ଆଗଲପୁରରୁ ପଶ୍ଚିମବଙ୍ଗକୁ ହେଉଛି ଗୋ-ଚାଲାଣ; ୬ ଗିରଫ, କଣ୍ଟେନର ଜବତ, ୪୦ ଗୋରୁ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରୁ ପଶ୍ଚିମବଙ୍ଗକୁ ହେଉଛି ଗୋ-ଚାଲାଣ। ଏ ନେଇ ବହୁ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ଆଉ ଏବେ ଏହାର ପର୍ଦ୍ଦାଫାସ କରିଛି ଲୋଇସିଂହା ପୁଲିସ। ଆଗଲପୁର ବ୍ଲକ୍‌ ଅଂଚଳରୁ କଣ୍ଟେନରରେ ଗୋଚାଲାଣ ସମୟରେ ପୁଲିସ ଚଢ଼ଉ କରି ସଫଳତା ପାଇଛି। ଏଥିରେ ପଶ୍ଚିମବଙ୍ଗର ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ଅସିଫ ମୌଲା(୨୭), ସେଖ୍‌ ଅକବର ରେହମାନ(୪୨), ସେଖ୍‌ ମୁସିଆର(୩୨), ଆଜାରୁଦ୍ଦିନ ହାଜରା(୨୪), ସେଖ୍‌ କାଲୋ(୩୦), ନାଜିର ହୁସେନ ସେଖ(୩୩) ରହିଛନ୍ତି। ଏମାନେ ସମସ୍ତେ ହାୱଡ଼ା ଜିଲ୍ଲା ଉଲବେରିଆର ବୋଲି ଜଣାପଡ଼ିଛି। ସେମାନେ ସବୁ ଗୋରୁକୁ ମାରିବା ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗ ନେଉଥିବା ପୁଲିସ ସୂଚନା ଦେଇଛି। ୧୦ଚକିଆ କଣ୍ଟେନର (ଡବ୍ଲୁବି ୧୧ଡି ୮୯୮୮)କୁ ପୁଲିସ ଜବତ କରିଛି। ଚାଲାଣ ହେଉଥିବା ପ୍ରାୟ ୪୦ଟି ଗୋରୁକୁ ପୁଲିସ ଉଦ୍ଧାର କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ଗୋଚାଲାଣର ଖବର ପାଇ ଏକ ଟିମ୍‌ ଚଢ଼ଉ କରିଥିଲେ। ରୋଥ ପଟୁ ଆସୁଥିବା କଣ୍ଟେନରକୁ ଡୁଡୁକା ନିକଟରେ ପୁଲିସ ଅଟକାଇଥିଲା। ଗାଡ଼ିରୁ ଜଣେ ବାହାରକୁ ଦୌଡ଼ି ପଳାଇଥିଲା। ଗାଡ଼ିରେ ପଶ୍ଚିମବଙ୍ଗରୁ ଆସିଥିବା ୬ ଜଣ ଥିଲେ। ସେମାନେ କୌଣସି କାଗଜପତ୍ର ପୁଲିସକୁ ଦେଇ ପାରିନଥିଲେ। ଏପରିକି ପଚରାଉଚୁରା କରିବାରୁ ସେମାନେ ଗୋରୁଙ୍କୁ ଏଠାରୁ କିଣି ନେଇ ସେଠାରେ ଗୋମାଂସ ବିକ୍ରି କରିବା ଉଦ୍ଦେଶ୍ୟରେ ନେଉଥିବା ପୁଲିସକୁ କହିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର