ବଡ଼ଆଖଡ଼ା ମଠ ଉଚ୍ଛେଦ ସରିଲା : ମେଡିକାଲ ଛକରୁ ସ୍ପଷ୍ଟ ଦିଶିଲା ଶ୍ରୀମନ୍ଦିର
ସାନଛତା ମଠ ସଂଲଗ୍ନ ଦୋକାନ ଘର ଖାଲି, ଏଥର ସିଂହଦ୍ବାରରୁ ଦିଶିବ ମହାପ୍ରଭୁଙ୍କ ଦୋଳବେଦି ହୋଲି ଖେଳ
ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନକୁ ଆଜି ୧୪ ଦିନ ପୂରିଥିବା ବେଳେ ସଂଧ୍ୟା ସୁଦ୍ଧା ଜିଲ୍ଲା ପ୍ରଶାସନ ବଡ଼ଆଖଡ଼ା ମଠକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି। ଗତକାଲି ବଡ଼ଆଖଡ଼ା ଉଚ୍ଛେଦର ୮୦ ପ୍ରତିଶତ କାମ ସରିଥିଲା, ଆଜି ମଠର ବାକି କୋଠାକୁ ଏକାଧିକ ଜେସିବି ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ। ଏହା ପରେ ପାଳି ସାନଛତା ମଠର। ନିର୍ଦ୍ଦେଶ ପାଇନଥିଲେ ମଧ୍ୟ ସାନଛତା ମଠ ସଂଲଗ୍ନ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ଘର ଖାଲି କରିବା ଆରମ୍ଭ କରିଛନ୍ତି। ଦୋଳବେଦି କୋଣ ଦୋକାନୀ ଆଜି ସଂଧ୍ୟା ସୁଦ୍ଧା ଅଧାରୁ ଅଧିକ ଜିନିଷପତ୍ର ଖାଲି କରି ଦେଇଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାମ ଜାରି ରହିଥିଲା। ସବୁଠୁ ବଡ଼ କଥା ହେଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଦୋଳବେଦିରେ ମହାପ୍ରଭୁଙ୍କ ହୋଲି ଖେଳ ଦେଖିବାରୁ ବଞ୍ଚିତ ହେଉଥିଲେ। ବଡ଼ଆଖଡ଼ା ମଠ ଓ ଅନ୍ୟ ମଠ ଉଚ୍ଛେଦ ପରେ ଭକ୍ତମାନେ ଏଣିକି ନିର୍ବିଘ୍ନରେ ସିଂହଦ୍ବାରରୁ ମହାପ୍ରଭୁଙ୍କ ହୋଲି ଖେଳ ଦେଖି ପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବଡ଼ଆଖଡ଼ା ମଠ ଯୋଗୁଁ ଭକ୍ତ ତଥା ସ୍ଥାନୀୟ ବାସିନ୍ଦା ମାର୍କେଟ୍ ଛକରୁ ବି ଶ୍ରୀମନ୍ଦିରକୁ ସ୍ପଷ୍ଟ ଦର୍ଶନ କରି ପାରୁନଥିଲେ। ବଡ଼ଆଖଡ଼ା ସଂପୂର୍ଣ୍ଣ ଉଚ୍ଛେଦ ପରେ ଆଜି ମେଡିକାଲ ଛକରୁ ଶ୍ରୀମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ଭକ୍ତ, ପର୍ଯ୍ୟଟକ ଏକଦମ୍ ପାଖରୁ ବଡ଼ଦେଉଳ ଦେଖିବାର ସୁଯୋଗ ପାଇଛନ୍ତି। ମେଘନାଦ ପାଚେରି ସହ ଶ୍ରୀମନ୍ଦିର ଆଜି ସ୍ପଷ୍ଟ ଦୃଶ୍ୟମାନ ହେବା ପରେ ଜଗନ୍ନାଥପ୍ରେମୀଙ୍କ ମହଲରେ ଏହାକୁ ନେଇ ଆନନ୍ଦ ପ୍ରକାଶ ପାଇଛି। ବଡ଼ଆଖଡ଼ା ମଠ ଉଚ୍ଛେଦ ଶେଷ ପରେ ମଠ ମନ୍ଦିର ସୌନ୍ଦର୍ଯ୍ୟ ଫୁଟି ବାହାରକୁ ଆସିଛି। ମଠ ମନ୍ଦିର କେତେ ଯେ ସୁନ୍ଦର ତାହା ବଡ଼ଆଖଡ଼ା ମଠ ମନ୍ଦିର ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ଗତକାଲି ସଂଧ୍ୟା ସୁଦ୍ଧା ବଡ଼ଆଖଡ଼ା ମଠର ସଂପୂର୍ଣ୍ଣ ଘରକୁ ମାଟିରେ ମିଶାଇବାକୁ ଲକ୍ଷ୍ୟ ରଖିଥିବା ଜିଲ୍ଲା ପ୍ରଶାସନ ସ୍ଥାନୀୟ ଗଣେଶ ପୂଜା କମିଟି ଓ ଦୋକାନୀଙ୍କ ଅନୁରୋଧ କ୍ରମେ ଏହି ଅଭିଯାନକୁ ଅଧାରେ ସ୍ଥଗିତ ରଖିଥିଲା। ଗତକାଲି ରାତିରେ ଗଣେଶଙ୍କ ମେଢ଼ ଉଠିଯିବା ସହ ଦୋକାନୀମାନେ ବାକି ରହି ଯାଇଥିବା ଆସବାବପତ୍ର ଖାଲି କରିବା ପରେ ଆଜି ସକାଳୁ ମଠର ବାକି ଅଂଶକୁ ଭାଙ୍ଗି ଦିଆଯାଇଛି।
ଉଚ୍ଛେଦ ପାଇଁ ଆଜି ବି ଏକାଧିକ ମାଜିଷ୍ଟ୍ରେଟ୍ଙ୍କ ସହ ଶହ ଶହ ପୁଲିସ୍ ବ୍ୟାରିକେଡ୍ ପକାଇ ଜଗି ରହିଥିଲେ। ଭକ୍ତଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ସିଂହଦ୍ବାର ଦେଇ ସିଧାସଳଖ ଦର୍ଶନ ପାଇଁ ଛଡ଼ାଯାଇଥିଲା। ଅନ୍ୟପଟେ ଆଇନଶୃଙ୍ଖଳା ଉପରେ ନଜର ରଖିବା ପାଇଁ ଗଳିକନ୍ଦିରେ ପୁଲିସ ଫୋର୍ସ ଜଗି ରହିଥିଲେ। ଅପରାହ୍ଣ ଗୋଟାଏ ସୁଦ୍ଧା ସଂପୂର୍ଣ୍ଣ କୋଠାକୁ ମାଟିରେ ମିଶାଇ ଦିଆଯିବା ପରେ ଏହାର ଭଗ୍ନାବଶେଷ ଖାଲି କରିବା ଅଭିଯାନକୁ ଜୋରଦାର କରାଯାଇଛି। ଏକାଧିକ ଜେସିବି ଓ ଟ୍ରକ ଲଗାଇ ଭଗ୍ନାବଶେଷଗୁଡ଼ିକୁ ପୁରୁଣା ଜେଲଠାରେ ଥିବା ଖାଲ ସ୍ଥାନରେ ପକାଯାଇ ସମତୁଲ କରାଯାଉଛି। ସାନଛତା ମଠ ଉଚ୍ଛେଦ କେବେ ଆରମ୍ଭ ହେବ ସେ ସଂପର୍କରେ ପ୍ରଶାସନ ସ୍ପଷ୍ଟ କରିନଥିଲେ ବି ଦିନେ ଦୁଇ ଦିନ ଭିତରେ ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି।