କୋଭିଡ୍‌ ମୁକାବିଲା ସାମଗ୍ରୀ ମଗାଇ ଅକଳରେ : ମାଗିଥିଲା ଔଷଧ ନିଗମ, ଏବେ ନେଉନାହିଁ

ଭୁବନେଶ୍ବର : ରାସ୍ତା ଉପରେ କୋଟି କୋଟି ଟଙ୍କାର ମାସ୍କ, ପିପିଇ କିଟ୍, ସାନିଟାଇଜର ଟ୍ରକ୍‌ରେ ଲଦା ହୋଇଛି। ଏସବୁକୁ ଡେଲିଭରି ଦେବା ଲାଗି ଅର୍ଡର କରିଥିଲା ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ୍)। ମାତ୍ର ଏସବୁକୁ ଏବେ ଗ୍ରହଣ କରୁନାହିଁ। ଗତ କିଛିଦିନ ହେବ ଔଷଧୀୟ ସାମଗ୍ରୀ ନେଇ ବାହାର ରାଜ୍ୟରୁ ଆସିଥିବା ୨୨ରୁ ଅଧିକ ଟ୍ରକ୍ ରାଜଧାନୀରେ ଏଭଳି ଠିଆ ହୋଇଛି। ଏପଟେ ଡେଲିଭରି ପାଇଁ କ୍ରୟାଦେଶ ଅର୍ଡର ପାଇଥିବା କମ୍ପାନି ହତାଶ। କ’ଣ ପାଇଁ ନିଗମ ଔଷଧୀୟ ସାମଗ୍ରୀ ଗ୍ରହଣ କରୁନାହିଁ ସେମାନେ ବୁଝିପାରୁ ନାହାନ୍ତି।

ସେମାନଙ୍କୁ ଚଳିତମାସ ଶେଷ ସୁଦ୍ଧା ଅର୍ଡର ପହଞ୍ଚାଇବାକୁ କୁହାଯାଇଥିଲେ ହେଁ, ଡେଲିଭରି ଗ୍ରହଣ ନ କରିବା ପଛର କାରଣ ସେମାନେ ବୁଝିପାରୁ ନାହାନ୍ତି। ତେବେ ଆସନ୍ତାକାଲି ଏ ସଂପର୍କରେ ବଡ଼ ଧରଣର ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ମିଳିଛି।

କରୋନା ମହାମାରୀ ବିରୋଧରେ ଓଡ଼ିଶା ନିଜର ଲଢ଼େଇ ଜାରି ରଖିଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ମହାମାରୀରୁ ରକ୍ଷା କରିବା ଲାଗି ଆବଶ୍ୟକ ଷ୍ଟକ୍ ସଂଗ୍ରହରେ ଲାଗିଥିଲା ରାଜ୍ୟ ଔଷଧ ନିଗମ। ଏଥିପାଇଁ କମ୍ପାନିମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇବାକୁ ପଛାଇ ନ ଥିଲା। କ୍ରୟାଦେଶ ପାଇବାର ୭ଦିନ ଭିତରେ ଡେଲିଭରି ଦେଲେ ସଂପୂର୍ଣ୍ଣ ମୂଲ୍ୟ ଉପରେ ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଥିଲେ। ତେବେ ଏହା ଭିତରେ ରାଜ୍ୟ ଔଷଧ ନିଗମ ପକ୍ଷରୁ କୋଭିଡ୍‌ ମୁକାବିଲା ପାଇଁ ଦୁଇଟି ଭିନ୍ନ ଭିନ୍ନ ଦରରେ ତ୍ରିସ୍ତରୀୟ ମାସ୍କ କିଣାକୁ ନେଇ ବିବାଦ ଦେଖା ଦେଇଥିଲା। ହରିୟାନାର ଏକ କମ୍ପାନିଠାରୁ ୯ ଟଙ୍କା ୯୦ ପଇସା ମୂଲ୍ୟରେ ୫୦ ହଜାର ମାସ୍କ କିଣାଯାଇଥିବା ବେଳେ ତାମିଲନାଡ଼ୁର ଏକ କମ୍ପାନିଠାରୁ ୧୬ଟଙ୍କା ମୂଲ୍ୟରେ ୩୦ଲକ୍ଷ ମାସ୍କ କିଣାଯିବାକୁ ନେଇ ସନ୍ଦେହ ଉପୁଜିଥିଲା। ତେବେ ଏଥିପାଇଁ ସବୁକିଛି ନିୟମ ଅନୁଯାୟୀ ହୋଇଥିବା ନିଗମ କର୍ତୃପକ୍ଷ ସଫେଇ ଦେଇଥିଲେ। ଏହି ବିବାଦର କିଛିଦିନ ପରେ ଔଷଧ ନିଗମ ପୁନର୍ବାର ଆଉ ଏକ ବିବାଦରେ ଛନ୍ଦି ହୋଇଯାଇଛି।

