ଉଜୁଡିଲା ୨ ଲକ୍ଷ ହେକ୍ଟର : ଚାଷୀଙ୍କୁ ମିଳିବନି କ୍ଷତିପୂରଣ!

ଯାଜପୁର/ଜଗତ୍‌ସିଂହପୁର/କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଅଞ୍ଚଳର ଜଣେ ଚାଷୀ ହେଉଛନ୍ତି ନାରାୟଣ ମହାନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ତାଙ୍କର ପାଖାପାଖି ୫ ଏକର ଜମିର ଧାନଫସଲ ନଷ୍ଟ ହୋଇଯାଇଛି। ମାତ୍ର, ସରକାରଙ୍କ ଗାଇଡ଼ଲାଇନ୍‌ ଅନୁସାରେ ତାଙ୍କୁ ସହାୟତା ମିଳିବନି। ଯେଉଁ ପ୍ରକ୍ରିୟାରେ ସରକାର କ୍ଷତିପୂରଣର ବ୍ୟବସ୍ଥା କରିଛନ୍ତି, ସେଥିରେ ତାଙ୍କୁ ମିଳିବ କି ନାହିଁ ତାହାକୁ ନେଇ ସେ ସନ୍ଦେହରେ ଅଛନ୍ତି। କେବଳ ନାରାୟଣ ନୁହନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳର ଶହଶହ ଚାଷୀ ଏହିଭଳି ଆଶଙ୍କାରେ ରହିଛନ୍ତି।

ଗତ ୧୫ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଶହଶହ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। କେତେ ପରିମାଣର କ୍ଷୟକ୍ଷତି ହୋଇଛି, ପ୍ରଶାସନ ସ୍ତରରେ ଏନେଇ କୌଣସି ହିସାବ କରାଯାଇନାହିଁ। ତେବେ, ବେସରକାରୀ ସ୍ତରରେ ହୋଇଥିବା ହିସାବ ଅନୁସାରେ ଯାଜପୁର ଜିଲ୍ଲାର ୧ଲକ୍ଷ ୮ ହଜାର ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ୬୨ ହଜାର ହେକ୍ଟର ଓ ଜଗତ୍‌ସିଂହପୁର ଜିଲ୍ଲାରେ ୪୦ ହଜାର ହେକ୍ଟର ଜମି ପ୍ରଭାବିତ ହୋଇଛନ୍ତି। ୩ଟି ଜିଲ୍ଲାକୁ ମିଶାଇଲେ କ୍ଷତି ହୋଇଥିବା ଜମିର ସମୁଦାୟ ପରିମାଣ ୨ଲକ୍ଷ ୧୦ ହଜାର ହେକ୍ଟର ହେବ। ମାତ୍ର, ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ସିଧାସଳଖ କ୍ଷୟକ୍ଷତି ପୂରଣ ମିଳିବ ନାହିଁ। ଏଥିରେ ବାଧକ ହେଉଛି ସରକାରଙ୍କ ଗାଇଡଲାଇନ୍‌।

ରାଜ୍ୟ ସରକାର କହୁଛନ୍ତି, ଗୋଟିଏ ଦିନରେ ୧୨୪.୫୫ ମିମି ବର୍ଷା ହୋଇଥଲେ ଯାଇ ସମ୍ପୃକ୍ତ ବ୍ଲକ୍‌କୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯିବ। ଏବଂ, ତଦନୁଯାୟୀ କ୍ଷତିପୂରଣ ମିଳିବ। ୩ ଦିନ ମଧ୍ୟରେ ଜଗତ୍‌ସିଂହପୁର ଜିଲ୍ଲାରେ ସମୁଦାୟ ୯୬୮ ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ୮୦୭ ମିମି ଓ ଯାଜପୁର ଜିଲ୍ଲାରେ ୭୦୫.୦୨ ମିମି ବର୍ଷା ହୋଇଛି। ମାତ୍ର, କୌଣସି ଦିନ ଗୋଟିଏ ବ୍ଲକ୍‌ରେ ୧୨୪.୫ ମିମିରୁ ଉର୍ଦ୍ଧ୍ୱ ବର୍ଷା ହୋଇନାହିଁ। ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୧୬ ତାରିଖ ଦିନ ଜଗତ୍‌ସିଂହପୁର ଜିଲ୍ଲା ନ୍ତର୍ଗତ ରଘୁନାଥପୁର ବ୍ଲକ୍‌ରେ ସର୍ବାଧିକ ୮୦ ମିମି ବର୍ଷା ହୋଇଥିବାବେଳେ ଆଜି ତିର୍ତ୍ତୋଲ ବ୍ଲକ୍‌ରେ ସର୍ବାଧିକ ୮୦ ମିମି ବର୍ଷା ହୋଇଛି। ୧୭ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜନଗରରେ ସର୍ବାଧିକ ୭୫ ମିମି ବର୍ଷା ହୋଇଛି। ସେହିଭଳି, ଆଜି ଯାଜପୁରର ବିଂଝାରପୁର ବ୍ଲକ୍‌ର୍ରେ ସର୍ବାଧିକ ୭୦.୦୨ ମିମି ବର୍ଷା ହୋଇଛି। ଏହି ୩ଟି ଜିଲ୍ଲା ଅନ୍ତର୍ଗତ ଅନ୍ୟ ବ୍ଲକ୍‌ମାନଙ୍କରେ ୧୫ ତାରିଖରୁ ୧୮ ତାରିଖ ୪ଦିନ ମଧ୍ୟରେ ବର୍ଷା ପରିମାଣ ଅପେକ୍ଷାକୃତ କମ୍‌ ରହିଛି। ଏହି ପରିମାଣର ବର୍ଷା ଯୋଗୁ ଚାଷୀମାନେ ସିଧାସଳଖ କ୍ଷତିପୂରଣରୁ ବଞ୍ଚତ ହୋଇଛନ୍ତି, ଯଦିଓ ଶହଶହ ଚାଷୀଙ୍କ ହଜାରହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି।

କ୍ଷତିପୂରଣ ପାଇଁ ସରକାରଙ୍କ ଯେଉଁ ଦ୍ୱିତୀୟ ପ୍ରକ୍ରିୟା ରଖିଛନ୍ତି ତାହା ଅତ୍ୟନ୍ତ ଜଟିଳ। କୃଷି ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଆଜିଠାରୁ ପଞ୍ଚାୟତ ଅଧିକାରୀମାନେ କ୍ଷୟକ୍ଷତି ଆକଳନ ଆରମ୍ଭ କରିଛନ୍ତି। ସେମାନେ ରିପୋର୍ଟ ଦେବା ପରେ କୃଷି ବିଭାଗର ଏକ ଟିମ୍‌ ମିଳିତ ତଦନ୍ତ କରିବେ। ଏବଂ, ଅମଳ ସମୟରେ କ୍ରପକଟିଂକୂ ଆକଳନ କରିବା ପରେ ଯାଇ କ୍ଷତିପୂରଣ ଦେବେ। ସରକାରଙ୍କ ହିସାବ ଅନୁଯାୟୀ, ୧ ହେକ୍ଟର ଜଳସେଚିତ ଜମିରେ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିଲେ ୧୩,୫୦୦ ଟଙ୍କା ପ୍ରଦାନ କରାଯିବ। ୧ ହେକ୍ଟର ଅଣଜଳସେଚିତ ଜମିରେ ଏହି ପରିମାଣର କ୍ଷତି ପାଇଁ ୬,୮୦୦ ଟଙ୍କା ପ୍ରଦାନ କରାଯିବ। ସେହିଭଳି, ଫସଲ ବୀମାଭୁକ୍ତ ହୋଇଥିଲେ କ୍ଷତିପୂରଣ ବାବଦରେ ୪୬,୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ତେବେ,‘ ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ। ଖଳା ଖଳା ବୁଲି କୃଷି ବିଭାଗ ଆକଳନ କରିବା ଆଦୌ ସମ୍ଭବପର ନୁହେଁ। ଯେଉଁଥିପାଇଁ ନଷ୍ଟ ହୋଇଥିବା ଫସଲ ବାବଦରେ କ୍ଷତିପୂରଣ ପାଇବାର ଆଶା ବହୁତ କମ୍‌’ ବୋଲି ବହୁ ଚାଷୀ କହିଛନ୍ତି।

ଅନ୍ୟପକ୍ଷରେ, ‘ କ୍ଷତିପୂରଣ ପାଇଁ ସରକାର ୧୨୪.୫ ମିମିକୁ ଏକ ମାପଦଣ୍ଡ ଭାବେ ଗ୍ରହଣ କରିଛନ୍ତି। ଏହିଦୃଷ୍ଟିରୁ କମ୍‌ ବର୍ଷା ହୋଇଥିବା ଅଞ୍ଚଳକୁ କ୍ଷତିପୂରଣ ମିଳିବନାହିଁ। ଅନ୍ୟପକ୍ଷରେ, ତଦନ୍ତ ପରେ ଯାଇ ଯାହା କିଛି ବ୍ୟବସ୍ଥା କରାଯିବ,’ ବୋଲି କହିଛନ୍ତି ରାଜଲକ୍ଷ୍ମୀ ନାୟକ, ଯାଜପୁର ଜିଲ୍ଲାର ଜରୁରୀକାଳୀନ ଅଧିକାରୀ।

ସମ୍ବନ୍ଧିତ ଖବର