କରୋନା ଟିକା ୦.୦୧% ଲୋକଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ, ଟିକା ନେବା ପରେ ୪୮୮ଜଣଙ୍କ ମୃତ୍ୟୁ

କରୋନା ଟିକା ନେଇ ଦେଶରେ ୨୬ହଜାର ଲୋକଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା (ଏଇଏଫ୍‌ଆଇ) ଦେଖା ଦେଇଥିବାବେଳେ ମୋଟ ୪୮୮ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏଥିରୁ ମାତ୍ର ଜଣଙ୍କର ମୃତ୍ୟୁ ଟିକା ନେବା ଯୋଗୁଁ ହୋଇଛି ବୋଲି ସରକାର ସ୍ବୀକାର କରିଛନ୍ତି। ଗତ ଜାନୁଆରି ୧୬ତାରିଖରୁ ଜୁନ୍ ୭ତାରିଖ ଭିତରେ ଏସବୁ ଘଟଣା ରିପୋର୍ଟ ହୋଇଛି। ଟିକାର ଦେଶରେ ଏଯାଏ ୨୩.୫ କୋଟି ଟିକା ଦିଆଯାଇଥିବା ବେଳେ ତହିଁରୁ ୦.୦୧ ପ୍ରତିଶତ ହାରରେ ୨୬,୨୦୦ଜଣଙ୍କଠାରେ ଏହି ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଗତ ୧୪୩ ଦିନ ଭିତରେ ଟିକା ନେଇଥିବା ପ୍ରତି ୧୦ହଜାର ଲୋକଙ୍କ ଭିତରେ ଜଣଙ୍କଠାରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଓ ୧୦ଲକ୍ଷ ଲୋକଙ୍କ ଭିତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ୨୬,୨୦୦ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟରେ ‘କୋଭିସିଲ୍‌ଡ’ ଟିକା ନେଇଥିବା ୨୧କୋଟି ଡୋଜ୍ ଭିତରେ ୨୪,୭୦୩ଜଣ ଓ ‘କୋଭାକ୍ସିନ୍’ ଟିକା ନେଇଥିବା ୨.୫ କୋଟି ‌ଡୋଜ୍ ଭିତରୁ ୧୪୯୭ଜଣଙ୍କଠାରୁ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଯାହାକି ଉଭୟ ଟିକା କ୍ଷେତ୍ରରେ ୦.୦୧ ପ୍ରତିଶତ ବୋଲି କୁହାଯାଇଛି। ପାର୍ଶ୍ବ ପ୍ରତିକ୍ରିୟା ଭାବେ ଜ୍ବର ହେବା ଏକ ସାଧାରଣ ସମସ୍ୟା ବୋଲି ନଜରକୁ ଆସିଛି। ୧୧,୮୫୯ଜଣ ବା ୪୫ ପ୍ରତିଶତଙ୍କଠାରେ ଟିକା ନେବା ପରେ ଜ୍ବର ଆସିଥିଲା। ସେହିପରି ୨ ପ୍ରତିଶତ ବା ୪୧୨ଜଣ ଟିକା ନେବା ପରେ ଗୁରୁତର ହେବା ସହିତ ୩.୩୯ ପ୍ରତିଶତ ବା ୮୮୭ଜଣ ଅତି ଗୁରୁତର ହୋଇ ପଡ଼ିଥିଲେ। ୮.୮୫ ପ୍ରତିଶତ ବା ୨୩୧୮ଜଣଙ୍କୁ ହସ୍ପିଟାଲରେ ଆଡମିଟ ହେବାକୁ ପଡ଼ିଛି। ୪୨୩୦ ବା ୧୬.୧୫ ପ୍ରତିଶତଙ୍କଠାରେ ଜଟିଳ ରୋଗ ବା କୋ-ମର୍ବିଡିଟ କିମ୍ବା ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଜଣାପଡ଼ିଛି।

ଟିକା ନିରାପଦ ଓ ଜରୁରୀ: ବିଶେଷଜ୍ଞ
କରୋନା ଟିକା ନେବା ପରେ କିଛି ଲୋକଙ୍କ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲେ ମଧ୍ୟ ବିଶେଷଜ୍ଞମାନେ କରୋନା ଟିକା ନିରାପଦ ଥିବା ଓ କୋଭିଡ ଯୁଦ୍ଧରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କହିଛନ୍ତି। ବିଶେଷକରି ତୃତୀୟ ଲହରକୁ ଏଡ଼ାଇବାକୁ ହେଲେ ଟିକା ନେବା ଜରୁରୀ ବୋଲି ସେମାନେ କହିଛନ୍ତି। ଟିକା ନେବା ପରେ ଗୁରୁତର ହୋଇ ପଡ଼ିଥିବା ଲୋକଙ୍କ କ୍ଷେତ୍ରରେ ରକ୍ତ ବାନ୍ତି ହେବା ଅଚେତ, ଛାତିରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଭଳି ଲକ୍ଷଣ ଦେଖିବାକୁ ମିଳିଛି। କିଛି ମୃତ୍ୟୁ ମାମଲାରେ ଥ୍ରମ୍ବୋସାଇଟେପୋନିଆ ବା ରକ୍ତ ପ୍ଲେଟଲେଟ୍‌ କମିଯିବା ଭଳି ଲକ୍ଷଣ ରହିଥିଲା।

ଲିଙ୍ଗ ଓ ଟିକାର ପାର୍ଶ୍ବ ପ୍ରତିକ୍ରିୟା
ଦେଶରେ ସମୁଦାୟ ୨୬.୨୦୦ ଟିକା ପାର୍ଶ୍ବ ପ୍ରତିକ୍ରିୟା ଭିତରେ ୧୫,୯୦୯ଜଣ ମହିଳା(୦.୦୨) ଓ ୧୦,୨୮୭ଜଣ(୦.୦୧) ପୁରୁଷ ରହିଛନ୍ତି। ମହିଳାଙ୍କ ତୁଳନାରେ ଅଧିକ ସଂଖ୍ୟାରେ ପୁରୁଷ ଟିକା ନେଇଥିଲେ ହେଁ, ମହିଳାଙ୍କ କ୍ଷେତ୍ରରେ ଅଧିକ ଟିକାର ପାର୍ଶ୍ବ ପ୍ରତିକ୍ରିୟା ନଜରକୁ ଆସିଛି। ଏହି ସମୟ ମଧ୍ୟରେ ୧୦.୯୧ କୋଟି ପୁରୁଷ ୯.୩୦ ମହିଳା ଟିକା ନେଇଛନ୍ତି। ସମୁଦାୟ ୩୫ହଜାର ତୃତୀୟ ଲିଙ୍ଗୀ ଟିକା ନେଇଥିବା ବେଳେ ତହିଁରୁ ୪ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଘଟଣା ଭିତରୁ ୭୪୭୬ଜଣ( ୨୮.୫୩) ଜଣ ୫୧ବର୍ଷରୁ ଅଧିକ, ୬୯୦୧ଜଣ(୨୬.୩୪) ୧୮-୩୦ବର୍ଷ, ୩୧-୪୦ବର୍ଷ ୬୩୬୦ (୨୪.୨୭) ଓ ୪୧-୫୦ବର୍ଷ ୫୪୪୨(୨୦.୭୭) ଜଣ ରହିଛନ୍ତି।

କେବେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
ଟିକା ନେବା ପରେ ୨୬,୨୦୦ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଇଛି। ଏଥିରେ ୨୫.୦୪ ପ୍ରତିଶତ ବା ୬୫୬୦ଜଣ ଟିକା ନେବାର ଅଧଘଣ୍ଟା ଭିତରେ , ୬୮ ପ୍ରତିଶତ ବା ୧୭.୮୭୫ଜଣଙ୍କଠାରେ ଅଧ ଘଣ୍ଟା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପ୍ରଥମ ଡୋଜ୍ ଟିକା ନେବା ପରେ ୮୭.୮୭ ପ୍ରତିଶତ ବା ୨୩,୦୨୨ ଜଣ, ଦ୍ବିତୀୟ ଡୋଜ୍ ୧୪.୧୯ ପ୍ରତିଶତ ବା ୩୭୧୮ଜଣ ଦ୍ବିତୀୟ ଡୋଜ୍ ନେବା ପରେ ପାର୍ଶ୍ବ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲେ।

