ଟିକିରି : କାମରେ ଆସୁନି କାଞ୍ଜିଆ ହୁଦା, ରାସ୍ତା ଉପରେ ଗାଈଗୋରୁଙ୍କ ଯୋଗୁଁ ବଢୁଛି ଟ୍ରାଫିକ୍ ସମସ୍ୟା

ଟିକିରି : କାଶୀପୁର ବ୍ଲକ ଟିକିରି ଅଞ୍ଚଳରେ କିଛି ଲୋକେ ନିଜ ଗାଈଗୋରୁଙ୍କୁ ରାସ୍ତା ଉପରେ ଛାଡ଼ି ଦେଉଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେବା ସହିତ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଟିକିରି ମୁଖ୍ୟ ରାସ୍ତା ଉପରେ ଗାଈଗୋରୁ ଶୋଇ ରହୁଥିବାରୁ ସ୍ଥାନୀୟ ଉତ୍କଳ ଆଲୁମିନାକୁ ଯାତାୟାତ କରୁଥିବା ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପଟେ ଅନେକ ସମୟରେ ଗାଈଗୋରୁଙ୍କ ଗୋଡ଼ ଉପରେ ଗାଡ଼ି ଚଢ଼ି ଯାଉଥିବା ମଧ୍ୟ ନଜିର ରହିଛି। ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ନିଜ ଗୋରୁଙ୍କୁ ଆକଟ କରିବା ପାଇଁ ବାରମ୍ବାର ଗୋ-ମାଲିକଙ୍କୁ ତାଗିତ କରିବା ପରେ ମଧ୍ୟ କେହି ଖାତିର କରୁନାହାନ୍ତି। ବୁଲା ଗାଈଗୋରୁଙ୍କୁ ରୋକିବା ପାଇଁ ପଞ୍ଚାୟତ ତରଫରୁ କାଞ୍ଜିଆ ହୁଦା ନିର୍ମାଣ କରାଯାଇଛି। ଗତ ଦିନ ମାନଙ୍କରେ ଫସଲ ନଷ୍ଟ କରୁଥିବା ଗୋରୁଙ୍କୁ କ୍ଷତିଗ୍ରସ୍ତ ଚାଷୀ କାଞ୍ଜିଆ ହୁଦା ନିଲାମଧାରୀ ଠିକାଦାର କିମ୍ବା ପଞ୍ଚାୟତର ଜିମା ଦେଉଥିଲେ। ଏହାପରେ ଗୋରୁ ଗୁଡ଼ିକୁ କାଞ୍ଜିଆ ହୁଦାରେ ଅଟକ ରଖି ଖାଇବାକୁ ଦିଆଯାଉଥିଲା। ପରେ ଗୋ-ମାଲିକ ‌ଜୋରିମାନା ଦେଇ ନିଜ ଗୋରୁଙ୍କୁ ମୁକୁଳାଉଥିଲେ। ଏହିି ଭୟରେ ଗତ ଦିନରେ ଗୋ-ମାଲିକ ମାନେ ନିଜ ଗୋରୁଙ୍କୁ ବାହାରକୁ ନଛାଡ଼ି ଗୁହାଳରେ ବାନ୍ଧି ସେବା ଯତ୍ନ କରୁଥିଲେ। କିନ୍ତୁ ବର୍ତମାନ କାଞ୍ଜିଆ ହୁଦା ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବାରୁ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ସେହିପରି ଘାସ ମିଳୁନଥିବାରୁ ଗାଈଗୋରୁମାନେ ଦୋକାନ ବଜାରରେ ଅଇଁଠାପତ୍ର ଭଳି ଖାଦ୍ୟ ଖାଇ ବଞ୍ଚୁଛନ୍ତି। ଗୋରୁ ଚରିବା ପାଇଁ ଗୋଚର ଜମିକୁ ପୁନରୁଦ୍ଧାର କରିବା ସହ ଗୁହାଳରେ ଆକଟ ରଖିବା ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର