କଟକ ବାଲିଯାତ୍ରା : ଛପାଇଥିବା ସଂସ୍ଥା ପାଇନି ଗତ ବର୍ଷର ଟଙ୍କା, ଖତ ଖାଉଛି ‘ବାଲିଯାତ୍ରା ସ୍ମରଣିକା’ , ୭୫ ଭାଗ ବହି ବଣ୍ଟା ନହୋଇ ପଡ଼ି ରହିଛି

କଟକ : କଟକର ଐତିହାସିକ ବାଲିଯାତ୍ରା ଅବସରରେ ପ୍ରସ୍ତୁତ ସ୍ମରଣିକା ପାଇଁ ଖର୍ଚ୍ଚ ହେଉଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି। ବାଲିଯାତ୍ରା କଟକ ଉତ୍ସବ ନାମରେ ପ୍ରସ୍ତୁତ ଏହି ସ୍ମରଣିକା ପାଠକଙ୍କ ନିକଟରେ ତ ପହଞ୍ଚୁ ନାହିଁ, ବରଂ ଛପା ହେଉଥିବା ବହି ବର୍ଷବର୍ଷ ଧରି ପଡି ରହି ଖତ ଖାଉଛି। ଏହି ସ୍ମରଣିକା ପ୍ରକାଶନକୁ ନେଇ ଯେଉଁ ଅଭାବନୀୟ ତଥ୍ୟ ସାମନାକୁ ଆସିଛି, ତାହା ଅନେକକ ସଂସ୍କୃତିପ୍ରେମୀଙ୍କୁ ବ୍ୟଥିତ କରିଛି। ଏହି ସ୍ମରଣିକା ପ୍ରକାଶନର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଗତବର୍ଷ ଯେଉଁ ପ୍ରେସରେ ଏହି ସ୍ମରଣିକା ଛପା ଯାଇଥିଲା, ସେହି ପ୍ରେସ ଏଯାଏ ତା’ର ପ୍ରାପ୍ୟ ପାଇ ନଥିବା ବେଳେ ପ୍ରସ୍ତୁତ ହୋଇଥିବା ପୁସ୍ତିକାର ପଚସ୍ତରି ଭାଗରୁ ଅଧିକ ବହି ଏବେ ବି ସେଠାରେ ପଡି ରହିଛି। ଅର୍ଥାତ ପ୍ରସ୍ତୁତ ପୁସ୍ତିକା ଏଯାଏ ବଣ୍ଟା ଯାଇ ପାରି ନଥିବା ବେଳେ ପୁଣି ଚଳିତ ବର୍ଷ ପାଇଁ ସ୍ମରଣିକା ପ୍ରକାଶନ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।

ସୂଚନା ଅନୁଯାୟୀ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବାଲିଯାତ୍ରା ସ୍ମରଣିକା ନାମରେ ଏହି ପୁସ୍ତକ ପ୍ରତ୍ୟେକ ବର୍ଷ ପ୍ରକାଶ ପାଇ ଆସୁଛି। କଟକର ଜଗନ୍ନାଥ ପ୍ରୋସେସ ନାମକ ଏକ ପ୍ରତିଷ୍ଠିତ ପ୍ରକାଶସନ ସଂସ୍ଥା ଏହି ସ୍ମରଣିକା କିଛି ବର୍ଷ ହେଲା ଛପାଇ ଆସୁଛି। ତଥ୍ୟ ସମ୍ବଳିତ ଏହି ପୁସ୍ତକର ମାନକୁ ନେଇ ବି ବିଶେଷ କିଛି ଅଭିଯୋଗ ନଥାଏ। ବରଂ ସଂସ୍କୃତିପ୍ରେମୀ, ଲେଖକ, ସାହିତ୍ୟିକ ମାନଙ୍କର ଏଥିପ୍ରତି ଆଗ୍ରହ ଥାଏ। ଏହି ପୁସ୍ତକ ପାଇବାକୁ ଅନେକଙ୍କର ଆଗ୍ରହ ଥିଲେ ବି ତାହା ସମସ୍ତଙ୍କୁ ମିଳି ନଥାଏ। କିନ୍ତୁ ବାସ୍ତବ ଚିତ୍ର ଯାହା ସାମନାକୁ ଆସିଛି, ତାହା ସଂପୂର୍ଣ୍ଣ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।

ଗତବର୍ଷ ଜଗନ୍ନାଥ ପ୍ରୋସେସ ପ୍ରକାଶନ ସଂସ୍ଥାକୁ ୫୦୦ ସ୍ମରଣିକା ଛପାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ଖର୍ଚ୍ଚ ବାବଦରେ ବିଲ୍ ହୋଇଥିଲା ୧ ଲକ୍ଷ ୨୬ ହଜାର ଟଙ୍କା। କିନ୍ତୁ ସଂସ୍ଥାର ପରିଚାଳକ କହିବା ଅନୁଯାୟୀ ଗତବର୍ଷର ଟଙ୍କା ଏଯାଏ ତାଙ୍କୁ ମିଳି ନାହିଁ। ଚଳିତ ବର୍ଷ ସ୍ମରଣିକା ପ୍ରକାଶନ ପାଇଁ ବି କେହି ସେମାନଙ୍କୁ ଯୋଗାଯୋଗ କରି ନାହାନ୍ତି। ସବୁଠୁ ଉଦବେଗର କଥା ହେଲା ପ୍ରଶାସନ ୫ଶହରୁ ମାତ୍ର ୧୨୦ ପାଖାପାଖି ସ୍ମରଣିକା ନେଇଥିବା ବେଳେ ଏଯାଏ ପ୍ରାୟ ୩୮୦ ଖଣ୍ଡ ସ୍ମରଣିକା ସଂପୃକ୍ତ ଛପାଇ ଥିବା ସଂସ୍ଥା ନିକଟରେ ପଡ଼ି ରହିଛି।

ଅନ୍ୟପଟେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ମଧ୍ୟ ଟଙ୍କା ଦେବାରେ ବିଳମ୍ବ ଘଟଣାକୁ ସ୍ବୀକାର କରିଛନ୍ତି। ଶ୍ରୀ ସେଠୀ କହିଛନ୍ତି ଯେ ଗଲା ୨୫ ତାରିଖରେ ୧ ଲକ୍ଷ ୨୬ ହଜାର ଟଙ୍କାର ଚେକ୍ ପ୍ରସ୍ତୁତ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାରଙ୍କୁ ଦିଆଯାଇଛି। ତହସିଲଦାର ହୁଏତ ଖୁବଶୀଘ୍ର ସଂପୃକ୍ତ ସଂସ୍ଥାକୁ ଏହି ଚେକ୍ ପ୍ରଦାନ କରିବେ। ସଂସ୍କୃତି ଅଧିକାରୀ କହିବା ଅନୁଯାୟୀ ଚଳିତ ବର୍ଷ ଚୁକ୍ତି ମୁତାବକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ହାତରେ ପୁସ୍ତକ ପ୍ରକାଶନ ଦାୟିତ୍ବ ରହିଛି। ସଂପୃକ୍ତ ସଂସ୍ଥା ଟେଣ୍ଡର ଜରିଆରେ ଯାହାକୁ ଚୟନ କରିବ, ସିଏ ସ୍ମରଣିକା ଛପାଇବ। ଏଯାଏ ଏ ସଂପର୍କରେ ଚୂଡ଼ାନ୍ତ ହୋଇପାରି ନାହିଁ ବୋଲି ଅଧିକାରୀ ଶ୍ରୀ ସେଠୀ କହିଛନ୍ତି।

କିନ୍ତୁ ଏଭଳି ସ୍ମରଣିକା ପ୍ରକାଶନର ଉଦ୍ଦେଶ୍ୟ କ’ଣ ବୋଲି ଏବେ ଅନେକ ପ୍ରଶ୍ନ କରୁଛନ୍ତି। ସ୍ମରଣିକା ପ୍ରକାଶ ପାଉଛି କିନ୍ତୁ ବଣ୍ଟା ନହୋଇ ପଡି ରହୁଛି। ପ୍ରକାଶନ ସଂସ୍ଥାର ଦେୟ ବର୍ଷକ ପର୍ଯ୍ୟନ୍ତ ବି ଦିଆଯାଉନି। ଏହା କ’ଣ ସରକାରଙ୍କ ‘୫ଟି’ ମଧ୍ୟରୁ ସମୟ ଆଉ ସ୍ବଚ୍ଛତାର ନମୁନା କି ବୋଲି ପ୍ରଶ୍ନ ହେଉଛି।

ସମ୍ବନ୍ଧିତ ଖବର