କଳାହାଣ୍ଡିରେ ଚିନ୍ତା ବଢ଼ାଇଲେଣି ପ୍ରବାସୀ, ୫ ମାସ ଓ ୨ ବର୍ଷର ଶିଶୁ ବି ଆକ୍ରାନ୍ତ

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚିନ୍ତା ବଢ଼ାଉଛନ୍ତି ପ୍ରବାସୀ ଫେରନ୍ତା। ଆଜି ପୁଣିଥରେ କଳାହାଣ୍ଡି ଜିଲ୍ଲାରେ ୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ରନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଶିଶୁ। ଅନ୍ୟଜଣେ ପ୍ରବାସୀ ଶ୍ରମିକ ଚିହ୍ନଟ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ପ୍ରବାସୀ ଶ୍ରମିକ ତାଙ୍କ ୫ ମାସ ଓ ୨ ବର୍ଷର ଶିଶୁଙ୍କ ସହିତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ପରେ ସେମାନେ ୩ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ତାଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ୨ ଶିଶୁଙ୍କ ସ୍ୱାବ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ଅନ୍ୟ ଜଣେ ଆକ୍ରାନ୍ତ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ରରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ତାଙ୍କ ସ୍ୱାବ ମଧ୍ୟ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ଆଜି ତାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମଧ୍ୟ ଚିକିତ୍ସା ନିମନ୍ତେ ଭବାନୀପାଟଣାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତ ତିନି ଜଣ ଗୋଲାମୁଣ୍ଡା ବ୍ଲକର ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରୱାଲ ସୁଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର