ଲାଇସେନ୍ସ ପାଇଁ ଆରଟିଓ ଅଫିସ୍‌ରେ ବଢ଼ୁଛି ଭିଡ଼ : ପ୍ରାୟ ୨୫ ଲକ୍ଷ ଲୋକଙ୍କ ପାଖରେ ନାହିଁ ଡ୍ରାଇଭିଂ ଲାଇସେନ୍ସ୍

ରାଜ୍ୟରେ ୧୩ ଆରଟିଓ ଏବଂ ୬ ଏମଭିଆଇ ପଦବି ଖାଲି

ଭୁବନେଶ୍ବର : ନୂଆ ମୋଟର ଯାନ ଆଇନ ଲାଗୁ ପରେ ଏବେ ସାରା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି  ଲର୍ଣ୍ଣିଂ ଲାଇସେନ୍ସ, ଲାଇସେନ୍ସ ନବୀକରଣ, ଓ ଭାରୀଯାନଗୁଡ଼ିକର ପରମିଟ୍‌ ପ୍ରଦାନ କ୍ଷେତ୍ରରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ରାଜ୍ୟର ସମସ୍ତ ଆରଟିଓ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ଲାଗି ରହୁଛି। ରାଜ୍ୟ ସରକାର ପ୍ରଥମେ ୩ମାସ ସମୟ ଦେଇଥିଲେ। ବିଭିନ୍ନ ସ୍ଥାନରେ କ୍ୟାମ୍ପ ଅଫିସ୍‌ ମଧ୍ୟ ଖୋଲାଗଲା। ରବିବାର ମଧ୍ୟ କାର୍ଯ୍ୟାଳୟ ଖୋଲା ଯାଇଥିଲା। କିନ୍ତୁ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ରାଜ୍ୟ ସରକାର ପୁଣି ଥରେ ଆଉ ୩ ମାସ ସମୟ ଦେଇଛନ୍ତି, କାଗଜପତ୍ର ପ୍ରସ୍ତୁତି ପାଇଁ। ତଥାପି ଗହଳି କମୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି, ଏବେ ରାଜ୍ୟର ୧୩ଟି ଆରଟିଓ ଏବଂ ୭ଟି ଏମଭିଆଇ ପଦ ଖାଲି ପଡ଼ିଛି। କେବଳ ଆରଟିଓ ଓ ଏମଭିଆଇ ନୁହେଁ, ପରିବହନ କାର୍ଯ୍ୟାଳୟରେ ମଧ୍ୟ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି।
ଯାହା ସୂଚନା ମିଳିଛି, ବଲାଙ୍ଗୀର, ବୌଦ, ଭଞ୍ଜନଗର, ଦେଓଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ମାଲାକାନଗିରି, ନୟାଗଡ଼, ନୂଆପଡ଼ା, ଫୁଲବାଣୀ, ସୋନପୁର ଏବଂ ପୁଲିସ ମୋଟର ଟ୍ରାନ୍ସପୋର୍ଟ କାର୍ଯାଳୟରେ ଦୀର୍ଘ ଦିନ ଧରି ଆଞ୍ଚଳିକ ପରିବହନ ଅଧିକାରୀ ପଦବି ଖାଲି। ସେହିପରି ପୁରୀ, କେନ୍ଦୁଝର, ଭଦ୍ରକ, ରାଇରଙ୍ଗପୁର, ରାଉରକେଲା, ଛତ୍ରପୁରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏମ୍‌ଭିଆଇ ପଦବିରେ କେହି ନାହାନ୍ତି। ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଡ୍ରାଇଭିଂ ଟେଷ୍ଟ ନେବାକୁ ଏମଭିଆଇ ନ ଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।
Mint
ବଡ଼ କଥା ହେଉଛି, ପୂର୍ବରୁ ଗୋଟିଏ ପରିବାରରେ ଗୋଟିଏ ଗୋଟିଏ ବାଇକ୍‌ ଥିବା ବେଳେ ଏବେ ଗୋଟିଏ ପରିବାର ପିଛା ୩ରୁ ୪ଟି ବାଇକ୍‌ ଓ କାର୍‌। ମାତ୍ର ସେହି ଅନୁପାତରେ ଅଧିକ ଆରଟିଓ କାର୍ଯ୍ୟାଳୟ ଖୋଲା ଯାଉନାହିଁ କିମ୍ବା କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉନାହିଁ।
 ଅନ୍ୟପକ୍ଷରେ ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ବର୍ତମାନ ରାଜ୍ୟରେ ପାଖାପାଖି ୨୫ଲକ୍ଷ ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ। ସେମାନେ ଜରିମାନା ଭୟରେ ଲାଇସେନ୍ସ କରିବାକୁ ଚାହୁଥିବା ବେଳେ ବିଭିନ୍ନ କାର୍ଯ୍ୟାଳୟରେ ଆରଟିଓ ଓ ଏମ୍‌ଭିଆଇମା‌‌ନେ ନ ଥିବାରୁ  ଡ୍ରାଇଭିଂ ଟେଷ୍ଟ ଦେଇ ପାରୁନାହାନ୍ତି। ଅନ୍‌ଲାଇନ୍‌ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସଂଖ୍ୟକ ଆବେଦନ କାରଣରୁ ଅନ୍‌ଲାଇନ୍‌ରେ ଆବେଦନ କରିବା ସମ୍ଭବ ହେଉନାହିଁ।
ଆବଶ୍ୟକ ମୁତାବକ ଆରଟିଓ ପଦ ପାଇଁ କର୍ମଚାରୀଙ୍କୁ ପଦୋନ୍ନତି ମିଳୁ ନ ଥିବା ବେଳେ ଓଏଏସ୍‌ ଅଧିକାରୀମାନଙ୍କର ପ୍ରାୟ ଏତେଟା  ଅଭାବ ନାହିଁ। ପୂର୍ବଭଳି ଓଏଏସ୍ ଅଧିକାରୀମାନଙ୍କୁ ଆରଟିଓ ପଦବିରେ ନିଯୁକ୍ତି ମିଳିଲେ ସମସ୍ୟା‌ରେ ସୁଧାର ଆସି ପାରିବ।
ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ପରେ ଦେଶରେ ଗତ ସେପ୍ଟେମ୍ବର ୧ ତାରିଖରୁ ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ କରିବାକୁ  ସ୍ଥିର କରାଯାଇଥିଲା। କିନ୍ତୁ ଏଭଳି ସମସ୍ୟା ସୃଷ୍ଟି ହେବାରୁ ରାଜ୍ୟ ସରକାର ଦ୍ବିତୀୟ ଦଫା‌ରେ ଆଉ ୩ ମାସ କୋହଳ କରିଛନ୍ତି।
ସମ୍ବନ୍ଧିତ ଖବର