୭ଦଫା ଦାବି ନେଇ ଭାରତ ଗଣତାନ୍ତ୍ରିକ ଯୁବ ଫେଡେରେସନ୍‌ର ବିକ୍ଷୋଭ

ଭୁବନେଶ୍ୱର : ୭ ଦଫା ଦାବି ନେଇ ଆଜି ଭାରତ ଗଣତାନ୍ତ୍ରିକ ଯୁବ ଫେଡେରେସନ୍‌ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଫେଡେସେନର ଶତାଧିକ ସଦସ୍ୟ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରୀ ଦପ୍ତରରେ ଖାଲିଥିବା ୨୪ଲକ୍ଷ ୫୪ ହଜାର ପଦବୀ ପୂରଣ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ, ଯୁବଚାଷୀଙ୍କୁ ପ୍ରୋତ୍ସାହନ ସହ ଉନ୍ନତମାନର ସାର, ବିହନ ଓ ଋଣ ଯୋଗାଇଦେବା ଆଦି ଦାବି ନେଇ ଫେଡେରେସନ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଓହରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦାଳନକୁ ବ୍ୟାପକ କରାଯିବ ବୋଲି ଫେଡେରେସନ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ଆନ୍ଦୋଳନରେ ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ସଭାପତି ସରୋଜ ନାୟକ, ରାଜକିଶୋର ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର