ଏମ୍‌କେସିଜିରେ କରୋନା ସନ୍ଦିଗ୍ଧ ଦମ୍ପତି : ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ

ବ୍ରହ୍ମପୁର : କରୋନା ସନ୍ଦେହରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଏକ ଦମ୍ପତିଙ୍କୁ ଭର୍ତ୍ତି କରାଯାଇଛି। ପରୀକ୍ଷା ପାଇଁ ଉଭୟଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ଭୁବନେଶ୍ବର ପଠାଯାଇଛି ବୋଲି ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ଅବ୍ୟାବଧି ଉଭୟ ସ୍ବାମୀ, ସ୍ତ୍ରୀଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ‌ଦେଖିବାକୁ ମିଳି ନଥିବା ଡା. ମିଶ୍ର କହିଛନ୍ତି।

ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ଜଣେ ଯୁବକ ଆବୁଧାବିରେ କାମ କରୁଛନ୍ତି। କିଛିଦିନ ତଳେ ସେଠାରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା। କରୋନା ସନ୍ଦେହରେ ତାଙ୍କର ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେ ଗତ ୯ତାରିଖରେ ଦିଲ୍ଲୀ ଆସିଥିଲେ। ଦିଲ୍ଲୀରେ ମଧ୍ୟ ତାଙ୍କର ପରୀକ୍ଷା କରାଯାଇଥିଲା। ଏହାପରେ ସେ ବିଶାଖାପାଟଣା ଆସି ୧୧ତାରିଖରେ ଚିକିଟି ଫେରିଥିଲେ। ଏହି ଖବର ପାଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ଯୋଗଯୋଗ କରାଯାଇଥିଲା। ପରୀକ୍ଷା ପାଇଁ ଗତକାଲି ବିଳମ୍ବିତ ରାତିରେ ସମ୍ପୃକ୍ତ ଯୁବକ ଓ ତାଙ୍କ ପତ୍ନୀଙ୍କୁ ବଡ଼ ଡାକ୍ତରଖାନା କାଜୁଆଲ୍‌ଟି ଦ୍ବିତୀୟ ମହଲାରେ ଥିବା କରୋନା ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଭଲ ରହିଛି। ଜ୍ବର, କାଶ ନାହିଁ। ଯୁବକଙ୍କ ଛାତିରେ ପାଣି ଜମିଥିବାରୁ ନିମୋନିଆ ହୋଇଥିବା ରିପୋର୍ଟରେ ଆସିଛି। ସେ ଅନୁସାରେ ତାଙ୍କର ଚିକିତ୍ସା ଚାଲିଛି। ୩ଦିନ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣ କରାଯିବ। ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ମାସ୍କ ଦିଆଯାଇଛି। ଉଭୟଙ୍କୁ ଯେଉଁ ଡାକ୍ତର ଏବଂ ନର୍ସ ଚିକିତ୍ସା କରୁଛନ୍ତି ସେମାନଙ୍କୁ ମଧ୍ୟ ମାସ୍କ ଦିଆଯାଇଛି ବୋଲି ଡା. ମିଶ୍ର କହିଛନ୍ତି।

ସେହିପରି ଛତ୍ରପୁର ଅଞ୍ଚଳରୁ ମଧ୍ୟ ଜଣେ ରୋଗୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ କରୋନା ସନ୍ଦେହରେ ଆସିଥିଲେ। କିନ୍ତୁ ତାଙ୍କୁ ସାମାନ୍ୟ ଜର, ଥଣ୍ଡା ହୋଇଥିବା ଜଣାପଡ଼ିଥିଲା। ତେଣୁ ଆବଶ୍ୟକ ଔଷଧ ପ୍ରଦାନ କରି ତାଙ୍କୁ ଛାଡ଼ି ଦିଆଯାଇଛି ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର