ରାଜ୍ୟରେ କରୋନା ସଂକ୍ରମଣ ହାର ୧% ତଳେ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଲଗାତାର ଦ୍ବିତୀୟ ଦିନ ପାଇଁ ୧ ପ୍ରତିଶତ ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩,୬୯୦ ନମୁନା ପରୀକ୍ଷା ହୋଇଥିବା ସଂକ୍ରମଣ ହାର ରହିଛି ୦.୭୨ ପ୍ରତିଶତ। ତେବେ ଖୋର୍ଧା, ସୁନ୍ଦରଗଡ଼କୁ ମିଶାଇ କିଛି ଜିଲ୍ଲାରେ ସଂକ୍ରମଣ ହାର ୧ ପ୍ରତିଶତ ଉପରେ ରେକର୍ଡ କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମି ଆସୁଥିବା ବେଳେ ରାଜ୍ୟରେ ତୃତୀୟ ଲହର ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮୮ କୋଭିଡ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୫୩, ଗଜପତି ୩୦, ଯାଜପୁର ୨୩, କଟକ ୨୧, ମୟୂରଭଞ୍ଜ-ରାୟଗଡ଼ା ୨୦ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୧୩ ଆକ୍ରାନ୍ତ ବାହାରିଛନ୍ତି। ସୋନପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୨ହଜାର ୮୬୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା କରାଯାଇଛି। ଯାହାଫଳରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୯୦୨୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୦୯୫ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୫୩୭କୁ ଖସି ଆସିଛି। ଅନ୍ୟ ପକ୍ଷରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୬୯ହଜାର ୨୫୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର