ଲୋକଙ୍କ ମୃତଦେହ ଉପରେ ମିଛ ପ୍ରଚାର ବନ୍ଦ କରନ୍ତୁ ନବୀନ: ନିରଞ୍ଜନ

ଭୁବନେଶ୍ବର : ତିିତଲି ବାତ୍ୟା ଓ ବନ୍ୟାରେ ୧୬ଟି ଜିଲ୍ଲାର ପ୍ରାୟ ୬୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୩୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାର ଖବର ଆସିଛି। ସେ ପଟେ ସରକାର ଜିରୋ କାଜୁଆଲିଟି ମିଥ୍ୟା ପ୍ରଚାରରେ ବ୍ୟସ୍ତ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଏକ ପ୍ରେସ୍‌ ବିବୃତିରେ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ବାରଘର ଗ୍ରାମରେ ପ୍ରବଳ ବାତ୍ୟା ଓ ବର୍ଷା ପ୍ରଭାବରେ ପାହାଡ଼ ଧସିଯିବାରୁ ୧୮ଜଣ ଗ୍ରାମବାସୀ ମୃତ୍ୟୁବରଣ କରିବାର ସୂଚନା ଆସିଲା। ଇତି ମଧ୍ୟରେ ୧୬ଜଣଙ୍କର ମୃତଦେହ ଉଦ୍ଧାର ସରିଲାଣି। ଏ ଘଟଣାକୁ ପ୍ରାୟ ୩ ଦିନ ଧରି ରାଜ୍ୟ ପ୍ରଶାସନ ଲୁଚାଇ ରଖିଲେ। ମିଡିଆରେ ଖବର ଆସିବା ପରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଖବରକୁ ଲଘୁ କରିବାକୁ ପ୍ରଶାସନ ପକ୍ଷରୁ ଯେଉଁଭଳି ହୀନ ଉଦ୍ୟମ କରାଗଲା ତାହା ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି କହିଛନ୍ତି।

ଗଜପତି ଜିଲ୍ଲାର ୧୮ଜଣ ଆଦିବାସୀଙ୍କ ଜୀବନ ବଞ୍ଚାଇ ପାରିଥାନ୍ତା ଯଦି ପ୍ରଶାସନ ଜିରୋ କାଜୁଆଲିଟିର ମିଥ୍ୟା ପ୍ରଚାର ଛାଡ଼ି ସଂପୃକ୍ତ ଲୋକଙ୍କୁ ସୁରକ୍ଷିତ ଲୋକଙ୍କୁ ସ୍ଥାନାନ୍ତର କରିଥାନ୍ତା। ପ୍ରାଶାସନିକ ଅପାରଗତା ଯୋଗୁଁ ଏତେସଂଖ୍ୟକ ଲୋକ ମୃତ୍ୟୁବରଣ କଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତିି ନିରଞ୍ଜନ। ସୋମବାର ସେ ବାତ୍ୟା, ବନ୍ୟାରେ ସବୁଠାରୁ କ୍ଷତିଗ୍ରସ୍ତ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର