ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ‌୪ ହଜାର ଡେଇଁଲା

ନମୁନା ପରୀକ୍ଷା ସଂଖ୍ୟା ୨ଲକ୍ଷ ଟପିଲା, ଦିନକରେ ୧୪୬ ଆକ୍ରାନ୍ତ, ସେତିକି ସୁସ୍ଥ

ଭୁବନେଶ୍ବର : ଜୁନ୍ ମାସରେ ରାଜ୍ୟରେ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା କରାଯାଇଥିଲା। ରାଜ୍ୟରେ ପ୍ରତ୍ୟେକ ଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେବା ଏହି ଆଶଙ୍କାକୁ ସତରେ ପ୍ରମାଣିତ କରିଛି। ଆଜି ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪ ହଜାର ଅତିକ୍ରମ କରିଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମାନ ସଂଖ୍ୟକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ୨ଲକ୍ଷ ପାର୍‌ କରିଛି। ତେବେ ଦିନକୁ ଦିନ ନମୁନା ପରୀକ୍ଷା ସଂଖ୍ୟା ଯେଉଁଭଳି ଭାବେ କମି ଚାଲିଛି ତାହା ସାଧାରଣରେ ସରକାରଙ୍କ କରୋନା ମୁକାବିଲା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ୨୪ ଘଣ୍ଟାରେ କେବଳ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଭଦ୍ରକ ଓ କଟକ ୧୯, ଏନ୍‌ଡିଆର୍‌ଏଫ୍‌-ଓଡିଆର୍‌ଏଫ୍‌ ୯, ଗଞ୍ଜାମ ଓ ବାଲେଶ୍ବରରେ ୮ଜଣ ଲେଖାଏଁ, ଖୋର୍ଧା ୭, ଅନୁଗୁଳ ୬, ରାୟଗଡ଼ା ୫, ଜଗତସିଂହପୁର, ନୟାଗଡ଼ ଓ ସୁନ୍ଦରଗଡ଼ରେ ୪ଜଣ ଲେଖାଏଁ, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ାରେ ଜଣେ ଲେଖାଏ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୧୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିଛି।

India TV

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ଗଞ୍ଜାମ ରହିଛି। ଏଠାରେ ୬୯୦ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ୩୬୨, କଟକ ୩୪୨, ଯାଜପୁର ୩୪୧, ବାଲେଶ୍ବର ୨୧୨, ଭଦ୍ରକ ୧୭୭, କେନ୍ଦ୍ରାପଡ଼ା ୧୭୬, ଜଗତସିଂହପୁର ୧୫୮, ପୁରୀ ୧୫୫, ବଲାଙ୍ଗୀର ୧୪୩, କନ୍ଧମାଳ ୧୩୭, ସୁନ୍ଦରଗଡ଼ ୧୩୦, ମୟୂରଭଞ୍ଜରେ ୧୨୧ ଓ ନାୟାଗଡ଼ରେ ୧୧୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ ଗଜପତି ୯୯, ନୂଆପଡ଼ା ୭୪, କେନ୍ଦୁଝରରେ ୭୦ ଲେଖାଏ ଆକ୍ରାନ୍ତ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇସାରିଲେଣି। ପ୍ରଥମ ଥର ଲାଗି ରାଜ୍ୟରେ ୬୦ବର୍ଷରୁ ଅଧିକ ୧୦୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୪୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ ୨୬, ଖୋର୍ଧା ୨୩, ଗଞ୍ଜାମ ୧୮, ମୟୂରଭଞ୍ଜ ୧୩, ଗଜପତି ୧୨, ଭଦ୍ରକ ଓ ବଲାଙ୍ଗୀରରୁ ୧୧, କନ୍ଧମାଳ, କୋରାପୁଟ ଓ ରାୟଗଡ଼ାରେ ୫ଜଣ ଲେଖାଏଁ, କଳାହାଣ୍ଡିରୁ ୪, ଯାଜପୁର ଓ ନୟାଗଡ଼ରୁ ୩ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡ଼ା ଓ ପୁରୀରୁ ୨ଜଣ ଲେଖାଏଁ ଓ ଜଗତସିଂହପୁରରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୮୫୪ରେ ପହଞ୍ଚିଛି। ୧୧୮୭ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ୨ଲକ୍ଷ ପାର୍ କରିଛି। ଏ ପର୍ଯ୍ୟନ୍ତ ୨ଲକ୍ଷ ୨ ହଜାର ୫୧୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ସର୍ବାଧିକ ଆରଏମ୍‌ଆରସିରେ ପରୀକ୍ଷା ହୋଇଛି। ବଳକା ନମୁନା ରାଜ୍ୟର ଅନ୍ୟାନ୍ୟ ପରୀକ୍ଷା କେନ୍ଦ୍ର‌ରେ ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର