ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି ଡିପ୍-ଡିପ୍ରେସନ, ଧୀମା ଗତି ଯୋଗୁଁ ଅଧିକ ଶକ୍ତିଶାଳୀ ହେଉଛି : ସ୍କାଏମେଟ୍

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବା ଡିପ୍ରେସନ ଇତି ମଧ୍ୟରେ ଏର ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଛି । ଏହା ସମ୍ଭାବ୍ୟ ବାତ୍ୟାଠାରୁ ଆଉ ମାତ୍ର ଏକ ପାଦ ଦୂରରେ ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।

ଏହି ଡିପ୍-ଡିପ୍ରେସନ ଏବେ ଘଣ୍ଟା ପ୍ରତି ମାତ୍ର ୩ କିଲୋମିଟର ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ଅଭିମୁଖେ ଗତି କରୁଛି । ଏହାର ଏହି ଧୀମା ଗତି ପାଣିପାଗ ବିଶେଷଜ୍ଞମାନଙ୍କ ଚିନ୍ତା ବଢାଇଦେଇଛି । ସମୁଦ୍ର ମଧ୍ୟରେ ଅଧିକ ସମୟ ରହୁଥିବାରୁ ଏହାର ଶକ୍ତି ବଢିଚାଲିଛି ଓ ଏହା ବାତ୍ୟା ହେବାଠାରୁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛି । ଏପରି ଧୀମା ଗତି ଜାରି ରହିଲେ ବାତ୍ୟା ହେବା ଆଶଙ୍କା ଅମୂଳକ ନୁହେଁ ବୋଲି  ସ୍କାଏମେଟ୍ କହିଛି ।

ତେବେ ଏହି ଡିପ୍-ଡିପ୍ରେସନର ପ୍ରଭାବ ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ପଡ଼ିବ । ଏହା ୧୩ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ପରେ ଏହା ଦୂର୍ବଳ ହୋଇ ଏକ ଡିପ୍ରେସନ ଓ ତା’ପରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ଏବେଠାରୁ ବର୍ଷା ଆରମ୍ଭ ହୋଇଗଲାଣି । ସ୍ଥଳଭାଗ ଛୁଇଁବାବେଳକୁ ପବନର ଗତି ଘଣ୍ଟା ପ୍ରତି ୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶର ପୂର୍ବ ଓ ପଶ୍ଚିମ ଗୋଦାବରୀ, ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ଓ କାକିନାଡ଼ା ଜିଲ୍ଲା ଉପରେ ଅଧିକ ପଡ଼ିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ-ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ୍ କହିଛି ।

ସମ୍ବନ୍ଧିତ ଖବର