ମହାରାଷ୍ଟ୍ରରେ ସର୍ବାଧିକ ମାମଲା
କରୋନା ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟାର ସର୍ବାଧିକ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଏଠାରେ ୧୭.୨୬ ପ୍ରତିଶତ ବା ୪୫୨୧ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ନଜରକୁ ଆସିଛି। ଏହା ପଛକୁ କେରଳରେ ୪୦୭୪, କର୍ଣ୍ଣାଟକ ୨୬୫୦, ପଶ୍ଚିମବଙ୍ଗ ୧୪୫୬, ଉତ୍ତର ପ୍ରଦେଶ ୧୩୬୧, ଗୁଜୁରାଟ ୧୧୩୧ ଓ ଦିଲ୍ଲୀରେ ୧୧୧୧ ମାମଲା ସାମ୍ନାକୁ ଆସିଛି। ସେହିପରି ୧୦ଲକ୍ଷ ଡୋଜ୍ ନେଇଥିବା ରାଜ୍ୟ ଭିତରେ ମିଜୋରାମରେ ସର୍ବାଧିକ ୨୪୦ ମାମଲା ଦେଖିବାକୁ ମିଳିଛି। ଏହା ବାଦ୍ ସିକ୍କିମ ୧୧୪, ଗୋଆ ୧୦୨ ଓ ଦାଦ୍ରା ଓ ନଗର ହାଭେଳିରେ ୧୦୦ ମାମଲା ସାମ୍ନାକୁ ଆସିଛି।

ଟିକା ନେବା ପରେ ୪୮୮ଜଣଙ୍କ ମୃତ୍ୟୁ
ଦେଶରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ୨୬,୨୦୦ ଜଣଙ୍କ ମଧ୍ୟରୁ ୨ ପ୍ରତିଶତ ବା ୪୮୮ଜଣ ଟିକା ନେବା ପରେ ପ୍ରାଣ ହରାଇଛନ୍ତି। ମାତ୍ର ଜଣକୁ ଛାଡି ଟିକା ଯୋଗୁଁ ଏହିସବୁ ମୃତ୍ୟୁ ହୋଇନାହିଁ। ଏମାନଙ୍କ ମଧ୍ୟରେ ୩୦୧ଜଣ ପୁରୁଷ ଓ ୧୭୮ଜଣ ମହିଳା ରହିଛନ୍ତି। ଅନ୍ୟ ୯ଜଣ ମୃତକଙ୍କ ଲିଙ୍ଗ ସଂପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଟିକା ନେବା ପରେ ପ୍ରାଣ ହରାଇଥିବା ୪୮୮ ମୃତକଙ୍କ ଭିତରେ ୨୦୭ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଏମାନଙ୍କ ଭିତରେ ଜଣେ ୨୧ବର୍ଷର ଜମ୍ମୁ ଓ କଶ୍ମୀରର ଯୁବକ ରହିଛନ୍ତି। ବୟସ୍କଙ୍କ ଭିତରେ କର୍ଣ୍ଣାଟକର କୋଲାର ଅଞ୍ଚଳର ୯୭ ବର୍ଷର ପୁରୁଷ ରହିଥିବା ସୂଚନା ମିଳିଛି।

ସେହିପରି ସମୁଦାୟ ମୃତକଙ୍କ ଭିତରେ ୩୯ବର୍ଷରୁ ୨୭ଜଣ ଥିବା ବେଳେ ୨୯ବର୍ଷରୁ କମ୍ ୧୦ଜଣ ରହିଛନ୍ତି। ମୃତକଙ୍କ ମଧ୍ୟରେ ୪୫୭ଜଣ ‘କୋଭିସିଲ୍‌ଡ’ ଓ ୨୦ଜଣ ‘କୋଭାକ୍ସିନ୍’ ନେଇଥିବା ବେଳେ ୧୧ଜଣଙ୍କ ସଂପର୍କରେ ତଥ୍ୟ ଉପଲବ୍ଧ ନାହିଁ। ପ୍ରତି ୧୦ଲକ୍ଷରେ ‘କୋଭିସିଲ୍‌ଡ’ର ୨ଟି ଯାକ ଡୋଜ୍ ନେଇ ୨ଜଣ ପ୍ରାଣ ହରାଉଥିବା ବେଳେ ଏହି ହାର ହେଉଛି ୦.୦୦୦୨୧୭ ପ୍ରତିଶତ। ସେହିପରି ‘କୋଭାକ୍ସିନ୍’ର ଦୁଇ ଡୋଜ୍ ନେଇଥିବା ୧୦ଲକ୍ଷ ଲୋକଙ୍କ ଭିତରେ ୧ରୁ କମ୍ ପ୍ରାଣ ହରାଇଛନ୍ତି। ଯାହାକି ୦.୦୦୦୮ ପ୍ରତିଶତ ବୋଲି କୁହାଯାଇଛି। ତେବେ ଦୁଇ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ୧୦ଲକ୍ଷ ଲୋକଙ୍କ ଭିତରେ ଦୁଇ ଜଣ ପ୍ରାଣ ହରାଉଛନ୍ତି। ଏହାର ପ୍ରତିଶତ ରହିଛି ୦.୦୦୦୨୦।

ସମ୍ବନ୍ଧିତ ଖବର