ଭୁବନେଶ୍ବର : ରାଜ୍ୟ ସରକାର ଋଣର ଷ୍ଟାଟସ୍ ପେପର ଜାରି କରିଛନ୍ତି। ଏଥିରେ ଆକଳନ କରାଯାଇଛି ଯେ ଓଡ଼ିଶାର ଜିଡିପିକୁ ଋଣ ଅବଦାନ ୨୦୨୩-୨୪ ସୁଦ୍ଧା ୨୨.୪୬%ରେ ପହଞ୍ଚିବ ଯାହା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ୨୫% ଠାରୁ କମ୍ ରହିବ। ରାଜ୍ୟର ସୁଧ ଦେୟ ମୋଟ ରାଜସ୍ବ ଆୟର ୬% ଯାହା ଆର୍ଥିକ ଶୃଙ୍ଖଳା ଓ ବଜେଟ୍ ପରିଚାଳନା ନିୟମରେ ଧାର୍ଯ୍ୟ କରାଯାଇଥିବା ୧୫% ସୀମା ଠାରୁ ମଧ୍ୟ କମ୍। ଷ୍ଟାଟସ୍ ପେପରରେ ଉଲ୍ଲେଖ କରାଯାଇଛି ଯେ ସରକାର ନେଇଥିବା ଋଣ ଶୁଝିବାକୁ ବେଶି କଷ୍ଟ କରିବାକୁ ପଡ଼ିବ ନାହିଁ। ଯଦିଓ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଋଣ ବଢ଼ିଛି କିନ୍ତୁ ରାଜସ୍ବ ଆୟରେ ବୃଦ୍ଧି ଘଟିଥିବାରୁ ସୁଧ ସହଜରେ ଦେଇ ହେଉଛି।
୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ବକେୟା ଋଣ ୯୨,୭୭୫.୧୮ କୋଟି ଟଙ୍କା ଥିଲା ଯାହା ରାଜ୍ୟ ଜିଡିପିର ୧୭.୮%। ଏଥିପାଇଁ ଚର୍ତୁଦଶ ଅର୍ଥ କମିସନ ଓ ଓଡ଼ିଶା ଏଫ୍ଆର୍ବିଏମ୍ ନିୟମ ୨୦୦୫ରେ ଧାର୍ଯ୍ୟ କରାଯାଇଥିବା ୨୫% ସୀମା ଠାରୁ ଏବେବି ଏହା କମ୍ ରହିଛି। ଖୋଲା ବଜାରରୁ ଋଣ ଆଣିବା ପରିବର୍ତେ ଓମ୍ବାଡ୍ସିରୁ ୧.୫%-୨% ଭଳି କମ୍ ସୁଧରେ ଋଣ ଆଣିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଓମ୍ବାଡ୍ସିରେ ଥିବା ବଳକା ପାଣ୍ଠିର ୬୦%କୁ ରାଜ୍ୟ ଋଣ ଆକାରରେ ଆଣିପାରିବ। ସେହି ଟଙ୍କାକୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରାଯିବ। ରାଜ୍ୟ ସରକାରଙ୍କ ୮% ଋଣ ବିଦେଶ ଉତ୍ସରୁ ଆସିଛି। ରେଙ୍ଗାଳି ଜଳସେଚନ ପ୍ରକଳ୍ପ (ଫେଜ୍-୨), ଓଡ଼ିଶା ରାଜ୍ୟ ସଡ଼କ ପ୍ରକଳ୍ପ ଓ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ପାଣ୍ଠି ଭଳି ପ୍ରକଳ୍ପ ପାଇଁ ଏହି ଋଣ ଅଣାଯାଇଛି। ଜାଇକା, ବିଶ୍ବବ୍ୟାଙ୍କ ଓ କେଏଫ୍ଡବ୍ଲୁ ଜର୍ମାନି ଠାରୁ ଏହି ଋଣ ଅଣାଯାଇଛି। ରାଜ୍ୟର ପିଏସ୍ୟୁଗୁଡ଼ିକ ପାଇଁ ସରକାର ଋଣ ଗ୍ୟାରେଣ୍ଟି ଦେଇଛନ୍ତି ଯାହାର ପରିମାଣ ହେଉଛି ୩୫୩୨.୪୭ କୋଟି ଟଙ୍କା ଓ ଏହା ରାଜ୍ୟ ଜିଡିପିର ହେଉଛି ୦.୭%। ପିଏସ୍ୟୁ ସଂସ୍ଥା ଋଣ ଶୁଝିବାରେ ବିଫଳ ହେଲେ ସରକାର ତାହାକୁ ପରିଶୋଧ କରିବେ।