ସମ୍ବଲପୁରରେ ସାଇବର୍‌ ଠକଙ୍କ ଆତଙ୍କ, ଆଇପିଏଲ୍‌ ନାଁରେ ଲୁଟିବାକୁ ଘୂରି ବୁଲିଛି ମେସେଜ୍‌

ସମ୍ବଲପୁର: ‘ଟାଟା ଆଇପିଏଲ୍‌ ଅଫର୍‌, ଗୁଜୁରାଟ୍‌ ଟାଇଟନ୍ସ ଫାଇନାଲ୍‌ ଜିତିବା ଖୁସିରେ ଟାଟା ପକ୍ଷରୁ ସମସ୍ତ ଭାରତୀୟ ଟେଲିକମ୍‌ ଉପଭୋକ୍ତାଙ୍କୁ ୫୯୯ ଟଙ୍କାର ତିନି ମାସିଆ ରିଚାର୍ଜ ମାଗଣାରେ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ତେଣୁ ତଳେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରି ଆପଣଙ୍କ ନମ୍ବରରେ ରିଚାର୍ଜ କରନ୍ତୁ।’ ଏଭଳି ମେସେଜ ପଢ଼ି ଜମା ବି ଲୋଭରେ ପଡ଼ନ୍ତୁ ନାହିଁ। ସାଇବର୍‌ ଠକମାନେ ଲୋକଙ୍କୁ ଠକିବା ପାଇଁ ଏଭଳି ଲୋଭ ଦେଖାଉଛନ୍ତି। ସେମାନେ ଦେଉଥିବା ଲିଙ୍କ୍‌ କ୍ଲିକ୍‌ କରିବା ଦ୍ବାର ଆପଣ ବି ସାଇବର ଠକେଇର ଶିକାର ହେବାର ସମ୍ଭାବନ ରହିଥିବା ସାଇବର୍‌ ବିଶେଷଜ୍ଞ କହିଛନ୍ତି।

ସାଇବର୍‌ ଲୁଟେରାଙ୍କ ଦୌରାତ୍ମ୍ୟ ସମ୍ବଲପୁରରେ ଲଗାତାର୍‌ ଭାବେ ବଢ଼ିବାରେ ଲାଗିଛି। ପ୍ରତିଦିନ ସାଇବର୍‌ ଠକମାନ ନୂଆ ନୂଆ ଉପାୟରେ ଲୋକଙ୍କୁ ଲୋଭ କିମ୍ବା ଭୟ ଦେଖାଇ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଅନେକ ଲୋକ ସେମାନଙ୍କ ଚତୁରତା ବୁଝି ନପାରି ଲୋଭରେ ପଡ଼ି ଠକେଇର ଶିକାର ମଧ୍ୟ ହେଉଛନ୍ତି। ରବିବାର ଗୋଟିଏ ଦିନରେ ୩ ଜଣ ୨ ଲକ୍ଷରୁ ଅଧିକ ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ବିଭିନ୍ନ ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ଅନ୍ୟପଟେ ଏବେ ସାଇବର୍‌ ଠକମାନେ ମାଗଣା ରିଚାର୍ଜ କରିବା ପାଇଁ ଲୋଭ ଦେଖାଉଥିବା ମେସେଜ୍‌ ପଠାଉଛନ୍ତି। ସମ୍ବଲପୁର ସହରରେ ଅନେକ ଲୋକଙ୍କୁ ଏଭଳି ମେସେଜ ଆସୁଥିବା ଦେଖିବାକୁ ମିଳିଛି।  ମେ’ ୨୯ ତାରିଖରେ ଆଇପିଏଲ୍‌-୨୦୨୨ର ନିର୍ଣ୍ଣାୟକ ମୁକାବିଲା ଖେଳାଯାଇଥିଲା। ଏଥିରେ ରାଜସ୍ଥାନ ରୟାଲ୍ସକୁ ହରାଇ ପ୍ରଥମ ଥର ଆଇପିଏଲ୍‌ରେ ସାମିଲ ହୋଇଥିବା ଗୁଜୁରାଟ୍‌ ଟାଇଟନ୍ସ ଦଳ ବିଜେତା ହୋଇଛି। ଏହାକୁ ଆଧାର କରି ସାଇବର୍‌ ଠକମାନେ ଏବେ ଲୋଭନୀୟ ମେସେଜ ଦେବା ଆରମ୍ଭ କଲେଣି। ସାଧାରଣ ମେସେଜ୍‌ ଠାରୁ ଆରମ୍ଭ କରି ହ୍ବାଟ୍ସଆପ୍‌ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମାଗଣା ରିଚାର୍ଜ ଦିଆଯାଉଥିବା ମେସେଜ୍‌ ଏବେ ଘୁରି ବୁଲୁଛି। ଏଭଳି ମେସେଜ ଦେଖି ଲୋଭରେ ପଡ଼ି କୌଣସି ଲିଙ୍କ୍‌ରେ କ୍ଲିକ୍‌ ନ କରିବାକୁ ସାଇବର୍‌ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର