କଟକରେ ଚାଞ୍ଚଲ୍ୟ : ୫ ବର୍ଷ ଧରି ମହିଳାଙ୍କୁ ଦୁଷ୍କର୍ମ

ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା, ପାରାଦୀପରେ ତନାଘନା

କଟକ : କଟକର ଜଣେ ବ୍ୟକ୍ତି ପାରାଦୀପରେ ନିଯୁକ୍ତିର ଲୋଭ ଦେଖାଇ ଜଣେ ବିବାହିତ ମହିଳାଙ୍କ ସହିତ ଦୀର୍ଘ ୫ ବର୍ଷ ହେବ ଦୁଷ୍କର୍ମ କରିଆସୁଥିଲେ। ଶେଷରେ ବିବାହର ପ୍ରତିଶ୍ରୁତି ଦେଇ କଟକ ଡକାଇ ମୁଣ୍ଡରେ ବନ୍ଧୁକ ଲଗାଇବା ଭଳି ଚାଞ୍ଚଲ୍ୟକର ଘଟଣା ଏବେ ସାମନାକୁ ଆସିଛି। ମାଲଗୋଦାମ ଥାନା ପୁଲିସ ଏକ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିଛି। ଅନ୍ୟପଟେ ଅଭିଯୁକ୍ତଙ୍କ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ତାରିଣୀଗଡ଼ାସ୍ଥିତ ଘର ଓ ହସପିଟାଲରେ ଆଜି ଅପରାହ୍ନରେ କମିସନରେଟ୍ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ପୀଡ଼ିତାଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ ଘଟଣାର ତଦନ୍ତ କରିଥିବା ସୂଚନା ମିଳିଛି।

ମାଲଗୋଦାମ ଥାନାରେ ରୁଜୁ ହୋଇଥିବା ଏତଲା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ପାରାଦୀପ ଷଣ୍ଢକୁଦର ଜଣେ ବିବାହିତ ମହିଳା ମାଲଗୋଦାମ ଥାନାରେ କଟକର ଜଣେ ବ୍ୟକ୍ତିଙ୍କ ବିରୋଧରେ ସଂଗିନ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗଲା ୫ରୁ ୬ ବର୍ଷ ତଳେ ପାରାଦୀପର ଏକ ଅଫିସରେ ବିଡାନାସୀ ତୁଳସୀପୁରର ବସନ୍ତ କୁମାର ବଳ ନାମକ ଜଣେ ବ୍ୟକ୍ତିଙ୍କୁ ମହିଳାଜଣକ ସ୍ବାମୀଙ୍କ ଚାକିରି ସଂକ୍ରାନ୍ତରେ ଭେଟିବାକୁ ଯାଇଥିଲେ। ତା ପରଠାରୁ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। ବସନ୍ତ ତାଙ୍କୁ ପାରାଦୀପସ୍ଥିତ ଏକ ଅଫିସକୁ ଡକାଇ ବଳପୂର୍ବକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ନଚେତ ମହିଳାଙ୍କ ସ୍ବାମୀ ଓ ପରିବାର ଲୋକଙ୍କୁ ହତ୍ୟା କରାଯିବା ନେଇ ଧମକ ଦେଇଥିଲେ। ସେବେଠୁ ଭୁବନେଶ୍ବର, କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ତାଙ୍କ ସହିତ ବଳପୂର୍ବକ ସମ୍ପର୍କ ରଖିଥିବା ମହିଳାଜଣକ ଏତଲାରେ ଦର୍ଶାଇଛନ୍ତି। ଗଲା ୧୭ ତାରିଖରେ ଅଭିଯୁକ୍ତ ତାଙ୍କୁ କଟକ ଡକାଇ ବିବାହର ପ୍ରତିଶ୍ରୁତି ଦେଇଥିଲେ। ପୀଡ଼ିତା କଟକରେ ପହଞ୍ଚିବା ପରେ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକରେ ଥିବା ଏକ ହସପିଟାଲକୁ ଡାକି ଜବରଦସ୍ତ ବିଭିନ୍ନ ପ୍ରକାର ପରୀକ୍ଷା କରାଇଥିଲା। ତାଙ୍କର ଇସିଜି କରାଯାଇଥିଲା। କିନ୍ତୁ ଅନ୍ୟ ଟେଷ୍ଟ କରିବାକୁ ବାଧ୍ୟ କରାଯିବାରୁ ମନା କରିଥିଲେ। ହଠାତ୍ ତାଙ୍କୁ ଅଭିଯୁକ୍ତ ଅସଦାଚରଣ କରିବା ସହିତ ଶାରୀରିକ ନିର୍ଯାତନା ଦେଇଥିଲେ।

ମହିଳାଜଣକ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିକୁ ନେଇ ଆକ୍ଷେପ କରିଥିଲେ। ବନ୍ଧୁକ କାଢ଼ି ତାଙ୍କ ମୁଣ୍ଡରେ ଲଗାଇଥିବା ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ମହିଳା ଜଣକ ୧୭ ତାରିଖରେ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଦଫା ୩୭୬(୨)(ଏନ୍)୩୨୩, ୫୦୬, ୨୫, ଏସ୍‌ସି ଆଣ୍ଡ ଏସ୍‌ଟି ଆକ୍ଟରେ ମାମଲା(କେସ୍ ନଂ ୫୭/୨୧) ରୁଜୁ କରାଯାଇଛି। ଏସ୍‌ସି ଏସ୍‌ଟି ମାମଲା ହୋଇଥିବାରୁ ଏହି ଘଟଣାର ତଦନ୍ତଭାର ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡା ନେଇଛନ୍ତି। ଶ୍ରୀ ପଣ୍ଡାଙ୍କ କହିବା ଅନୁଯାୟୀ ପୀଡ଼ିତାଜଣକ ଯେଉଁ ଅଭିଯୋଗ କରିଛନ୍ତି, ସେ ନେଇ ମାମଲା ରୁଜୁ ହେବା ସହିତ ତଦନ୍ତ ଚାଲିଛି। ଗୁରୁବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର