ଉପନିର୍ବାଚନ ଫଳାଫଳ ପରେ ବିଜେପିକୁ ଟାର୍ଗେଟ୍ କଲେ ଦାମ : ବିଜେପି ଆତ୍ମ ସମୀକ୍ଷା କରିବା ଦରକାର, ନବୀନଙ୍କ ସମକକ୍ଷ ନେତା ବିଜେପିରେ ନାହାନ୍ତି

ଭୁବନେଶ୍ବର : କିଛି ଦିନ ପୂର୍ବରୁ ବିଜେପିକୁ ନିକଟରେ ବାଏ ବାଏ କରିଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପୁର ଉପନିର୍ବାଚନ ଫଳାଫଳ ପରେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଛନ୍ତି। ଆଜି ଗଣମାଧ୍ୟମରେ ବିବୃତି ଦେଇ ଦାମ କହିଛନ୍ତି, ବିଜେପୁର ଉପନିର୍ବାଚନ ଫଳାଫଳ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଲୋକପ୍ରିୟ ନେତା ବୋଲି ପ୍ରମାଣିତ କରିଛି। ଶ୍ରୀ ପଟ୍ଟନାୟକଙ୍କ ପରି ସମକକ୍ଷ ନେତା ବିଜେପି ଦଳରେ ନାହାନ୍ତି। ଓଡ଼ିଶାରେ ଆଞ୍ଚଳିକ ଦଳର ନୀତି ଆଦର୍ଶକୁ ଲୋକେ ସବୁବେଳେ ସମର୍ଥନ ଦେଇଆସିଛନ୍ତି। ୧୯୫୨ ମସିହାରୁ ଏହା ପ୍ରମାଣିତ ହୋଇଆସୁଛି ବୋଲି ସେ କହିଛନ୍ତି।

ବିଜେପିକୁ ସମାଲୋଚନା କରି ଶ୍ରୀ ରାଉତ କହିଥିଲେ, ୨୦୧୪ ମସିହାରେ ବିଜେପିର ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ପ୍ରଚାରରେ ଦୁଇ ଥର ଆସିଥିଲେ। ସେତେବେଳେ ସାରା ଦେଶରେ ମୋଦୀ ମ୍ୟାଜିକ୍ କାମ କରିଥିବାବେଳେ ଓଡ଼ିଶାରେ କିନ୍ତୁ କାମ କରି ନ ଥିଲା। ସେହିବର୍ଷ ସାଧାରଣ ନିର୍ବାଚନରେ ବିଜେପିର ଜଣେ ମାତ୍ର ପ୍ରାର୍ଥୀ ଲୋକସଭା ଆସନ ଜିତିଥିଲେ। ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ବିଧାନସଭାରେ ୨୩ଟି ଆସନ ଜିତିଛି। ଅଥଚ ସେ ଦଳର ସଭାପତି ବସନ୍ତ ପଣ୍ଡା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନମଣ୍ଡଳୀରେ ଜଣେ ବି ପ୍ରାର୍ଥୀଙ୍କୁ ଜିତାଇପାରିଲେ ନାହିଁ। ଅଥଚ, ବିଜେପୁର ଉପନିର୍ବାଚନରେ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ୧ ଲକ୍ଷ ୩୫ ହଜାର ଭୋଟ ପାଇଁ ରେକର୍ଡ଼ ସୃଷ୍ଟି କରିଛନ୍ତି।

ଚଳିତବର୍ଷ ପାଟକୁରା ନିର୍ବାଚନର ଉଦାହରଣ ଦେଇ ଶ୍ରୀ ରାଉତ କହିଥିଲେ, ପାଟକୁରା ନିର୍ବାଚନ ବେଳେ ବିଜେପିର ତୁଙ୍ଗ ନେତୃତ୍ବ ଅନ୍ୟ କାହାକୁ ଦାୟିତ୍ବ ନ ଦେଇ ଦଳର ଦକ୍ଷିଣ ଓଡ଼ିଶା ନେତାଙ୍କ ଉପରେ ଦାୟିତ୍ବ ଦେବାକୁ ପସନ୍ଦ କଲେ। କିନ୍ତୁ ଲୋକେ ବିଜୁ ଜନତା ଦଳ ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲକୁ ଭୋଟ ଦେଇ ଜିତାଇଲେ। ଠିକ୍ ସେମିତି ଏଥରକ ବିଜେପୁର ଉପନିର୍ବାଚନରେ ବି ବିଜେପିର ରାଷ୍ଟ୍ରୀୟ ସ୍ତରରେ ବଡ଼ ବଡ଼ ନେତାମାନେ ଅଣ୍ଟା ଭିଡ଼ି ବି ବିଫଳ ହେଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ସାଂଗଠନିକ ଦକ୍ଷତା ଆଗରେ ବିଜେପିର ନେତାମାନଙ୍କୁ ଲୋକେ ବିଶ୍ବାସ କରୁନାହାନ୍ତି। ଏବେ ବିଜେପି ଆତ୍ମସମୀକ୍ଷା କରିବା ଦରକାର ବୋଲି ଶ୍ରୀ ରାଉତ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର