭ୍ ରହିଛନ୍ତି। ଜଗତ୍‌ସିଂହପୁରରେ ୮୭, ନୟାଗଡ଼ ୮୩ ଓ ସୁନ୍ଦରଗଡ଼ ୮୧ ସହିତ ଶହେର ନିକଟତର ହୋଇଛନ୍ତି।

ଅପରପକ୍ଷେ ଆଜି ରାଜ୍ୟରେ ୧୧୨ଜଣ କରୋନା ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଧିକ ୩୩ଜଣ ରହିଥିବା ବେଳେ ବଲାଙ୍ଗୀର ୧୬, ଯାଜପୁର ୧୧, ସୁନ୍ଦରଗଡ଼ ୧୦, ୮ ଜଗତ୍‌ସିଂହପୁର, ଗଞ୍ଜାମ ଓ ଖୋର୍ଧାରୁ ୭ଜଣ ଲେଖାଏଁ, କଟକ ଓ ସୋନପୁରରୁ ୪ଜଣ ଲେଖାଏଁ, ବାଲେଶ୍ବର, ପୁରୀ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, ନୟାଗଡ଼ରୁ ୨ ଓ ମୟୂରଭଞ୍ଜରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୭୧୬ରେ ପହଞ୍ଚିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ପ୍ରତିଶତ ପୁରୁଷ। ପୁରୁଷଙ୍କ ସଂଖ୍ୟା ୨୪୦୨ ଥିବା ବେ‌ଳେ ୩୭୯ଜଣ ମହିଳା ରହିଛନ୍ତି। ସେହିପରି ରାଜ୍ୟରେ ୧୫-୪୦ ବର୍ଷର ସର୍ବାଧିକ ୧୯୪୬ଜଣ ରହିଛନ୍ତି। ୪୧-୬୦ ବର୍ଷର ୬୫୯ଜଣ ଥିବା ବେଳେ ୦-୧୪ବର୍ଷର ୮୪ଜଣ ଓ ୬୦ବର୍ଷରୁ ଅଧିକ ୯୨ଜଣଙ୍କୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର