ଦୈନିକ ୧୦ହଜାର ଆର୍‌ଟି-ପିସିଆର୍‌ ନମୁନା ପରୀକ୍ଷା ହେବ

ଭୁବନେଶ୍ବର : ରାଜ୍ୟରେ ଏଣିକି ଦୈନିକ ୧୦ ହଜାରରୁ ଅଧିକ ଆରଟି-ପିସିଆର ନମୁନା ପରୀକ୍ଷା କରାଯିବ। କେବଳ ଆରଟି-ପିସିଆର ନୁହେଁ, ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ମଧ୍ୟ ପୂର୍ବଭଳି ଜାରି ରହିବ। ସମୁଦାୟ ଭାବେ ରାଜ୍ୟରେ ଦୈନିକ ୨୬ ହଜାର ୬୬୦ କୋଭିଡ ନମୁନା ପରୀକ୍ଷା କରାଯିବ। ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆରଟି-ପିସିଆର ନମୁନା ପରୀକ୍ଷାକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ରାଜ୍ୟରେ ଏବେ ଯେତିକି ସଂଖ୍ୟକ କୋଭିଡ୍ ନମୁନା ପରୀକ୍ଷା କରାଯାଉଛି, ତହିଁର ମାତ୍ର ୨୦/୨୫ ପ୍ରତିଶତ ଆରଟି-ପିସିଆର ନମୁନା ପରୀକ୍ଷା କରାଯାଉଛି। ଯାହାକି ଦେଶର ଅନ୍ୟ ରାଜ୍ୟ ତୁଳନାରେ କମ୍। ରାଜ୍ୟରେ ସମୁଦାୟ ୨୬ଟି ଆରଟି-ପିସିଆର୍‌ ପରୀକ୍ଷାଗାର ରହିଥିବା ବେଳେ ତହିଁରେ ୧୦ଟି ଘରୋଇ ପରୀକ୍ଷାଗାର ରହିଛି। ୧୬ଟି ପରୀକ୍ଷାଗାର ମଧ୍ୟରୁ ୭ଟି ମେଡିକାଲ କଲେଜରେ ରହିଥିବା ବେଳେ ଅନୁଗୁଳ, ପୁରୀ, ବାଲେଶ୍ବର, ପୁରୀ, କେନ୍ଦୁଝର, ଆଇଏଲଏସ୍‌, ଆଇଜରରେ ଆରଟି-ପିସିଆର ନମୁନା ପରୀକ୍ଷା କରିବାର ସୁବିଧା ରହିଛି। ଏହା ସତ୍ତ୍ବେ ରାଜ୍ୟରେ ଦୈନିକ କରାଯାଉଥିବା ପରୀକ୍ଷାର ୪୦ ପ୍ରତିଶତ ପର୍ଯ୍ୟନ୍ତ ଆରଟି-ପିସିଆର ପରୀକ୍ଷା ହୋଇପାରୁନାହିଁ। ଏହାସହ କେତେକ ଜିଲ୍ଲାର ଆରଟି-ପିସିଆର ପାଇଁ ନମୁନା ସଂଗ୍ରହ କରାଯାଉଥିଲେ ହେଁ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ବାବ୍‌କୁ ପରୀକ୍ଷାଗାରକୁ ପଠାଯାଉ ନାହିଁ। ତେଣୁ ନମୁନା ସଂଗ୍ରହ ଦିନ ହିଁ ଆରଟି-ପିସିଆର ପରୀକ୍ଷାଗାରକୁ ପଠାଇବାକୁ କୁହାଯାଇଛି। ହେଲେ ରାଜ୍ୟର ସବୁ ସ୍ଥାନରେ ଆରଟି-ପିସିଆର ନମୁନା ପରୀକ୍ଷା ସୁବିଧା ନାହିଁ। ତେଣୁ ବୌଦ୍ଧ, ଯାଜପୁର, ସୋନପୁର, ପୁରୀ, ନୟାଗଡ଼ ଭଳି ଜିଲ୍ଲାରୁ ଆରଏମ୍‌ଆରସିକୁ ନମୁନା ପରୀକ୍ଷା ପଠାଇବାକୁ କୁହାଯାଇଛି। ସେହିପରି ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ନମୁନା ଏସ୍‌ସିବି ମେଡିକାଲ କଲେଜକୁ ପରୀକ୍ଷା ପାଇଁ ପଠାଇବାକୁ କୁହାଯାଇଛି। ଏସ୍‌ସିବିରେ ସର୍ବାଧିକ ୭ଶହ, ଆରଏମ୍‌ଆରସିରେ ୬ଶହ, ମୟୂରଭଞ୍ଜ ମେଡିକାଲ କଲେଜରେ ୫ଶହ, ଗଞ୍ଜାମରେ ଏମ୍‌କେସିଜି ଓ ଆଇଜରକୁ ମିଶାଇ ୭ଶହ ନମୁନା ପରୀକ୍ଷା କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟର ଦୂର ସ୍ଥାନରୁ ନମୁନା ସଂଗ୍ରହ ଦିନ ହିଁ ପରୀକ୍ଷାଗାରରେ ନମୁନା ପରୀକ୍ଷା ପହଞ୍ଚି ପାରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର