୨୬ରେ ଡଙ୍ଗରିଆଙ୍କ ନିୟମ ରାଜା ପର୍ବ

ଭବାନୀପାଟଣା : ପ୍ରତିବର୍ଷ ପରି ଆସନ୍ତା ୨୬, ୨୭ ଓ ୨୮ ତିନିଦିନ ବ୍ୟାପୀ କଳାହାଣ୍ଡି ରାୟଗଡ଼ା ସୀମାନ୍ତ ନିୟମଗିରି ପର୍ବତ ଶିଖର ଉପରେ ନିୟମରାଜା ପର୍ବ ଧୁମଧାମ୍‌ର ସହିତ ପାଳିତ ହେବ ବୋଲି ନିୟମଗିରି ସୁରକ୍ଷା ସମିତି ନିଷ୍ପତ୍ତି ନେଇଛନ୍ତି। ଜଳ, ଜମି, ଏବଂ ଜଙ୍ଗଲର ସୁରକ୍ଷା ତଥା ନିୟମଗିରିକୁ ବଞ୍ଚାଇବା ପାଇଁ ଏହି ଅଞ୍ଚଳର ଆଦିବାସୀମାନେ ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାକୁ ପୂଜାକରି ଆସୁଛନ୍ତି। ପ୍ରକୃତିର ନିୟମଗିରି ପର୍ବତ ଉପରେ ପ୍ରାୟ ୨ଶହ ଖଣ୍ଡ ଗାଁର ଆଠ ହଜାରରୁ ଅଧିକ ଡଙ୍ଗରିଆ ଏବଂ ଝରଣୀଆ କନ୍ଧ ବସବାସ କରିଥାନ୍ତି। ଏହି ଆଦିବାସୀମାନେ ପର୍ବତ ଉପରେ କାନ୍ଦୁଲ, ମାଣ୍ଡିଆ, କୋଳଥ, ମକା, କମଳା, କଦଳୀ, ସପୁରୀ ଆଦି ଚାଷକରି ନିଜର ଜୀବିକା ନିର୍ବାହ କରିଥାନ୍ତି। ଖଣିକୁ  ରାଜ୍ୟ ସରକାର ସାଗମାଛ ଦରରେ ଟେକି ଦେଇ ଆଦିବାସୀଙ୍କ ଜୀବନ ଜୀବିକାକୁ ଛଡାଇ ନେବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାକୁ ଡଙ୍ଗରିଆ ଓ ଝରଣିଆ ଆଦିବାସୀମାନେ ଦୀର୍ଘ ବର୍ଷ ହେଲା ବିରୋଧ କରି ଆସୁଛନ୍ତି। ଏହା ସହିତ ପୁଲିସ ଏବଂ ସିଆର୍‌ପିଏଫ୍ ମାଓବାଦୀ ନାଁରେ ଆଦିବାସୀମାନଙ୍କୁ ଯେଉଁ ଭଳି ହଇରାଣ କରୁଛନ୍ତି ତାକୁ ମଧ୍ୟ ଆଦିବାସୀମାନେ ବିରୋଧ କରୁଛନ୍ତି।

ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧମାନଙ୍କ ବିଶ୍ୱାସ ରହିଛି ଯେ ସେମାନଙ୍କ ଆରାଧ୍ୟ ଦେବତା ନିୟମରଜାକୁ ବଳି ଦେଇ ସନ୍ତୁଷ୍ଟ କଲେ ସମସ୍ତ ରୋଗ ଓ କୁଷ୍ଟରୁ ମୁକ୍ତି ମିଳିବ। ସେମାନଙ୍କ ଫସଲ ଉତ୍ପାଦନ ବଢିବ। ପ୍ରତିବର୍ଷ ନିୟମଗିରି ପର୍ବତ ଶିଖର ଉପରେ ଥିବା ନିୟମରାଜାଙ୍କ ଧରଣୀ ପେନୁଠାରେ ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ପାରମ୍ପାରିକ ପୋଷାକ ଓ ଅସ୍ତ୍ର ଶସ୍ତ୍ର ଧରି ନାଚଗୀତ କରିବା ସହିତ ଧରଣୀ ପେନୁଠାରେ କୁକୁଡା, ପାରା, ବୋଦା, ଘୁଷୁରୀ ଓ ପୋଡ ଆଦି ବଳି ଦେଇ ନିୟମରାଜାକୁ ସନ୍ତୁଷ୍ଟ କରିବା ସହିତ ରକ୍ତ ଚାଉଳ ଧରି ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ବଜ୍ର ଶପଥ  ନେଇଥାନ୍ତି। ତିନିଦିନ ଧରି ହେବାକୁ ଥିବା ନିୟମରାଜା ପର୍ବରେ ବିଭିନ୍ନ ଜନ ଆନ୍ଦୋଳନ ସଂଗଠନ, ସେଚ୍ଛାସେବୀ, ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କୁ ଏହି ଯାତ୍ରାରେ ସାମିଲ ହେବା ପାଇଁ ନିୟମଗିରି ସୁରକ୍ଷା ସମିତି କଳାହାଣ୍ଡି ଓ ରାୟଗଡା ପକ୍ଷରୁ ଆଦିବାସୀ ନେତା ଦଧି ପୁସିକା, ଡେଞ୍ଜୋ ପୁସିକା, ଲିଙ୍ଗରାଜ ଆଜାଦ, ସତ୍ୟ ମାହାରଙ୍କ ସମେତ ନିୟମଗିରି ଅଞ୍ଚଳରେ ବାସ କରୁଥିବା ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ଏହି ଆହ୍ୱାନ କରିଛନ୍ତି।

ସମ୍ବନ୍ଧିତ ଖବର