ଗଞ୍ଜାମ ପୁଲିସର ଏନ୍‌କାଉଣ୍ଟର : ଦୀପାବଳିରେ ପଡ଼ିଲା ଦୁର୍ଦ୍ଦାନ୍ତ ଟିଙ୍ଗିରି

ଗୁଳି ମାରିଲା, ଗୁଳି ଖାଇଲା

ଆସିକା : ଦୀପାବଳିରେ ଗଞ୍ଜାମ ପୁଲିସର ‘ଅପରେସନ କ୍ରିମିନାଲ୍ କ୍ଲିନ୍‌’। ଏହାର ୫୯ତମ ଏନ୍‌କାଉଣ୍ଟରର ଶିକାର ହୋଇଛି ଟିଙ୍ଗିରି ଓରଫ୍‌ ପି.ଶିବଶଙ୍କର ଦୋରା। ଗତକାଲି ରାତି ୧୦ଟାରେ ପାଣ୍ଡିଆପଥର ଗ୍ରାମରେ ଟିଙ୍ଗିରି ମାଉଜର୍ ଧରି ଆତଙ୍କ ସୃଷ୍ଟି କରିବା ସହ ଜଣେ ଯୁବକଙ୍କୁ ଗୁଳି କରି ଚମ୍ପଟ୍ ମାରିଥିଲା। ଏହାପରେ ଆସିକା ପୁଲିସ ଟିଙ୍ଗିରିକୁ ଧରିବାକୁ ଅପରେସନ୍ ଆରମ୍ଭ କରିବା ସହ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଚାରିମଇଲି ଛକରେ ଏନ୍‌କାଉଣ୍ଟର୍ କରିଥିଲା। ତାର ବାମ ଆଣ୍ଠୁରେ ଗୁଳି ବାଜିଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଆସିକା ଥାନା ପାଣ୍ଡିଆପଥର ଗ୍ରାମର ମୂଳବାସିନ୍ଦା ଟିଙ୍ଗିରି ନାଁରେ ଆସିକା ଓ ଧରାକୋଟ ଥାନାରେ ବହୁ ଅପରାଧ ମାମଲା ରହିଛି। ଏହାସହ ଯୁବ କଂଗ୍ରେସ ନେତା ମନୋଜ ଜେନା ହତ୍ୟାକାଣ୍ଡରେ ତାର ସଂପୃକ୍ତିକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଗତକାଲି ରାତି ପ୍ରାୟ ୧୦ଟାରେ ପାଣ୍ଡିଆପଥର ଗ୍ରାମରେ ଦୀପାବଳି ପାଳନ ହେଉଥିବା ସମୟରେ ଟିଙ୍ଗିରି ତାର ପଲଟଣ ସହ ମାଉଜର୍ ଧରି ଆତଙ୍କ ଖେଳାଇଥିଲା। ଏକ ଜନଗହଳି ସ୍ଥାନରେ ସେହି ଗ୍ରାମର ବଳରାମ ସେଠୀଙ୍କୁ ଧମକଚମକ ଦେବା ସହ ତାଙ୍କ ବାମ ପାଦକୁ ଗୁଳି କରି ସେଠାରୁ ଚମ୍ପଟ୍ ମାରିଥିଲା। ବଳରାମଙ୍କୁ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ଏହାସହ ଥାନାରେ ବାପା ଯୁଧିଷ୍ଠିରଙ୍କ ଏତଲା କ୍ରମେ କେସ ନମ୍ବର ୩୯୬/୧୯ ଅନୁସାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା।

ପୁଲିସ ସଂଗେ ସଂଗେ ଟିଙ୍ଗିରିକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା। ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଟିଙ୍ଗିରି ତାର ସହଯୋଗୀ ସହ ଚାରିମଇଲି ଆଡ଼କୁ ଆସୁଥିବା ସୂଚନା ମିଳିଥିଲା। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଜଗି ରହିଥିଲେ। ଟିଙ୍ଗିରି ଓ ତା ସହଯୋଗୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟିଙ୍ଗିରି ବାଇକ୍ ନଅଟକାଇ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା। ପରେ ପୁଲିସ୍‌ ପକ୍ଷରୁ ପାଲଟା ଗୁଳି ତାର ବାମ ଆଣ୍ଠୁରେ ବାଜିବାରୁ ସେ ପଡ଼ି ଯାଇଥିଲା। ସହଯୋଗୀ ସେଠାରୁ ଫେରାର୍ ହେବାରେ ସମର୍ଥ ହୋଇଥିଲା। ପୁଲିସ୍‌ ତାଠାରୁ ଏକ ନମ୍ବରବିହୀନ କଳା ରଙ୍ଗର ଆପାଚି ବାଇକ୍, ଗୋଟିଏ ମାଉଜର୍ ଓ ଦୁଇଟି ଗୁଳି ଜବତ କରିଛି। ଗୁଳି ବିନିମୟରେ ଏସ୍‌ଆଇ ବିଶ୍ବଜିତ୍ ନାୟକ ଓ କନଷ୍ଟେବଳ ପ୍ରଦୀପ ସାହୁ ମଧ୍ୟ ଆହତ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଟିଙ୍ଗିରି ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଆସିକା ଥାନା ଇଲାକାରେ ଏହା ହେଉଛନ୍ତି ୧୨ ନମ୍ବର ଏନ୍‌କାଉଣ୍ଟର୍। ଏହା ପୂର୍ବରୁ ଗତ ଅଗଷ୍ଟ ୫ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁକୁ ପୁଲିସ ଏନ୍‌କାଉଣ୍ଟର୍ କରିଥିଲା।

ସମ୍ବନ୍ଧିତ ଖବର