ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ଟପିଲା

ଯାଜପୁର-ବାଲେଶ୍ବର ସ୍ଥିତି ସଙ୍ଗିନ, ସୁସ୍ଥ ହେଲେ ଆଉ ୧୫ ଆକ୍ରାନ୍ତ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ କରୋନା ବିପଦ ଘନେଇବାରେ ଲାଗିଛି। ଜିଲ୍ଲାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୨୫୦ ପାର୍ କରିଛି। ଆଗାମୀ ଦିନରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ଫେରିବାକୁ ସମ୍ଭାବନା ଥିବାରୁ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ ରାଜ୍ୟର ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ ମଧ୍ୟ ଧୀରେ ଧୀରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହି ଦୁଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଛୁଇଁବା ପରିସ୍ଥିତିରେ ପହଞ୍ଚି ଯାଇଛି। ୨୪ଘଣ୍ଟାରେ ରାଜ୍ୟରେ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୨୪ରେ ପହଞ୍ଚିଛି। ଏଥିରେ ଅଧିକାଂଶ ସୁରତ ଓ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି। ଅପରପକ୍ଷରେ ଗତ ଲଗାତାର ୩ଦିନ ଧରି ରାଜ୍ୟରେ ସଂକ୍ରମିତ ସୁସ୍ଥ ହେବାଫଳରେ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣରୁ ସାମାନ୍ୟ ଆଶ୍ବସ୍ତି ଆଣିଛି।

ଗଞ୍ଜାମ ଜିଲ୍ଲାରେ ଆଜି ୪୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ସବୁ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି।

ଭଦ୍ରକ ଜିଲ୍ଲାରେ ୯ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ସୁରତ, ୩ଜଣ ପଶ୍ଚିମବଙ୍ଗ ଓ ଜଣେ କର୍ଣ୍ଣାଟକ ଫେରନ୍ତା ରହିଛନ୍ତି। ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ହିଁ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ଜିଲ୍ଲାରେ ୧୭ଜଣ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ହିଁ ଚିହ୍ନଟ ହୋଇଛନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲାର ୨ଜଣ ସଂକ୍ରମିତ ଅବରୋଧ ଅଞ୍ଚଳରୁ ଚିହ୍ନଟ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ମହାକାଳପଡ଼ା,‌ କେନ୍ଦ୍ରାପଡ଼ା ଓ କନିକା ବ୍ଲକ୍‌ର ସଙ୍ଗରୋଧ କେନ୍ଦ୍ରରେ ହିଁ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଥିବା ବେ‌ଳେ ସେମାନଙ୍କ ମଧ୍ୟରୁ କେହି ଜନସାଧାରଣଙ୍କ ସଂସ୍ପର୍ଶରେ ଆସିନାହାନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛିଦିନ ବ୍ୟବଧାନ ପରେ ପୁଣିଥରେ ଆଜି ଖୋର୍ଧା ଜିଲ୍ଲାରେ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତ ସୁରତ ଫେରନ୍ତା ହୋଇଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୧୨ଦିନ ଭି‌ତରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି। ରାଜ୍ୟର ୪୧ ପ୍ରତିଶତ ସଂକ୍ରମିତ କେବଳ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି। ବାଲେଶ୍ବରରେ ୯୦, ଯାଜପୁରରେ ୮୮, ଖୋର୍ଧା ୫୩, ଭଦ୍ରକ ୪୦, ସୁନ୍ଦରଗଡ଼ ୨୫, କେନ୍ଦ୍ରାପଡ଼ା ୨୨, ଅନୁଗଳରେ ୧୫, ମୟୂରଭଞ୍ଜରେ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏ ଯାଏ ୭୭୧୫୦ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୪୬୩ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ୫୯୪ଜଣ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲର ପୃଥକବାସରେ ରହିଛନ୍ତି।

ଅପରପକ୍ଷରେ ଆଜି ଯାଜପୁର ଜିଲ୍ଲାର ୧୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଯାଜପୁର ଜିଲ୍ଲାରେ ୪୮ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ କରୋନା ସୁସ୍ଥ ବ୍ୟକ୍ତିଙ୍କ ୧୫୮ରେ ପହଞ୍ଚିଛି। ଗତ ୩ଦିନ ଭିତରେ ୭୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର