୧୫ ସୁଦ୍ଧା ଫସଲ ବୀମା ଦେବାକୁ ତାଗିଦ୍‌

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନରେ ବୀମା କମ୍ପାନିମାନେ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି। ଗତ ଜୁନ୍‌ ୩୦ ତାରିଖ ସୁଦ୍ଧା ବୀମା ରାଶିର ବୃହତ୍‌ ଭାଗ ପ୍ରଦାନ କରିବାକୁ ସେହି କମ୍ପାନି ପ୍ରତିନିଧିମାନଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏହା ସତ୍ତ୍ୱେ ବୀମା ରାଶି ପୈଠ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିଲାନି। ଗତ ୪ ତାରିଖରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ ମଧ୍ୟ ଜୁଲାଇ ୧୫ ତାରିଖ ସୁଦ୍ଧା ପୈଠ କରିବାକୁ ତାଗିଦ୍‌ କରିଛନ୍ତିି। କିନ୍ତୁ ଗତ ୪ ତାରିଖରୁ ଆଜି ସୁଦ୍ଧା ବୀମା ରାଶି ପ୍ରଦାନରେ ବୀମା କମ୍ପାନିମାନେ ତତ୍ପରତା ପ୍ରଦର୍ଶନ କରୁନଥିବା ବାରି ହେଉଛି। ସବୁଠାରୁ ବଡ଼ ସମସ୍ୟା ଛିଡ଼ା କରାଇଛନ୍ତି ଏହି ବୀମା କମ୍ପାନିମାନେ। ସେମାନେ ବୀମା ରାଶି ବାବଦରେ ଯେତିକି ବି ଅର୍ଥ ବ୍ୟାଙ୍କଗୁଡ଼ିକୁ ଦେଇଛନ୍ତି, ସେହି ଅର୍ଥ ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟକୁ ଯାଉନାହିଁ।

ଆଜି ସୁଦ୍ଧା ଏଆଇସି କମ୍ପାନି ପ୍ରାୟ ୮୮.୭୯ କୋଟି ଟଙ୍କାର ବୀମା ରାଶି ପୈଠ କରିଛି। ଏହି କମ୍ପାନି ମୋଟ ୧୫୬.୮୩ କୋଟିର ବୀମା ରାଶି ପ୍ରଦାନ କରିବା ନେଇ ଆକଳନ ହୋଇଛି। ଏହା ହାତରେ ରହିଛି ୬ଟି ଜିଲ୍ଲାର ଦାୟିତ୍ୱ। ସେହିପରି ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ହାତରେ ରହିଛି ୫ଟି ଜିଲ୍ଲା। ଏହି କମ୍ପାନି ପୈଠ କରିିଛି ୧୮୮.୬୧ କୋଟି। ଏହି ବୀମା କମ୍ପାନି ସମୁଦାୟ ୮୨୮.୦୯ କୋଟିିର ବୀମା ରାଶି ପୈଠ କରିବ। ଟାଟା ଏଆଇଜି ଅଧୀନରେ ରହିଥିବା ୧୨ଟି ଜିଲ୍ଲାର ଚାଷୀଙ୍କୁ ଆଜି ସୁଦ୍ଧା ପ୍ରାୟ ୮୮ କୋଟି ପୈଠ କରିଛି। ଆକଳନ ଅନୁସାରେ ଏହି କମ୍ପାନି ମୋଟ ୪୨୭.୭୮ କୋଟି ଚାଷୀମାନଙ୍କୁ ପୈଠ କରିବ। ୭ଟି ଜିଲ୍ଲାର ଫସଲ ବୀମା ଦାୟିତ୍ୱରେ ଥିବା ଚୋଲ ଏମ୍‌ଏସ୍‌ କମ୍ପାନି ମୋଟ ୩୦୬.୬୮ କୋଟିର ବୀମା ରାଶି ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ସେଥିମଧ୍ୟରୁ ଆଜି ସୁଦ୍ଧା ପୈଠ କରିଛି ପ୍ରାୟ ୪୧.୯୪ କୋଟି।

ଗତ ୪ ତାରିଖ ସୁଦ୍ଧା ବୀମା କମ୍ପାନିମାନେ ୩୮୪.୪୬ କୋଟି ପ୍ରଦାନ କରିଥିଲେ। ଆଜି ସୁଦ୍ଧା ସେଥିରେ ବିଶେଷ ପରିବର୍ତନ ହୋଇନାହିଁ। ଏହି ରାଶି ଆଜି ପ୍ରାୟ ୪୦୦ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ବୀମାଭୁୁକ୍ତ ୧୮.୪୨ ଲକ୍ଷ ଚାଷୀଙ୍କ ମଧ୍ୟରୁ ଆଜି ସୁଦ୍ଧା ପ୍ରାୟ ୨ ଲକ୍ଷଙ୍କ ନାମରେ ବୀମା ଅର୍ଥ ପ୍ରଦାନ କରାଯାଇଛି। ଆକଳନ ଅନୁଯାୟୀ ୨୦୧୭ ଖରିଫ ନିମନ୍ତେ ମୋଟ ବୀମା ରାଶି ୧୭୧୯ କୋଟି ୩୮ ଲକ୍ଷ ୭୯ ହଜାର ଟଙ୍କା। ଏଥିମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ବୀମା ରାଶି ଅଦ୍ୟାବଧି ପ୍ରଦାନ କରାଯାଇଛି।

ଆହୁରି ଉଦ୍‌ବେଗଜନକ କଥା ଗତ ୫ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି) ବୈଠକରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ବିଳମ୍ବରେ ଅର୍ଥପ୍ରଦାନ ନେଇ ଆପତ୍ତି ଉଠାଇଥିଲେ। ଫସଲ ବୀମା ରାଶି ପୈଠ କ୍ଷେତ୍ରରେ ବୀମା କମ୍ପାନିମାନଙ୍କ କାର୍ଯ୍ୟ ଧାରା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରି ବୀମା କମ୍ପାନିମାନେ ବୀମା ରାଶି ପାଇବାକୁ ଥିବା ଚାଷୀମାନଙ୍କ ଗ୍ରାମପଞ୍ଚାୟତଓ୍ଵାରୀ ନାମ, ଠିକଣା ଆଦି ସବିଶେଷ ବିବରଣୀ ଦେଉନଥିବା ସେ କହିଥିଲେ। ଫଳରେ ସେହି ବୀମା ଅର୍ଥ ବ୍ୟାଙ୍କରେ ପଡ଼ିରହୁଛି। ଚାଷୀଙ୍କ ପାଖରେ ପହଞ୍ଚୁନାହିଁ।

ସମ୍ବନ୍ଧିତ ଖବର