ଚାଷୀ ଛଟପଟ, ନେତା ବୟାନବାଜିରେ ବ୍ୟସ୍ତ

କୃଷି ମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କଲା ବିଜେପି, ଦାମଙ୍କ ଜବାବ, ବିଜେପି ପ୍ରଭାରୀ ଡିଜି ହୋଇଯାନ୍ତୁ

ଭୁବନେଶ୍ୱର : ଚାଷୀ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ଧରାପଡିଯିବା ପରେ ଏବେ ଉଭୟ ଏ ପ୍ରସଙ୍ଗକୁ ହାଲକା କରିବା ଲାଗି ବିଧିବଦ୍ଧ ଷଡ଼୍‍ଯନ୍ତ୍ର ଚଳାଇଛନ୍ତି। ଚାଷୀ ସ୍ୱାର୍ଥ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତେ କାହାର ଚାଷୀଙ୍କ ପ୍ରତି ବେଶୀ ଦରଦ ଅଛି, ତାହା ଦେଖାଇବା ଲାଗି ଉଭୟ ବିଜେପି-ବିଜେଡି ମଧ୍ୟରେ ବୟାନବାଜି ଚାଲିଛି। ଆଜି ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କୁ ଟାର୍ଗେଟ କରିବା ସହିତ ତାଙ୍କୁ ଜେଲ ପଠାଇବା ଲାଗି ଦାବି କରିଛନ୍ତି। ଚାଷୀ ପ୍ରସଙ୍ଗରେ ଯେତେ ଚେତାଇଲେ ବି ରାଜ୍ୟ ସରକାର ଚେତୁନାହାନ୍ତି, ଏଣୁ ଚାଷୀ ସମସ୍ୟା ନେଇ ଆସନ୍ତା ୧୯ ତାରିଖରେ ଦଳର ଜରୁରି ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହାର ପାଲଟା ଜବାବ ଦେଇଛନ୍ତି ମନ୍ତ୍ରୀ।

ବିଜେପି ପ୍ରଭାରୀ ଶ୍ରୀ ସିଂହ କହିଲେ, ବରଗଡ ଜିଲ୍ଲା କଳାପାଣିର ବୃନ୍ଦା ସାହୁ ଓଡିଆ ଚାଷୀଙ୍କ ସମସ୍ୟା ଓ ଦୁର୍ଦିନର ପ୍ରତୀକ ଭାବେ ଉଭା ହୋଇଛନ୍ତି। ବୃନ୍ଦା ସାହୁଙ୍କ ପରି ଅନେକ ଚାଷୀଙ୍କ ଜୀବନର ଦୁଃଖଦ ଅନ୍ତ ଘଟିଛି। ଓଡ଼ିଶାର ଚାଷୀ ସ୍ୱଳ୍ପବୃଷ୍ଟି କାରଣରୁ ଫସଲ ହାନି ଓ ଚକଡା ପୋକ ଆକ୍ରମଣରେ ଫସଲ ନଷ୍ଟର ସମ୍ମୁଖୀନ ହୋଇଛି। ଏପରି ସମୟରେ ରାଜ୍ୟର ଚାଷୀକୂଳଙ୍କୁ ସମବେଦନା ଜଣାଇବା ବଦଳରେ ରାଜ୍ୟର ମନ୍ତ୍ରୀମାନେ ଚାଷୀମାନଙ୍କୁ ଉପହାସ କରି କଟା ଘା’ରେ ଚୂନ ଲଗାଉଛନ୍ତି। ମୁଖ୍ୟମନ୍ତ୍ରୀ ନିରବରେ ଚାଷୀ ଯନ୍ତ୍ରଣାକୁ ପାଟି ବନ୍ଦ କରି ଦେଖୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ, ଲଜ୍ଜାଜନକ, ଏବଂ ଦୁଃଖଦାୟକ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।
ହେଲେ କୃଷିମନ୍ତ୍ରୀ ଡାକ୍ତର ରାଉତ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ଅରୁଣ ସିଂହ ପ୍ରଭାରୀ ପଦ ଛାଡ଼ି ଓଡ଼ିଶା ଡିଜି ହୋଇଯାଆନ୍ତୁ। ସେ କଣ ଜାଣିନାହାନ୍ତି କୃଷି ହେଉଛି ରାଜ୍ୟର ବିଷୟ। କୃଷି ଓ କୃଷକଙ୍କ କଥା ବୁଝିବା ରାଜ୍ୟ ସରକାରଙ୍କ ସାମ୍ବିଧାନିକ ଏବଂ ନୈତିକ ଦାୟିତ୍ୱ। ବିନା ନିମନ୍ତ୍ରଣରେ କେନ୍ଦ୍ରରୁ ଆସୁଥିବା ମନ୍ତ୍ରୀ ଓ ବିଜେପି ନେତାମାନେ ଓଡ଼ିଶାରେ ଗାଁକୁ ଗାଁ ବୁଲି ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଭାରତୀୟ ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ। ଏହାଛଡ଼ା ଚାଷୀ ମୃତ୍ୟୁକୁ ନେଇ ଯେଉଁ ଖେଳ ଖେଳାଯାଉଛି, ତାହାର ଫଳ ନିଶ୍ଚିତ ସେମାନେ ଭୋଗିବେ।

ମନ୍ତ୍ରୀ କହିଛନ୍ତି, ୨୦୦୦ ମସିହାରେ ନବୀନ ପଟ୍ଟନାୟକ କ୍ଷମତା ନେଲା ବେଳକୁ ରାଜ୍ୟରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ଥିଲା ୫୫ ଲକ୍ଷ ମେଟ୍ରିକ୍‌ ଟନ ଏବଂ ଗତ ୨୦୧୬-୧୭ ମସିହାରେ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ୧କୋଟି ୧୭ ଲକ୍ଷ ୧୮ ହଜାର ମେଟ୍ରିକ୍‌ ଟନ। ୨୦୧୬-୧୭ ମସିହାରେ ରେକର୍ଡ ପରିମାଣ ୯୮ ଲକ୍ଷ ୭୪ ହଜାର ମେଟ୍ରିକ୍‌ ଟନ ଚାଉଳ ଉତ୍ପାଦନ ହୋଇଛି । କେନ୍ଦ୍ର ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ଦେଶରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାର ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା, ସେଥିରେ ଓଡ଼ିଶାର କୃଷକଙ୍କ ଆୟ ଅଭିବୃଦ୍ଧିହାର ୮.୬୭ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ଓଡ଼ିଶାରେ କୃଷକମାନଙ୍କର ବାର୍ଷିକ ଆୟ ୨୩ ହଜାର ୨୭୬ ଟଙ୍କାରୁ ୫୩ ହଜାର ୪୫୦ ଟଙ୍କାରେ ପହଞ୍ଚିଥିଲା। ଏପରି ପରିସ୍ଥିତିରେ କେନ୍ଦ୍ରର ବିଜେପି ମନ୍ତ୍ରୀ ଏବଂ ପ୍ରଭାରୀ ଓଡ଼ିଶାର ଚାଷୀମାନଙ୍କୁ ବିଭ୍ରାନ୍ତ ପାଇଁ ଯେଉଁ ଅପପ୍ରଚାର ଚଳାଇଛନ୍ତି, ତାର ପରିସମାପ୍ତି ଘଟିବା ଉଚିତ୍‌ ବୋଲି କହିଛନ୍ତି କୃଷି ମନ୍ତ୍ରୀ।

ସମ୍ବନ୍ଧିତ ଖବର