ରାଜ୍ୟରେ କରୋନା ଟିକା ନଷ୍ଟ ବଢ଼ିବା ଆଶଙ୍କା

ବୟସ୍କ, ଭିନ୍ନକ୍ଷମଙ୍କୁ ଘରେ ଟିକା ଅନୁମତି ସାଜିପାରେ ବାଧକ
ଟିକା ନଷ୍ଟ ବିଯୁକ୍ତ ୫.୯%, ଅତିରିକ୍ତ ୧୮ଲକ୍ଷ ଲୋକଙ୍କୁ ଦିଆଯାଇଛି ଟିକା

ଭୁବନେଶ୍ବର : କରୋନା ଟିକାକରଣରେ ରାଜ୍ୟରେ ପ୍ରମୁଖ ସଫଳତା ହେଉଛି ଟିକା ନଷ୍ଟକୁ ରୋକିବା। ଯେଉଁ ସମୟରେ ଦେଶର ଅନ୍ୟ ରାଜ୍ୟମାନେ କରୋନା ଟିକା ନଷ୍ଟ ରୋକିବାରେ ବିଫଳ ହେଉଥିଲେ ସେ ସମୟରେ ଓଡ଼ିଶାରେ ଏହାକୁ ରୋକିବାରେ ସଫଳ ହୋଇଥିଲା। ହେଲେ ରାଜ୍ୟରେ ଏବେ କରୋନା ଟିକା ନଷ୍ଟ ବଢ଼ିବାକୁ ନେଇ ଅଧିକାରୀ ଏବେ ଚିନ୍ତାରେ। ବୟସ୍କ ଓ ଭିନ୍ନକ୍ଷମଙ୍କୁ ଘରେ ଟିକାକରଣ କରିବା ଲାଗି ଅନୁମତି ମିଳିବା ପରେ ଏହି ଆଶଙ୍କା ବଢ଼ିଯାଇଛି। ତେବେ ଏହାକୁ କିଭଳି ପରିଚାଳନା କରାଯିବ ତାହା ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୋର ଦିଆଯାଉଛି।

ରାଜ୍ୟରେ କରୋନା ଟିକା ନଷ୍ଟ ବିଯୁକ୍ତ ୫.୯ ପ୍ରତିଶତ ରହିଛି। ଯଦିଓ ଏହି ସଂଖ୍ୟା ସ୍ଥିର ନୁହେଁ, ତଥାପି ରାଜ୍ୟରେ ଟିକା ନଷ୍ଟକୁ ରୋକିବା ଦିଗରେ ଆରମ୍ଭରୁ ଓଡ଼ିଶା ବେଶ୍ ସତର୍କ ରହିଆସିଛି। ଯାହାଫଳରେ ଅତିରିକ୍ତ ୧୭.୭ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବା ସମ୍ଭବ ହୋଇପାରିଛି। ମାତ୍ର ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଘରେ ଟିକା ଦେବା ଲାଗି ନିର୍ଦେଶ ଦିଆଯିବା ପରେ ଟିକା ନଷ୍ଟ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ମତରେ, ହିତାଧିକାରୀଙ୍କ ଘରକୁ ଯାଇ ଟିକାକରଣ ସମୟରେ ଟିକାକୁ ଠିକ୍ ଭାବେ ପରିଚାଳନା କରିବା ଏକପ୍ରକାର ଅସମ୍ଭବ। ତେଣୁ ଏହି ସମୟରେ ଟିକା ନଷ୍ଟ ପୂର୍ବ ତୁଳନାରେ ବଢ଼ି ଯାଇପାରେ। ମାତ୍ର ଏହାକୁ ଠିକ୍ ଭାବେ ପରିଚାଳନା କରିବା ଲାଗି ଚେଷ୍ଟା କରାଯାଉଛି।

‌ଘରେ ଟିକା ଦେବା ଲାଗି ଜିଲ୍ଲାସ୍ତରରେ ହେଲ୍‌ପଲାଇନ୍ ନମ୍ବର ଜାରି କରାଯିବ। ଏହି ନମ୍ବରକୁ ଯୋଗାଯୋଗ କଲେ ହିତାଧିକାରୀଙ୍କୁ ଘରେ ଟିକା ଦିଆଯିବ। ତେବେ ରାଜ୍ୟସ୍ତରରେ ୧୦୪ ନମ୍ବରକୁ ଯୋଗାଯୋଗ କଲେ ଜିଲ୍ଲାକୁ ଏ ସଂପର୍କରେ ସୂଚନା ଦିଆଯିବ। ଖୁବଶୀଘ୍ର ଜିଲ୍ଲାରେ ନମ୍ବର ଜାରି ହେବ ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ଆଜି ରାଜ୍ୟରେ ୧୦୩୬ ଟିକାକରଣ ଅଧିବେଶନରେ ୧ଲକ୍ଷ ୫୩ହଜାର ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏଥିରେ ଯୁବ ବର୍ଗରେ ୫୨,୬୯୦ ପ୍ରଥମ ଓ ୫୨,୨୧୯ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୧,୫୪୮ ପ୍ରଥମ ଓ ୨୫,୮୧୦ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଏହାସହ ୨୭୧୯ ଗର୍ଭବତୀଙ୍କୁ ଟିକା ଦିଆଯାଇଛି। ରାଜ୍ୟର ଯୋଗ୍ୟ ଯୁବ ବର୍ଗ ହିତାଧିକାରୀଙ୍କ ମଧ୍ୟରୁ ୬୫ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୫ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଆଜିର ଟିକାକରଣକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୩ କୋଟି ୨୪ଲକ୍ଷ ୩୬ହଜାର ୪୫୫ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟ ସରକାର ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲି ୧୪୭୧ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର