ଚିଲିକାରେ କୁମ୍ଭୀର ! ଭାଇରାଲ ଭିଡିଓକୁ ନେଇ ଲୋକେ ଆତଙ୍କିତ, ଡିଏଫ୍‌ଓ କହିଲେ ଗୁଜବ

ବ୍ରହ୍ମଗିରି : ଚିଲିକାରେ କୁମ୍ଭୀର ବୁଲୁଛି। ସାତପଡ଼ାରୁ ଜହ୍ନିକୁଦା ଯିବା ରାସ୍ତାରେ ମଝି ଚିଲିକାରେ ଏକ ପଠା ଉପରେ କୁମ୍ଭୀର ଶୋଇଛି। ଡଙ୍ଗାରେ ଯାତ୍ରୀ ପାରି ହେବା ବେଳେ କୁମ୍ଭୀର ପୁଣି ଚିଲିକା ପାଣିକୁ ଚାଲି ଯାଉଛି। ଏମିତି ଏକ ୧୦ ସେକେଣ୍ତର ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଦୁଇ ଦିନ ହେଲାଣି ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଭିଡିଓରେ ଡଙ୍ଗାରେ ଯାତ୍ରୀ ପାରି ହେବା ବେଳେ ଏହି ଭିଡିଓ ଉତ୍ତୋଳନ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବା ପରେ ବନ ବିଭାଗ ଓ ସିଡିଏ ତତ୍ପର ହୋଇଛି।

ଏ ନେଇ ଚିଲିକା ୱାଇଲ୍ଡ ଲାଇଫ୍‌ ଡିଭିଜନ୍‌ ଦାୟିତ୍ବରେ ଥିବା ପୁରୀ ଡିଏଫ୍‌ଓ ପି. ରାମସ୍ବାମୀଙ୍କୁ ପଚାରିବାରେ ସେ କୁହନ୍ତି ଭିଡିଓ ଭାଇରାଲ ହେବା ଖବର ପହ‌ଞ୍ଚିବା ପରେ ଭିଡିଓକୁ ଯାଞ୍ଚ‌ କରାଯାଇଛି। ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ୪ଟି ଟିମ୍‌ ଚିଲିକାର ବିଭିନ୍ନ ଅଞ୍ଚଳ ବୁଲି ତଦନ୍ତ କରିଛନ୍ତି। ଭିଡିଓରେ ଦେଖା ଯାଉଥିବା ପଠାଟି ଚିଲିକାରେ ନାହିଁ। ଏଭଳି ପଠା ଗହୀରମଥା, ରାଜନଗର ଅଞ୍ଚଳର ହୋଇଥାଇପାରେ ବୋଲି ସେ କହିଛନ୍ତି। ଚିଲିକାକୁ କୌଣସି କୁମ୍ଭୀର ଆସିନାହିଁ। ଏହି ଭିଡିଓର କୌଣସି ସତ୍ୟତା ନାହିଁ, ଏହା ଏକ ଗୁଜବ। ତେଣୁ ଏଥିରେ କେହି ଭୟଭୀତ ନ ହେବାକୁ ଡିଏଫ୍‌ଓ ସୂଚନା ଦେଇଛନ୍ତି। ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି।

ସମ୍ବନ୍ଧିତ ଖବର