ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରିପୋର୍ଟ ପଠାଇଲେ କେନ୍ଦ୍ର ସରକାର: ୧୦ ହଜାର ରୋଗୀ ଚିହ୍ନଟ ହେଲେ ୬ଶହ ଶିଶୁରୋଗ ଶଯ୍ୟା ଆବଶ୍ୟକ

୧୧୦୭ ପଜିଟିଭ୍, ୬୭ ମୃତ

ଭୁବନେଶ୍ବର : ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାର ଏକ ଆକଳନ ରାଜ୍ୟମାନଙ୍କୁ ପଠାଇଛନ୍ତି। ଦୈନିକ କେତେ ସଂକ୍ରମଣ ହେଲେ, କେତେ ଶିଶୁରୋଗ ଶଯ୍ୟାର ଆବଶ୍ୟକ ପଡ଼ିବ, ସେ ସଂପର୍କରେ ସୂଚନା ଦିଆଯାଇଛି। ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଶିଶୁମାନଙ୍କୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ତୃତୀୟ ଲହର ସମୟରେ ରାଜ୍ୟରେ ଯଦି ଶୀର୍ଷ ସଂକ୍ରମଣ ୧୦ ହଜାର ଛୁଏଁ, ତାହାଲେ ୬ଶହ ଶିଶୁରୋଗ ଶଯ୍ୟାର ଆବଶ୍ୟକତା ପଡ଼ିପାରେ ବୋଲି କୁହାଯାଇଛି। ହେଲେ ରାଜ୍ୟ ସରକାର ‌କେନ୍ଦ୍ର ପଠାଇଥିବା ଆକଳନଠାରୁ ଅଧିକ ସଂଖ୍ୟାରେ ଶଯ୍ୟା ପ୍ରସ୍ତୁତ ରଖିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ଆକଳନ ଅନୁସା‌ରେ, କରୋନା ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୫ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଆଡମିସନ୍‌ର ଆବଶ୍ୟକତା ରହିଛି। ରାଜ୍ୟରେ ଦ୍ବିତୀୟ ଲହର ସମୟରେ ସର୍ବାଧିକ ୧୦ ହଜାରରୁ ଅଧିକ କୋଭିଡ୍‌ ରୋଗୀ ଦୈନିକ ଚିହ୍ନଟ ହୋଇଥିଲେ। ତେଣୁ ତୃତୀୟ ଲହରରେ ଯଦି ସମାନ ସଂକ୍ରମିତ ଚିହ୍ନଟ ହୁଅନ୍ତି, ତାହାଲେ ୬ଶହ ଶିଶୁରୋଗ ଶଯ୍ୟାର ଆବଶ୍ୟକତା ପଡ଼ିପାରେ ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟରେ କୁହାଯାଇଛି। ମାତ୍ର ରାଜ୍ୟ ସରକାର ସର୍ବାଧିକ ୧୫ପ୍ରତିଶତ ରୋଗୀ ହସ୍ପିଟାଲରେ ଆଡମିଟ୍‌ ହେବାକୁ ନଜରରେ ରଖି ଶିଶୁରୋଗ ଶଯ୍ୟା ପ୍ରସ୍ତୁତ କରିଥିବା କହିଛନ୍ତି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ତୃତୀୟ ଲହର ସମୟରେ କେତେ କେସ୍ ଲୋଡ୍‌ ରହିବ, ସେନେଇ କେନ୍ଦ୍ର ସରକାର ଏକ ହିସାବ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଓଡ଼ିଶାରେ ଶୀର୍ଷ ସଂକ୍ରମଣ ୧୦ ହଜାର ଛୁଇଁବ, ତାହାଲେ ୬ଶହ ଶିଶୁରୋଗ ଶଯ୍ୟାର ଆବଶ୍ୟକ ପଡ଼ିପାରେ। ମାତ୍ର ରାଜ୍ୟ ସରକାର ଏହାଠାରୁ ଯଥେଷ୍ଟ ଅଧିକ ୩ ହଜାର ଶଯ୍ୟା ପାଇଁ ପ୍ରସ୍ତୁତ ରହିଛନ୍ତି। ତହିଁରେ ୨୦୦-୨୫୦ ଆଇସିୟୁ ଶଯ୍ୟା ରହିବ। ରାଜ୍ୟରେ ଅକ୍ସିଜେନ୍‌ର କୌଣସି ସମସ୍ୟା ନାହିଁ। ଦ୍ବିତୀୟ ଲହରରେ ସବୁ ଜିଲ୍ଲାରେ ଏଲଏମ୍‌ଓ ପ୍ଲାଣ୍ଟ ଓ ପିଏସ୍‌ଏ ପ୍ଲାଣ୍ଟ ଲାଗିବା କାମ ଚାଲିଛି। ଏଲଏମ୍‌ଓ କାର୍ଯ୍ୟ କରିବା ପରେ ଆଉ ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ପଡ଼ିବ ନାହିଁ, ପାଇପ ଯୋଗେ ଅକ୍ସିଜେନ୍ ଯୋଗାଣ କରାଯିବ। ଏହାସହ ଭିତ୍ତିଭୂମି ଓ ଲଜିଷ୍ଟିକ୍ ସପ୍ଲାଏ ପାଇଁ ପଦକ୍ଷେପ ନିଆଯାଇଛି। ପିଲାଙ୍କ ପାଇଁ ୩୬ ପ୍ରକାରର ଯନ୍ତ୍ରପାତି, ୩୦ ପ୍ରକାରର ଔଷଧ ସଂଗ୍ରହ କରାଯାଉଛି। ଏଥିପାଇଁ ୩୦ କୋଟି ଟଙ୍କା ଖର୍ଚ କରାଯିବ ବୋଲି ଡା. ମିଶ୍ର କହିଛନ୍ତି।

ଅପରପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଧା ଓ କଟକ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମଣ ଶହେ ତଳେ ରହିଛି। ରାଜ୍ୟରେ ସଂକ୍ରମଣ ହାର ରହିଛି ୧.୭୪ ପ୍ରତିଶତ। ଖୋର୍ଧାରେ ପୁଣିଥରେ ସଂକ୍ରମଣ ହାର ୫ ପ୍ରତିଶତ ଛୁଇଁଛି। ଖୋର୍ଧାରେ ସର୍ବାଧିକ ୩୯୭ ଓ କଟକରେ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ୬୬, ଯାଜପୁର ୫୨, କେନ୍ଦ୍ରାପଡ଼ା ୪୨, ମୟୂରଭଞ୍ଜ ୪୦, ପୁରୀ ୨୮, ନୟାଗଡ଼ ୨୯ ଓ ଷ୍ଟେଟ୍‌ ପୁଲରୁ ୮୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୧ହଜାର ୧୮୨କୁ ବୃଦ୍ଧି ପାଇଛି।

ଆଉ ୬୭ଜଣ କରୋନରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ କଟକ ୧୮, ଖୋର୍ଧା ୧୧, ସମ୍ବଲପୁର ୯, ଯାଜପୁର ୫, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ୪ ଲେଖାଏଁ, ଢେଙ୍କାନାଳ, ସୋନପୁର ୩ ଲେଖାଏଁ, ପୁରୀ, ବାଲେଶ୍ବରରେ ୨ ଲେଖାଏଁ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ମୃତକ ରହିଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୧୭୭ କରୋନା ରୋଗୀ ରହିଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୬୭୬କୁ ଖସି ଆସିଛି। ଅନ୍ୟପକ୍ଷରେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୭୪ହଜାର ୭୫୬କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର