ପୂର୍ବ ଉପକୂଳ ମୁହାଁ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଆମ୍ଫାନ୍‌’; ୧୮ରୁ ୨୦ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା

ଆମ୍ଫାନର ଲାଣ୍ଡଫଲ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି ଘରୋଇ ପାଣିପାଗ ସଂସ୍ଥା

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ସନ୍ଧ୍ୟାରେ ଗଭୀର ଅବପାତର ରୂପ ନେଇଛି। ଏହାକ୍ରମେ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଅର୍ଥାତ୍‌ ମେ ୧୬ ତାରଖ ସକାଳ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ‘ଆମ୍ଫାନ୍‌’ ନାମରେ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର।

ଏଥିସହ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାପରେ ଆମ୍ଫାନ୍‌ ମେ ୧୬ ତାରଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗତି କରିବ। ଏହା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବିଭିନ୍ନ ଦିଗକୁ ନିଜର ଗତିପଥ ପରିବର୍ତ୍ତନ କରି ଶେଷରେ ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁଦ୍ରିକ ଝଡ଼ଟି ଏହି ଦିଗରେ ଗତିଶୀଳ ହୋଇରହିବ ଏବଂ ୨୦ ତାରିଖରେ ସ୍ଥଳପଥକୁ ଅତିକ୍ରମ କରିବ। ତେବେ ଆମ୍ଫାନ୍‌ ନିର୍ଦ୍ଦିଷ୍ଟ ଭାବେ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ସେଥିନେଇ ଏବେଠାରୁ ପୂର୍ବାନୁମାନ କରିବା କଷ୍ଟସାଧ୍ୟ ବୋଲି କହିବା ସହ ଆମ୍ଫାନ ପ୍ରଭାବରେ ଓଡ଼ିଶା ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ପର୍ଯ୍ୟନ୍ତ ଦେଶର ସମଗ୍ର ପୂର୍ବ ଉପକୂଳ ପ୍ରଭାବିତ ହେବ ବୋଲି କହିଛି ଆଇଏମ୍‌ଡି।

Business Today

୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଦକ୍ଷିଣ ଉପକୂଳରୁ ଆରମ୍ଭ କରି ଉତ୍ତର ଉପକୂଳ ପର୍ଯ୍ୟନ୍ତ ସର୍ବତ୍ର ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର। ଏଥିସହ ଆମ୍ଫାନ୍‌ ପ୍ରଭାବରେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ର ସଂପୂର୍ଣ୍ଣ ଅଶାନ୍ତ ରହିବ। ସେଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ଦେଶର ପୂର୍ବ ଉପକୂଳରେ ରହିଥିବା ସମସ୍ତ ରାଜ୍ୟର ରାଜ୍ୟ ସରକାର ଓ ଏନ୍‌ଡିଆର୍‌ଏଫ୍‌କୁ ସତର୍କ ସୂଚନା ଜାରି କରିଛିି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର।

SkyMate Weather

ଆମ୍ଫାନ୍‌କୁ ନେଇ ଘରୋଇ ପାଣିପାଗ ସଂସ୍ଥାର ଭିନ୍ନମତ

ଅନ୍ୟପକ୍ଷରେ ସାମୁଦ୍ରିକ ବାତ୍ୟା ଆମ୍ଫାନ୍‌ର ଲାଣ୍ଡଫଲକୁ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ କରିଛନ୍ତି ଅନ୍ୟ ଦୁଇଟି ପ୍ରମୁଖ ଘରୋଇ ପାଣିପାଗ ବିଶ୍ଲେଷଣ ସଂସ୍ଥା। ଆମ୍ଫାନ୍‌ ସଂପର୍କରେ ପୂର୍ବନୁମାନ କରି ସ୍କାଇମେଟ୍‌ କହିଛି ଯେ ୧୯-୨୦ ତାରିଖ ମଧ୍ୟରେ ଆମ୍ଫାନ୍‌ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ସେହିପର ଅନ୍ୟତମ ଘରୋଇ ପାଣିପାଗ ବିଶ୍ଲେଷଣ ସଂସ୍ଥା ସାଇକ୍ଲୋନ୍‌ ଟ୍ରାକର ଆମ୍ଫାନ୍‌ ସଂପର୍କରେ ପୂର୍ବନୁମାନ କରି କହିଛି ଯେ ୨୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଆମ୍ଫାନ୍‌ ଉତ୍ତର ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ ନଚେତ୍‌ ନିଜ ଗତିପଥରେ ସାମାନ୍ୟ ଦିଗ ବଦଳାଇ ବାଂଲାଦେଶ ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ। ଆମ୍ଫାନ୍‌ର ଲାଣ୍ଡଫଲକୁ ନେଇ ଭିନ୍ନଭିନ୍ନ ପୂର୍ବନୁମାନ କରିଥିବା ସମସ୍ତ ସଂସ୍ଥା କିନ୍ତୁ ଏକମତ ହୋଇ ପୂର୍ବନୁମାନ କରିଛନ୍ତି ଯେ ଆମ୍ଫାନ୍‌ ପ୍ରଭାବରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଦକ୍ଷିଣ ଉପକୂଳରୁ ଆରମ୍ଭ କରି ଉତ୍ତର ଉପକୂଳ ପର୍ଯ୍ୟନ୍ତ ସର୍ବତ୍ର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ, ୟୁଏସ୍‌ ନାଭିର ଜଏଣ୍ଟ ଟାଇଫୁନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲ୍ୟୁସି) ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ଫାନକୁ ନେଇ କୌଣସି ପ୍ରକାରର ପୂର୍ବାନୁମାନ କରିନାହିଁ। ଆସନ୍ତାକାଲି ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ସାମୁଦ୍ରିକ ବାତ୍ୟା ଆମ୍ଫାନରେ ପରିବର୍ତ୍ତିତ ହେବାପରେ ହିଁ ଏହାକୁ ନେଇ ଜେଟିଡବ୍ଲ୍ୟୁସି ନିଜର ପୂର୍ବାନୁମାନ ପ୍ରକାଶ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର