କରୋନା ନେଲା ଦମ୍ପତିଙ୍କ ଜୀବନ

ହାଟଡିହି : କରୋନାରେ ଦୁଇଦିନ ତଳେ ପତ୍ନୀଙ୍କ ଦେହାନ୍ତ ହୋଇଥିବାବେଳେ ଗତକାଲି ସ୍ବାମୀ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଖବର ଆସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ବଞ୍ଚୋ ଗ୍ରାମରୁ। ମୃତକମାନେ ହେଲେ ଶିକ୍ଷାବିତ୍‌, ଲେଖକ ତଥା ଅନୁବାଦକ ଡ. କାର୍ତ୍ତିକେଶ୍ୱର ବେହେରା (୬୯) ଓ ତାଙ୍କ ପତ୍ନୀ ତିଳୋତ୍ତମା ବେହେରା। ଦୁଇଦିନ ତଳେ ତିଳୋତ୍ତମା କରୋନାରେ ପ୍ରାଣ ହରାଇଥିଲେ। ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡ. ବେହେରାଙ୍କ ପରଲୋକ ହୋଇଛି।

ଡ. ବେହେରା ପ୍ରଥମେ ବଞ୍ଚୋ ଓ ପରେ ପନ୍ଦାଡ଼ୋ ୟୁଜିଏମ୍‌ଇ ବିଦ୍ୟାଳୟରେ ଶିକ୍ଷକତା କରି ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଭାବେ ଅବସର ଗ୍ରହଣ କରିଥିଲେ। ସେ ପୁସ୍ତକ ‘ଚିକିମିକି ତାରାଫୁଲ’, ‘ଚୂନାଚୂନା ନୀଳଢ଼େଉ’, ‘ସମ୍ପର୍କର ପରିଭାଷା’, ‘ଧର୍ମ ଧାରଣା ଏ ଜଗତେ’, ‘ଆମ ସ୍ଥିତି ଅନୁଭୂତି ଓ ପ୍ରଗତି’ ଆଦି ପ୍ରବନ୍ଧ ପୁସ୍ତକ ଲେଖିବା ସହ ଏକାଧିକ ପୁସ୍ତକକୁ ଇଂରାଜିରେ ଅନୁବାଦ କରିଥିଲେ। ତାଙ୍କ ବିୟୋଗରେ ବଞ୍ଚୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ଲେଖକ ରତ୍ନାକର ଦାସ, ଡ. ଅଶୋକ କୁମାର ପୁହାଣ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, କବି ଶ୍ରୀକାନ୍ତ ପଟ୍ଟନାୟକ, ହାଟଡିହି ‘ସମ୍ବାଦ ସାହିତ୍ୟଘର’ ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସୁବାସ ଚନ୍ଦ୍ର ପାତ୍ର, ଡ. ଆଶୋକ କୁମାର ରଣା, ଲେଖିକା ବିଦ୍ୟୁତ୍‌ପ୍ରଭା ଦେଓ, ନାରାୟଣ ସାହୁ, ସୁରେନ୍ଦ୍ର କୁମାର ପରିଡ଼ା, ଅମୂଲ୍ୟ କୁମାର ମିଶ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ସମାଜସେବୀ ଦୁର୍ଗାଚରଣ ଦଳେଇ, କୀର୍ତ୍ତନ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର