ତାଳଚେର ମେଡିକାଲ କୋଠାରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଡିଏମଫ ଓ ଏମସିଏଲରୁ ଖର୍ଚ୍ଚ ହେବ ପାଣ୍ଠି: ଜିଲ୍ଲାପାଳ

ଅନୁଗୁଳ: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନୂଆ କରୋନା ହସ୍ପିଟାଲର ଶୁଭ ଉଦଘାଟନ କରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ନୂଆ ହସ୍ପିଟାଲ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି। ୫୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲ ନିକଟରେ ଏମସିଏଲ ଗଢି ଥିବା ନୂଆ ବିଲ୍ଡିଂରେ ବେଡ଼ ପକାଇବା ପାଇଁ ଯୋଜନା ଚାଲିଛି। ଏହି ନୂଆ ହସ୍ପିଟାଲ ୧୦୦ ଶଯ୍ୟା ବିଶିଷ୍ଟ ହେବ। ଏବଂ ସେଥିରେ ପ୍ରାୟ ୬ଟି ଆଇସିୟୁ ରହିବ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି  ସୂଚନା ଦେଇଛନ୍ତି। ଆଗକୁ ବିପଦ ପରିସ୍ଥିତିର ଆଶଙ୍କା କରି ଆଗୁଆ ପଦକ୍ଷେପ ସ୍ୱରୂପ ସରକାର ଅନୁଗୁଳ ଜିଲ୍ଲାବାସୀଙ୍କ ପାଇଁ ଏ ପଦକ୍ଷେପ ନେଇଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଅନୁଗୁଳ ଜିଲ୍ଲାକୁ ବିଦେଶାଗତ ଏବଂ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ସଂଖ୍ୟା କିଛି କାମ ନୁହେଁ। ଯଦିଓ ବର୍ତମାନ ସୁଦ୍ଧା କରୋନାର କୌଣସି ବିପଦ ଜିଲ୍ଲାରେ ଦେଖିବାକୁ ମିଳିନାହିଁ, ତଥାପି ଦିଲ୍ଲୀ ନିଜମୁଦ୍ଦିନରୁ ଆସିଥିବା ଧର୍ମ ଗୁରୁଙ୍କ ତାଳଚେର ଆଦି ସ୍ଥାନ ଭ୍ରମଣ ଜିଲ୍ଲାବାସୀଙ୍କ ମନରେ ଶଙ୍କା ତିଆରି କରିଛି। ଆଗକୁ କିଛି ବିପଦ ମାଡି ଆସିବା ପୂର୍ବରୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଯୋଜନା ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତ କରିଛି।

ଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ, ଏ ହସ୍ପିଟାଲ ନିର୍ମାଣ ଜିଲ୍ଲା ଖଣିଜ ପାଣ୍ଠି ଏବଂ ଏମସିଏଲ ପାଣ୍ଠିରୁ କରାଯିବ। ଦୈନିକ ଖର୍ଚ୍ଚ ଖଣିଜ ପାଣ୍ଠିରୁ ଦେବାକୁ ଯୋଜନା ଚାଲିଥିବା ବେଳେ ଅତ୍ୟାବଶ୍ୟକ ଭିତ୍ତିଭୂମି ଏମସିଏଲ ଭରଣା କରିବାର ଯୋଜନା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି। ହସ୍ପିଟାଲ ପାଇଁ ଭୁବନେଶ୍ୱର ସମ ହସ୍ପିଟାଲ ସହିତ ଯୋଗାଯୋଗ ହୋଇଛି। ସମ କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ ସମ୍ପୂର୍ଣ ମାନବ ସମ୍ବଳ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ତେଣୁ ଚିକିତ୍ସାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସାମିଲ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି। ବିଶ୍ୱସ୍ତ ସୂତ୍ର ମୁତାବକ, ନୂଆ ହସ୍ପିଟାଲ ପାଇଁ ଜିଲ୍ଲାର ଏକ ଟିମ ମେଡିକାଲ କ୍ୟାମ୍ପସ ବୁଲି କରି ଫେରି ଛନ୍ତି। ସମ୍ଭବତଃ ଆସନ୍ତା ୧୦ ତାରିଖରୁ ନୂଆ ହସ୍ପିଟାଲ କାମ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର