କରୋନା ଲାଗି ଶୁଝିପାରିଲେନି ଋଣ, ବିଷ ପିଇ ପ୍ରାଣ ହାରିଲେ ଦଂପତି

ଜୁଲମ କରୁଥିଲେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା

ବାଲେଶ୍ୱର/ବସ୍ତା: କରୋନା ଭାଇରସ ମହାମାରୀ ସବୁ କିଛି ଛଡ଼ାଇନେଲା। ଆଗେ ରୋଜଗାର ତା’ ପରେ ଋଣ ଚାପ ଆଗରେ ହାର୍‌ ମାନି ଶେଷ ରାସ୍ତା ବାଛିନେଲେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରୁପସା ଥାନା ଆଙ୍କ ପଞ୍ଚାୟତ ପୁଡ଼ାଡିହା ଗ୍ରାମର ଏକ ଦମ୍ପତି। ଏ ଦୁଃଖଦ ଖବରକୁ ନେଇ ଆଜି ବସ୍ତା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କାଶୀନାଥ ରାଉଳ ଓ ତାଙ୍କ ପତ୍ନୀ କନକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ କାଶୀନାଥ ରାଉଳ ଟ୍ରେନରେ ଜିନିଷପତ୍ର ବିକ୍ରି ପରିବାର ଚଳାଉଥିଲେ। ସ୍ତ୍ରୀ କନକ ଘର କଥା ବୁଝୁଥିଲେ। କରୋନା ପାଇଁ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯିବା ପରେ ସେ ତାଙ୍କର ନିୟମିତ ରୋଜଗାର ହରାଇଥିଲେ। ଏହା ପରେ ତାଙ୍କ ପରିବାରର ଆର୍ଥିକ ବୋଝ ବଢ଼ିବାରେ ଲାଗିଲା। ତଥାପି ସେ ରୋଜଗାରର ବିକଳ୍ପ ବ୍ୟବସାୟ କରିବା ପାଇଁ ଯୋଜନା କରିଥିଲେ। କିଛି ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ଓ ହାତ ଉଧାରି କରିଥିଲେ। ହେଲେ କୌଣସି କାରଣରୁ ସେ ବ୍ୟବସାୟ ଆରମ୍ଭ କରିପାରି ନ ଥିଲେ। ଆଉ ଘର ଚଳାଇବା ପାଇଁ ସ୍ୱାଭାବିକ ଭାବେ ଋଣ କରିଥିବା ଅର୍ଥ ଖର୍ଚ୍ଚ ହୋଇଯାଇଥିଲା।

ହେଲେ ଋଣ ଲଗାଣକାରୀ ସଂସ୍ଥାର ଅମାନବୀୟ ବ୍ୟବହାରରେ ସେ ଅତିଷ୍ଠ ହୋଇପଡ଼ିଥିଲେ ବୋଲି ତାଙ୍କ ଗାଁରେ ଚର୍ଚ୍ଚା ହେଉଛି। ଏମିତି ୭/୮ ଦିନ ତଳେ ଏକ ଘରୋଇ ସଂସ୍ଥାର ଏଜେଣ୍ଟ ଆସି ତାଙ୍କୁ ଧମକଚମକ ଦେଇଥିଲେ। ଏପରିକି ଋଣ ଶୁଝି ନ ପାରିଲେ ଜୀବନ ହାରିଦିଅ ଭଳି କଟୁ କଥା କହିଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଅପମାନରେ ପୂରା ଭାଙ୍ଗିପଡ଼ିଥିଲେ କାଶୀନାଥ ଓ କନକ। ସେପଟେ ୨ ପୁଅ ଓ ଝିଅ ବିବାହ ପରେ ଅଲଗା ରହୁଥିଲେ। ଏ ପରିସ୍ଥିତିରେ ବଂଚିବା ପାଇଁ ରାହା ନ ପାଇ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ସେମାନେ ବିଷ ପିଇ ପ୍ରାଣ ହାରିଦେଲେ। ରୁପସା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆତ୍ମହତ୍ୟାର କାରଣ ଋଣ କି ନୁହେଁ ତାର ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧିତ ଖବର