ରାଜ୍ୟରେ କରୋନା ୯ଲକ୍ଷ ମୁହାଁ, ଅମାନିଆଙ୍କ ପାଇଁ ପୁଣି ବଢ଼ୁଛି ସଂକ୍ରମଣ

ପୁଣି ୩ହଜାର ଉପରେ ଦୈନିକ ସଂକ୍ରମଣ, ମୃତ୍ୟୁରେ ପ୍ରଥମ ଲହରକୁ ଟପିଲା ଦ୍ବିତୀୟ ଲହର

ଭୁବନେଶ୍ବର : କରୋନା ସଂକ୍ରମଣ କମିନାହିଁ। ରାଜ୍ୟ ସରକାର କଟକଣା ହଟାଇ ନାହାନ୍ତି। ହେଲେ ଅମାନିଆ ରାଜରାସ୍ତାରେ ବୁଲିବା ଆରମ୍ଭ କଲେଣି। ଫଳରେ ରାଜ୍ୟରେ ଦୈନିକ ସଂକ୍ରମଣ ତଳକୁ ଯିବା ବଦଳରେ ବଢ଼ିବାକୁ ଆରମ୍ଭ କଲାଣି। କେତେବେଳେ ୩ ହଜାର ତଳେ ତ କେତେବେଳେ ୩ ହଜାର ଉପ‌‌ରେ ଦୈନିକ ସଂକ୍ରମଣ ରହୁଛି। ସଂକ୍ରମଣ ହାର ମଧ୍ୟ କେଉଁ ଦିନ ୫ ପ୍ରତିଶତ ତଳେ ତ ଆଉ କେଉଁ ଦିନ ଉପରେ ଦେଖିବାକୁ ମିଳୁଛି। ସଂକ୍ରମଣ ୯ଲକ୍ଷ ନିକଟରେ ପହଞ୍ଚି ଗଲାଣି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୨୪ ତାରିଖ ତୁଳନାରେ ୨୨ ପ୍ରତିଶତ ଅଧିକ। ରାଜ୍ୟର ୬୮,୬୯୫ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୫.୧୭ ପ୍ରତିଶତ ରହିଛି। ପୁରୀରେ ୧୦.୨, ଖୋର୍ଧା ୧୦.୬, ନୟାଗଡ଼ ୮.୮, ଜଗତସିଂହପୁର ୮, କଟକ ୭.୯ ଓ ମୟୂରଭଞ୍ଜରେ ୮ ପ୍ରତିଶତ ସଂକ୍ରମଣ ହାର ରହିଛି। ପୂର୍ବରୁ ମୟୂରଭଞ୍ଜ, ଜଗତସିଂହପୁରରେ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ଏବେ ପୁଣିଥରେ ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଯାଜପୁରରେ ସଂକ୍ରମଣ ହାର ଯଦିଓ ରାଜ୍ୟର ସଂକ୍ରମଣ ହାରଠାରୁ ଅଧିକ ରହିଛି, ମାତ୍ର ପୂର୍ବ ତୁଳନାରେ ଜିଲ୍ଲାରେ ଏଥିରେ ହ୍ରାସ ନଜରକୁ ଆସିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅମାନିଆଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ତଳମୁହାଁ ହେଉ ନାହିଁ। ଲୋକ କ୍ଷୀର ଆଣିବାକୁ ଯାଇ ବାହାରେ ଖଟି କରୁଛନ୍ତି। କୋଭିଡ୍‌ ନିୟମାବଳୀକୁ ଠିକ୍‌ରେ ନ ମାନିବାରୁ ସଂକ୍ରମଣ ବଢ଼ୁଛି। ଭୂତାଣୁ ଯାଇ ନଥିବା ବେଳେ ବାହାରକୁ ବାହାରି ଲୋକମାନେ ଭୂତାଣୁ ସଂକ୍ରମଣକୁ ପ୍ରୋତ୍ସାହିତ କରୁଛନ୍ତି। ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବା ଆସିବା ମଧ୍ୟ ଭୁବନେଶ୍ବରକୁ ଲାଗି ରହିଛି। ଫ‌ଳରେ ଭୁବନେଶ୍ବରରେ ସଂକ୍ରମଣ ବଢ଼ୁଛି। ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି। ପ୍ରତ୍ୟେକ ଦିନ ସଂକ୍ରମଣ ତଥ୍ୟର ବ‌ିଶ୍ଲେଷଣ କରାଯାଉଛି। ଆସନ୍ତା ୩୦ତାରିଖ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଖୋର୍ଧାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ୬୫୧ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ କଟକ ୫୦୧, ବାଲେଶ୍ବର ୨୭୧, ଯାଜପୁର ୨୫୬, ପୁରୀ ୨୩୩, ମୟୂରଭଞ୍ଜ ୧୯୬, ଭଦ୍ରକ ୧୫୮, ଜଗତସିଂହପୁର ୧୪୫, ଅନୁଗୁଳ ୧୩୩, କେନ୍ଦ୍ରାପଡ଼ା ୧୧୯, ନୟାଗଡ଼ ୧୦୦ ଓ ଷ୍ଟେଟ୍‌ ପୁଲରୁ ୧୦୦ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ୧୯ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହିଛି। ଏହି ସଂଖ୍ୟାକୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୯୭ହଜାର ୬୨କୁ ବୃଦ୍ଧି ପାଇଛି।

ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକ ମୃତ୍ୟୁ ହୋଇଛି। ରାଜ୍ୟରେ ଗତବର୍ଷ ଏପ୍ରିଲ ୭ତାରିଖରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବ‌େଳେ ଡିସେମ୍ବର ମାସ ସୁଦ୍ଧା ୧୮୭୬ଜଣ କରୋନାରେ ପ୍ରାଣ ହରାଇଥିଲେ। ଦ୍ବିତୀୟ ଲହରରେ ଗତ ୩ ମାସରେ ଏ ପର୍ଯ୍ୟନ୍ତ ୧୯୭୨ଜଣଙ୍କ ସରକାରୀ ଭାବେ ମୃତ୍ୟୁ ହୋଇ ସାରିଲାଣି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ବେଶ୍‌ ଉଚ୍ଚରେ ରହିଥିବାରୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ଆଉ ୪୭ ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଖୋର୍ଧା ଜିଲ୍ଲାରେ ଲଗାତାର ଭାବେ ୩ଦିନ ଧରି ୯ଜଣ ଲେଖାଏଁ କରୋନାରେ ପ୍ରାଣ ହରାଇଥିବା କୁହାଯାଇଛି। ଅନ୍ୟ ଜିଲ୍ଲାମାନଙ୍କ ଭିତରେ ବରଗଡ଼, କଟକ, ନୟାଗଡ଼ରେ ୫ ଲେଖାଏଁ, ଗଞ୍ଜାମ, ପୁରୀ, ସୁନ୍ଦରଗଡ଼ରେ ୩ ଲେଖାଏଁ, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳରେ ୨ ଲେଖାଏଁ, ବାଲେଶ୍ବର, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ଦିଆଯାଇଛି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୮୪୮ରେ ପହଞ୍ଚିଛି। ଆଜି ରାଜ୍ୟରେ ୩୬୮୨ କୋଭିଡ୍‌ ରୋଗୀ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୬୩ହଜାର ୮୨୪କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖା ୨୯,୩୩୭କୁ ଖସି ଆସିଛି।

ସମ୍ବନ୍ଧିତ ଖବର