ଏକାଧିକ ଟ୍ରକ୍‌ରେ ଭର୍ତି ପିପିଇ କିଟ୍‌, ମାସ୍କ, ସାନିଟାଇଜର ନିଗମ କାର୍ଯ୍ୟାଳୟରେ ପହଞ୍ଚିଥିଲେ ହେଁ, ଏହାକୁ ନିଗମ ରଖୁ ନ ଥିବା ଅଭିଯୋଗ ହୋଇଛି। ୨/୩ ଦିନ ପର୍ଯ୍ୟନ୍ତ ଏସବୁ ଟ୍ରକ୍ ନିଗମ କାର୍ଯ୍ୟାଳୟରେ ରହିବା ପରେ ସେଗୁଡ଼ିକୁ ଏବେ ମଞ୍ଚେଶ୍ବର ଆଡ଼କୁ ପଠାଇ ଦିଆଯାଇଛି। ଟ୍ରକ୍‌ରେ ଲଦା ହୋଇଥିବା ଔଷଧୀୟ ସାମଗ୍ରୀ କେବେ ଏହା ଅନ୍‌ଲୋଡ୍ ହେବ ତାହାକୁ ନେଇ ଟ୍ରକ୍ ଚାଳକମାନେ ଚିନ୍ତାରେ ପଡ଼ିଛନ୍ତି। ଏସବୁ ଔଷଧୀୟ ସାମଗ୍ରୀ ପଞ୍ଜାବ, ହରିୟାନା, ତାମିଲନାଡ଼ୁ, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଆସିଥିବା ଜଣାପଡ଼ିଛି। ନାମ ଗୋପନ ରଖିବା ସର୍ତରେ ଏକ କମ୍ପାନିର ମାଲିକ ‘ସମ୍ବାଦ’କୁ କହିଛନ୍ତି, ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ପିପିଇ କିଟ୍‌ର ଡେଲିଭରି ଦେବା ପାଇଁ ଔଷଧ ନିଗମ ପକ୍ଷରୁ କୁହାଯାଇଥିଲା। ଗତ ୨୬ତାରିଖରୁ ଡେଲିଭରି ଦେବା ପାଇଁ ଟ୍ରକ୍ ଭୁବନେଶ୍ବରରେ ପହଞ୍ଚି ସାରିଛି। ଇ-ମେଲ ଜରିଆରେ କମ୍ପାନିକୁ ନିଗମ ପକ୍ଷରୁ ଯେଉଁ କ୍ରୟାଦେଶ ଅର୍ଡର ଦିଆଯାଇଥିଲା; ଏଥିରେ ୩୧ତାରିଖ ସୁଦ୍ଧା ଡେଲିଭରି ପ୍ରଦାନ କରିବା କଥା ସ୍ପଷ୍ଟ ଭାବେ ଲେଖାଯାଇଛି। ତାହା ପୂର୍ବରୁ ଭୁବନେଶ୍ବରରେ ଜିନିଷ ପହଞ୍ଚି ସାରିଥିଲେ ହେଁ, କ’ଣ ପାଇଁ ଡେଲିଭରି ରଖାଯାଉ ନାହିଁ ତାହା ଜାଣିପାରୁନୁ। ଆମ ଟ୍ରକ୍ ଡ୍ରାଇଭର ସହିତ ଆଲୋଚନା ବେଳେ ହିଁ ଜିନିଷ ନିଆଯାଉ ନ ଥିବା ଜଣାପଡ଼ିଥିଲା। ତେବେ କେତେ ପରିମାଣର ପିପିଇ କିଟ୍‌ର କ୍ରୟାଦେଶ ମିଳିଥିଲା ବୋଲି ସଂପୃକ୍ତ କମ୍ପାନି ପକ୍ଷରୁ ସୂଚନା ଦିଆଯାଇ ନ ଥିଲା। ଆସନ୍ତାକାଲି ଏ ସଂପର୍କରେ ନିଷ୍ପତ୍ତି ହୋଇପାରେ ବୋଲି ସଂପୃକ୍ତ କମ୍ପାନିର ମାଲିକ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଟ୍ରକ୍ ଡ୍ରାଇଭରମାନେ ରାଜଧାନୀରେ ଡେଲିଭରି ଅପେକ୍ଷାରେ ପଡ଼ି ରହିଛନ୍ତି। ସେମାନଙ୍କ ପାଇଁ ଖାଇବା ରହିବାର କୌଣସି ସୁବିଧା ନ ଥିବା ବେଳେ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦିନକୁ ଥରେ ସେମାନଙ୍କୁ ଖାଇବାକୁ ଦିଆଯାଉଛି। ତେଣୁ ଯେତେଶୀଘ୍ର ଜିନିଷ ଖାଲି ହେବ ସେମାନେ ଭୁବନେଶ୍ବରରୁ ଯିବା ଲାଗି ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଆସନ୍ତାକାଲି ଔଷଧ ନିଗମର ପରିଚାଳନା ନିର୍ଦେଶିକା ଏ ସଂପର୍କରେ ନିଷ୍ପତ୍ତି ନେବେ। ଗତ ୨୭ତାରିଖ ସୁଦ୍ଧା ଡେଲିଭରି ପ୍ରଦାନର ଶେଷ ତାରିଖ ଥିଲା। ତେଣୁ କେଉଁ ଗାଡ଼ିଗୁଡ଼ିକ ୨୭ତାରିଖ ଭିତରେ ଆସିଛନ୍ତି ତାହାର ଯାଞ୍ଚ କରାଯିବ। ଏହାସହ ରାଜ୍ୟରେ ଷ୍ଟକ୍‌ର ଆବଶ୍ୟକତା ରହିଛି କି ନାହିଁ ତାହାର ଅନୁଧ୍ୟାନ କରାଯିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର