ଏମାର ମଠ ଉଚ୍ଛେଦ ଆରମ୍ଭ

ମହନ୍ତ ନେଲେନି ଚିଠି, ଝୁଲିଲା ଲଟକା, ଭଙ୍ଗାହେଲା ଗୁହାଳ ଘର, ଖାଲିହେଲା ପାଠାଗାର ଓ ଦୋକାନ

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ୬୦୦ ବର୍ଷର ପୁରୁଣା ତଥା ଓଡ଼ିଶାର ସବୁଠୁ ଧନୀ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି। ମଠ ପଛପାଖରେ ଥିବା ଅସୁରକ୍ଷିତ ଗୁହାଳ ଘରକୁ ଆଜି ‌ସଂଧ୍ୟାରେ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଆଖପାଖରେ ଥିବା ଛୋଟ ଛୋଟ ଘରକୁ ବି ମାଟିରେ ମିଶାଇ ଦିଆଯାଇଛି। ଦ୍ବିତୀୟ ମହଲାରେ ଥିବା ବ୍ରିଟିସ୍‌ ଅମଳର ରଘୁନନ୍ଦନ ପାଠାଗାରର ଆସବାବପତ୍ର ସ୍ଥାନାନ୍ତରରେ ବିଳମ୍ବ ଯୋଗୁଁ ଆଜି ଏମାର ମଠର ମୁଖ୍ୟ କୋଠା ଉଚ୍ଛେଦ କାର୍ଯ୍ୟ ଅଧାରେ ଅଟକିଛି। ଆସନ୍ତାକାଲି ମଠର ମୁଖ୍ୟ କୋଠା ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି। ଉଚ୍ଛେଦ ପୂର୍ବରୁ ପ୍ରଶାସନ ପକ୍ଷରୁ ମଠ ମହନ୍ତଙ୍କୁ ନୋଟିସ୍ ଜାରି କରାଯାଇଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ଯେଉଁଥି ପାଇଁ ଆଜି ମଠ ପରିସରରେ ଲଟକା ଝୁଲିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଜି ବି ଶହ ଶହ ପୁଲିସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରିଥିଲେ।

ଗତକାଲି ବହୁ ପୁରାତନ ଲଙ୍ଗୁଳି ମଠକୁ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେବା ପରେ ଏମାର ମଠକୁ ଉଚ୍ଛେଦ କରିବାକୁ ସ୍ଥିର ହୋଇଥିଲା। ବହୁ ପୂର୍ବରୁ ଅସୁରକ୍ଷିତ ଘୋଷିତ ଏହି କୋଠାକୁ ଭାଙ୍ଗିବାକୁ ଆଜି ସକାଳୁ ଅଭିଯାନ ଆରମ୍ଭ ହୋଇଥିଲେ ବି ପାଠାଗାରର ଗୁରୁତ୍ବକୁ ଆଖି ଆଗରେ ରଖି ଉଚ୍ଛେଦ ପ୍ରକ୍ରିୟାରେ ସତର୍କତା ଅବଲମ୍ବନ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳ ଓ ଏସ୍‌ପି ପାଠାଗାର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ପରେ ରାତିରୁ ହିଁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ପାଠାଗାର ପରିସରରେ ଏତେ ପରିମାଣର ମୂଲ୍ୟବାନ ପୁସ୍ତକ ଓ ପାଣ୍ଡୁଲିପିକୁ ସ୍ଥାନାନ୍ତର କରିବ‌ାରେ ବିଳମ୍ବ ହୋଇଥିଲା। ହାଇଡ୍ରା ଲଗାଇ ବହୁ ପୁରୁଣା ଆଲମିରା ଓ ଅନ୍ୟାନ୍ୟ ଆସବାବପତ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ଣ ପ୍ରାୟ ୪ଟାରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ଏହା ଦେଖି ମଠ ତଳ ମହଲାରେ ଥିବା ଖଜା, ଚପଲ ଓ ଅନ୍ୟ ଦୋକାନ ସବୁ ଆଜି ନିଜ ନିଜର ବଳକା ଜିନିଷ ଉଠାଇ ନେଇଥିଲେ। ସଂଧ୍ୟାରେ ମଠ ପାଖରେ ଥିବା ଅସ୍ଥାୟୀ ମୋବାଇଲ୍ ଟାୱାରକୁ ବି ସ୍ଥାନାନ୍ତର କରାଯାଇଛି। ପ୍ରଶାସନ କେବଳ ମଠ ପଛପାଖ ଗୁହାଳ ଘର ଓ ଅନ୍ୟ ଛୋଟମୋଟ ଘର ଭାଙ୍ଗି ଫେରି ଆସିଛି। ଏଠାରେ ଥିବା ଗାଈମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିଭଳି ମଠ ଜାଗାରେ ରହୁଥିବା ଲୋକଙ୍କୁ ହଟିଯିବାକୁ ନିର୍ଦେଶ ଦିଆଯିବା ପରେ ସେମାନେ ଘର ଖାଲି କରି ଦେଇଛନ୍ତି। ରାତି ଗଡ଼ି ଆସୁଥିବାରୁ ମଠ ଭଙ୍ଗା କାର୍ଯ୍ୟ ଆଜି ଆରମ୍ଭ ହୋଇପାରିନି। ଆସନ୍ତାକାଲି ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ। ଏହାପରେ ବଡ଼ଆଖଡ଼ା ମଠ ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଆଜି ଏମାର ମଠ ଉଚ୍ଛେଦ ପାଇଁ ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଥିଲା। ରାପିଡ୍ ଆକ୍ସନ୍‌ ଫୋର୍ସ, ଓଏସ୍‌ଏପି ଯବାନ ଏବଂ ଓଡ଼ିଶା ପୁଲିସର ବନ୍ଧୁକଧାରୀ ଫୋର୍ସ ଚାରି ପଟୁ ଜଗି ରହିଥିଲେ। ଏକାଧିକ ଜେସିବି ବି ଲଗାଯାଇଥିଲା। ତେବେ ଉଚ୍ଛେଦ କାର୍ଯ୍ୟ ବିଳମ୍ବ ହେବାରୁ ଆଜି ଲଙ୍ଗୁଳି ମଠର ଭଗ୍ନାଂଶ ଉଠା କାମକୁ ତ୍ବରାନ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର