ଅତି ଭୀଷଣ ରୂପ ନେଇପାରେ ‘ଆମ୍ଫାନ’ : ଓଡ଼ିଶା ଉପରେ ପ୍ରଭାବ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ, ୧୯ରେ ପ୍ରବଳ ବର୍ଷା ସମ୍ଭାବନା, ଉପକୂଳରେ ଅଧିକ

ଭୁବନେଶ୍ବର : ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋ‌ଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ୱେଲ୍‌ମାର୍କଡ୍‌ ଲୋ ପ୍ରେସରରେ ପରିଣତ ହୋଇଛି। ଆଗକୁ ଏହା କି ରୂପ ନେବ ତାହା ବର୍ତ୍ତମାନ ସୁଦ୍ଧା ସଠିକ୍‌ ଭାବେ ଜଣାପଡ଼ିନାହିଁ। ଏହା୧୬ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ରହିବା ସହ ବାତ୍ୟା ରୂପ ନେଇପାରେ। ୧୭ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ମଧ୍ୟ ଅଧିକ। ବାତ୍ୟାର ନାମ ‘ଆମ୍ଫାନ’ ରହିବ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେ ନେଇ ଏବେ ବି ବିଭିନ୍ନ ମଡ଼େଲ୍ ଭିନ୍ନ ଭିନ୍ନ ଚିତ୍ର ଆଙ୍କୁଛନ୍ତି। ତେବେ ଅଧିକାଂଶ ମଡେ଼ଲ କହୁଛି ଯେ ବାତ୍ୟା ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ କି ନାହିଁ, ତାହା ଜଣାପଡୁନାହିଁ। କିନ୍ତୁ ଏହାର ବଳୟ ଭିତରେ ଉପକୂଳ ଅଞ୍ଚଳ ରହିବ। ଆଉ କିଛି ମଡେଲର ସୂଚନା ହେଉଛି, ଓଡ଼ିଶା ବର୍ତିଯାଇପାରେ। ଯଦି ଏହାର ପ୍ରଭାବ ଓଡ଼ିଶାରେ ରହେ ତେବେ ୧୮ରୁ ୨୦ ତାରିଖ ଯାଏ ପ୍ରଭାବ ଅନୁଭୂତ ହେବ ଓ ୧୯ ତାରିଖ ଦିନ ଓଡ଼ିଶାରେ ଭୀଷଣ ବର୍ଷା ଓ ପବନ ହେବ। ଏହା ୨୦ ତାରିଖରେ ସ୍ଥଳ ଭାଗ ସ୍ପର୍ଶ କରିବ।

ଭାରତ ସରକାରଙ୍କର ଏନ୍‌ସିଇଓଏମ୍‌ ମଡେଲ କହୁଛି ଯେ ଏହା ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ଭୂ ଭାଗକୁ ସ୍ପର୍ଶ କରିପାରେ। ଆମେରିକାର ଏନ୍‌ସିଇପି ମଡେଲ କହୁଛି, ‌ଏହା ବାଂଲାଦେଶର ପୂର୍ବ ଉପକୂଳରେ ଚିଟାଗଙ୍ଗ ସହର ପାଖାପାଖି ସ୍ଥାନରେ ସ୍ଥଳ ଭାଗ ସ୍ପର୍ଶ କରିବ। ଭାରତୀୟ ପାଣିପାଗ ବିଭାଗର ଜିଏଫ୍‌ଏସ୍‌ ମଡେଲ କହୁଛି ଏହା ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ମଧ୍ୟରେ ସ୍ପର୍ଶ କରିପାରେ। ଭାରତୀୟ ପାଣିପାଗର ଜିଇଏଫ୍ଏସ୍‌ ମଡେଲ କହୁଛି ଏହା ଓଡ଼ିଶା ଘଷି ହୋଇ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଯିବାର ସମ୍ଭାବନା ରହିଛି। ଆକ୍ୟୁୱେଦର କହୁଛି ଯେ ଏହା ଉତ୍ତର ବଙ୍ଗୋପସାଗରର ମୁଣ୍ଡରେ ଥିବା ବାଂଲାଦେଶର ସୁନ୍ଦରବନ ଆଡ଼େ ଯିବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ବାତ୍ୟା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଆଉ କିଛି ତଥ୍ୟ ଅସ୍ପଷ୍ଟ ରହିଛି। ଯାହାଦ୍ବାରା କେଉଁ ମଡେଲର ଆକଳନ ଅଧିକ ଠିକ୍‌ ହେବ ଜଣାପଡ଼ୁନାହିଁ। ପ୍ରଥମଟି ହେଉଛି ବାତ୍ୟା ହେବା ପରେ ଭାରତର ପୂର୍ବ ଉପକୂଳର କେତେ ଦୂରରେ ରହିବ, ଯଦିବା ୧୭ ତାରିଖ ଓ ୧୮ ତାରିଖରେ ବାତ୍ୟାର ଦିଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି କେତେ ଆଗରୁ ଏହାର ଦିଗ ପରିବର୍ତ୍ତନ ହେବ, ଦିଗ ପରିବର୍ତ୍ତନ କେତେ ମାତ୍ରାରେ ହେବ, ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଏହାର ପ୍ରକୋପ କମିବ କି ନାହିଁ ତାହା ଏଯାଏ ଜଣାପଡିନାହିଁ। ଉତ୍ତର ବଙ୍ଗୋପସାଗରର ପରିସ୍ଥିତି ବାତ୍ୟାକୁ ଘନୀଭୂତ କରିବାକୁ ଅନୁକୂଳ ରହିଛି। ତେଣୁ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ, ଅର୍ଥାତ୍ ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟରରୁ ଅଧିକ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ବର୍ତ୍ତମାନ ଏପରି କେତେକ ଅସ୍ପଷ୍ଟ ପରିସ୍ଥିତିରେ କୁହାଯାଇପାରିବ ଯେ ଓଡ଼ିଶାରେ ବାତ୍ୟାର ପ୍ରଭାବକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଯଦି ପ୍ରଭାବ ପଡ଼େ ତେବେ ୧୮ରୁ ୨୦ ଭିତରେ ଏହାର ପ୍ରଭାବ ପଡ଼ିବ ଓ ୧୯ ତାରିଖ ଦିନ ଅଧିକ ପଡ଼ିବ। ଭ‌ାରି ବର୍ଷା ସହ ଅଧିକ ପବନ ବହିବ। ସମସ୍ତ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ଏଥିରେ ପ୍ରଭାବିତ ହୋଇପାରେ। ଏ ପରିସ୍ଥିତିରେ ଶ୍ରୀ ପଶୁପାଳକ କହିଛନ୍ତି ଯେ ଓଡ଼ିଶା ବାତ୍ୟାଠାରୁ ବର୍ତ୍ତିଯିବା ସମ୍ଭାବନା ରହିଛି। ତେବେ ୧୭ ତାରିଖ ଦିନ ତାହା ଅଧିକ ସ୍ପଷ୍ଟ ଭାବେ କହିହେବ। ବର୍ତ୍ତମାନ ପାଇଁ ଆତଙ୍କିତ ହେବାର କାରଣ ନାହିଁ। କେବଳ ସତର୍କ ରହିବା ଉଚିତ।

ସମ୍ବନ୍ଧିତ ଖବର