ଗୁରୁ ହେବ ତ ଏମିତି: ଶିକ୍ଷକଙ୍କ ସହଯୋଗ ଯୋଗୁ ଡାକ୍ତରୀ ପଢ଼ିବେ ଦେବାଶିଷ

ଧମା : ପରିବାରର ଆର୍ଥିକ ଅବସ୍ଥା ଠିକ୍ ନଥିଲା। ଅଭାବ ଅନଟନ ଯୋଗୁ ପାଠପଢ଼ାରେ ଡୋରି ବାନ୍ଧିବା ଅବସ୍ଥାରେ ଥିଲେ ସେ। ହେଲେ,ଏଭଳି ଏକ ଜଟିଳ ସମୟରେ ସହୟତା ପାଇଁ ଆଗେଇ ଆସିଥିଲେ ସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଂଜନ ପ୍ରଧାନ। ଆଉ ସେହି ଗୁରୁଙ୍କ ସହାୟତା ଯୋଗୁ ଏବେ ଗରିବ ଛାତ୍ର ଦେବାଶିଷ ବାରିକଙ୍କ ଡାକ୍ତର ହେବାର ସ୍ବପ୍ନକୁ ସାକାର ହେବାକୁ ଯାଉଛି। ଗୁରୁ-ଶିଷ୍ୟଙ୍କର ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ମାନେଶ୍ବର ବ୍ଲକ ଅଂଚଳରେ।

ସମ୍ବଲପୁର ଜିଲ୍ଲା ହୁମା ପଞ୍ଚାୟତ କନବାର ଗାଁରେ ରହନ୍ତି ଦେବାଶିଷ ବାରିକ। ଦେବାଶିଷ ଧମାସ୍ଥିତ ମଥୁରା ପ୍ରସାଦ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ବେଳେ ବାପା ସୀତାରାମ ବାରିକ ଏକ ଦୁର୍ଘଟଣାରେ ଗୁରୁତର ଆହତ‌ ହୋଇଥିଲେ। ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଶଯ୍ୟାଶାୟୀ ହେବାକୁ ପଡ଼ିଲା। ସୀତାରାମ ନିଜ ୨ ଏକର ଜମିରେ ଧାନ ଚାଷକରି ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଉଥିଲେ। ଦୁର୍ଘଟଣା ପରେ ପରିବାର ଆର୍ଥିକ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଦେବାଶିଷଙ୍କୁ ପାଠ ପଢ଼ାଇବା କଷ୍ଟକର ହୋଇଗଲା। ପରିବାରର ଏଭଳି ସ୍ଥିତି ଦେଖି ଦେବାଶିଷ ସ୍କୁଲ ଯିବା ବନ୍ଦ କରିଦେଲେ। ମେଧାବୀ ଛାତ୍ର ଦେବାଶିଷ ସ୍କୁଲ ନଯିବାରୁ ତତ୍କାଳୀନ ପ୍ରଧାନଶିକ୍ଷକ ଚିତ୍ତରଂଜନ ପ୍ରଧାନ କାରଣ ବୁଝିବା ପାଇଁ ତାଙ୍କ ଘରେ ପହଂଚି ଯାଇଥିଲେ। ସବୁ ସମସ୍ୟା ଜାଣିବା ପରେ ପ୍ରଧାନ ଶିକ୍ଷକ ଚିତ୍ତରଂଜନ ନିଜସ୍ବ ଖର୍ଚ୍ଚରେ ଦେବାଶିଷଙ୍କୁ ହଷ୍ଟେଲ‌ରେ ରଖି ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଲେ। ଦେବାଶିଷ ୨୦୧୭ ମସିହାରେ ମାଟ୍ରିକ୍ ପରୀକ୍ଷାରେ ୮୭ ପ୍ରତିଶତ ମାର୍କ ରଖି ପାସ୍ କଲେ। ଗୁରୁ ଚିତ୍ତରଂଜନଙ୍କ ପ୍ରଚେଷ୍ଟାରେ ଏକ ‌ଘରୋଇ ଶିକ୍ଷାନୁଷ୍ଠାନରେ ଦେବାଶିଷ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରିଥିଲେ। ଯୁକ୍ତ ଦୁଇ ବିଜ୍ଞାନର କୃତକାର୍ଯ୍ୟ ହେବା ପରେ ପୁଣି ମେଡିକାଲ ପ୍ରସ୍ତୁତି ପାଇଁ ଏକ କୋଚିଂ ସେଣ୍ଟରରେ ବି ପଢ଼ାଇବା ବ୍ୟବସ୍ଥା କରିଦେଲେ ଚିତ୍ତରଂଜନ।

ଚାକିରିରୁ ଅବସର ନେବା ପରେ ବି ଦେବାଶିଷଙ୍କୁ ସହାୟତା କରିବା ଜାରି ରଖିଥିଲେ ସେ। ଆଉ ଦେବାଶିଷ ମଧ୍ୟ ଗୁରୁ ଚିତ୍ତରଂଜନଙ୍କ ସହାୟତାକୁ ବେକାର ହେବାକୁ ଦେଇନ ଥିଲେ। ନିକଟରେ ପ୍ରକାଶିତ ‘ନିଟ୍‌’ ପରୀକ୍ଷା ଫଳ ତାଙ୍କ ପାଇଁ ଶୁଭଙ୍କର ହୋଇଛି। ସେ ସର୍ବମୋଟ ୭୨୦ ମାର୍କରୁ ୬୩୯ ମାର୍କ ରଖବା ସହ ସର୍ବଭାରତୀୟ ସ୍ତରରେ ୬୨୦୩ ରାଙ୍କ ରଖିଛନ୍ତି। ଦେଶର କୌଣସି ଏକ ଭଲ ମେଡିକାଲ କଲେଜରେ ତାଙ୍କୁ ଡାକ୍ତରୀ ପଢ଼ିବାର ସୁଯୋଗ ମିଳିଯିବ ବୋଲି ଦେବାଶିଷ ଆଶା ରଖିଛନ୍ତି।

ଦେବାଶିଷ ‘ସମ୍ବାଦ’କୁ କହିଛନ୍ତି, ମୁଁ ଜଣେ ଗରିବ ଚାଷୀ ଘରର ପୁଅ। ଜମି ବି ବେଶୀ ନାହିଁ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବିଦ୍ୟୁତ୍ ବିଲ୍‌ ବି ଦେଇନପାରିବାରୁ ବିଭାଗୀୟ ଅଧିକାରୀମାନେ ଆମ ଘରର ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ଘରେ ଲଣ୍ଠନ ଜାଳି ପାଠ ପଢ଼ୁଥିଲି ଏଭଳି ସ୍ଥିତିରେ ଭଗବାନ ଭଳି ଆବିର୍ଭାବ ହେଲେ ମୋର ଗୁରୁ ଚିତ୍ତରଂଜନ ପ୍ରଧାନ ସାର୍। ତାଙ୍କ ପାଇଁ ମୁଁ ଆଜି ଜଣେ ଭଲ ମଣିଷ ହେବାକୁ ଯାଉଛି। ପ୍ରଧାନ ସାର୍ ଆଗକୁ ଡାକ୍ତରୀ ପଢ଼ାରେ ମଧ୍ୟ ସହାଯ୍ୟ କରିବେ ବୋଲି ମୋତେ ଆଶ୍ବାସନା ଦେଇଛନ୍ତି। ଆମ ଗୁରୁ ଶିଷ୍ୟଙ୍କ ଏହି ପବିତ୍ର ସଂପର୍କ ସବୁଦିନ ଅତୁଟ ରହିବ। ମୁଁ ବି ଆଗାମୀ ଦିନରେ ମୋଭଳି ଗରିବ, ଅବହେଳିତ ପିଲାମାନଙ୍କୁ ପାଠପଢ଼ାରେ ସହାଯ୍ୟ କରିବି। ଡାକ୍ତର ହେବା ପରେ ଗରିବ ଲୋକଙ୍କୁ ଉତ୍ତମ ଚିକିତ୍ସା ‌ସେବା ଯୋଗାଇ ଦେବି ବୋଲି ଦେବାଶିଷ କହିଛନ୍ତି।

ସମ୍ବନ୍ଧିତ ଖବର