ସରକାର ଭିତ୍ତିଭୂମି ନ ସଜାଡ଼ି ଜରିମାନା ଆଦାୟକୁ ଅଧିକ ଧ୍ୟାନ ଦେଉଥିବାରୁ ଜନତାଙ୍କ ପ୍ରଶ୍ନ : ସରକାର କେତେ ଜରିମାନା ଦେବେ?

ଭୁବନେଶ୍ବର : ରାଜଧାନୀର ଯେଉଁ ରାସ୍ତାରେ ଯିବ ସେଠାରେ ଆଣ୍ଠୁଏ ଉଚ୍ଚର ଖାଲ, କିଛି ବର୍ଷ ତଳେ ଯେଉଁ ରାସ୍ତା କଙ୍କ୍ରିଟ ଓ ପିଚୁ ଥିଲା ତାହା ଏବେ ମାଟି ରାସ୍ତା। ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି, ସବୁଠି ରାସ୍ତା ଉପରେ ଗାଈ, ଷଣ୍ଢ ଶୋଉଛନ୍ତି, ବୁଲା କୁକୁର ଗାଡ଼ି ଆଗକୁ ମାଡ଼ି ଆସୁଛନ୍ତି। ଅଧିକାଂଶ ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍ ଜଳୁନି, ସର୍ଭିସ୍ ରୋଡ୍‌ରୁ ଆରମ୍ଭ କରି ବିଭିନ୍ନ ଛକ ସ୍ଥାନରେ ବଡ଼ ବଡ଼ ଗାଡ଼ି ରାସ୍ତା ଉପରେ ଛିଡ଼ା ହେଉଛି।

‌‌‌‌‌‌ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟ

ରାସ୍ତାଗୁଡ଼ିକର ଏମିତି ସ୍ଥିତି ଯେ ହେଲମେଟ୍‌ ପିନ୍ଧିଲେ ବି ଦୁର୍ଘଟଣା ହେଲେ ଜୀବନ ଚାଲିଯିବ। ସରକାର ୟା’କୁ ନ ସଜାଡ଼ି କାହାର ଡ୍ରାଇଭିଂ ଲାଇସେନ୍ସ ନାହିଁ, ଆର୍‌ସି ବୁକ୍ ନାହିଁ, ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ, ତା’ଠାରୁ ଜରିମାନା ଆଦାୟ କରୁଛନ୍ତି। ଜରିମାନା ଲୋକଙ୍କୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ହେଉଛି ନା ସରକାରଙ୍କ ରାଜସ୍ବ ବଢ଼ାଇବାକୁ ବୋଲି ଲୋକ ପ୍ରଶ୍ନ ଉଠାଇଲେଣି।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ ଯେତିକି ଭୟ ପଶିଛି, ସରକାରଙ୍କ ପ୍ରତି ମଧ୍ୟ ସେତିକି ପୁଞ୍ଜିଭୂତ ଅସନ୍ତୋ‌ଷ ସୃଷ୍ଟି ହୋଇଛି। ସରକାର ଭିତ୍ତିଭୂମି ନ ସଜାଡ଼ି ଜରିମାନା ଆଦାୟକୁ ଅଧିକ ଧ୍ୟାନ ଦେଉଥିବାରୁ ଲୋକ ଏବେ ସରକାର ବି ନିଜ ଦୋଷ ପାଇଁ ଜରିମାନା ଦିଅନ୍ତୁ ବୋଲି ଦାବି କଲେଣି।

ଏପରିକି ସବୁଠି ଏଇ ଗୋଟିଏ ଚର୍ଚ୍ଚା ହେଉଥିବା ବେଳେ ସାମାଜିକ ଗଣମାଧ୍ୟମରେ ବି ବର୍ତ୍ତମାନର ସ୍ଥିତିକୁ ନେଇ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି। ନୂଆ ମୋଟର ଯାନ ଆଇନକୁ ଲୋକ ସମର୍ଥନ କରୁଛନ୍ତି କିନ୍ତୁ ସମସ୍ତଙ୍କର ଗୋଟିଏ ଦାବି ସରକାର ସବୁ ଭିତ୍ତିଭୂମି ଯୋଗାନ୍ତୁ। ଏହାପରେ ନୂଆ ଆଇନ ଅନୁଯାୟୀ ଜରିମାନା ଆଦାୟ କଲେ ଲୋକଙ୍କର କିଛି ଅଭିଯୋଗ ରହିବନି। ଯେତେଦିନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଲୁଟିବାକୁ ଜରିମାନା ଆଦାୟ ହେବ ସେତେଦିନ ପର୍ଯ୍ୟନ୍ତ ବିରୋଧ ଜାରି ରହିବ।

ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପୁଞ୍ଜିଭୂତ ଅସନ୍ତୋଷର ଭୟାବହ ରୂପ ୨ ଦିନ ତଳେ ରାଜମହଲ ଛକରେ ଦେଖିବାକୁ ମିଳିଥିଲା। ପୁଲିସ-ଜନତା ମୁହାଁମୁହିଁ ହେବା ସହ ପରସ୍ପରକୁ ଆକ୍ରମଣ କରିଥିଲେ। ରାଜମହଲ ଛକରେ ପୁଲିସ-ଜନତା ମଧ୍ୟରେ ଘଟିଥିବା ଲଙ୍କାକାଣ୍ଡ ଦେଖାଇ ଦେଇଥିଲା ନୂଆ ମୋଟର ଯାନ ଆଇନକୁ ନେଇ କେତେ ମାତ୍ରାରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଲୋକଙ୍କ ଏହି ଅସନ୍ତୋଷ ଦେଖି ମୁଖ୍ୟମନ୍ତ୍ରୀ ଆଜି ଜରିମାନା ଆଦାୟକୁ ୩ ମାସ ପାଇଁ କୋହଳ କରିଛନ୍ତି। ହେଲେ, କେବେ ଭିତ୍ତିଭୂମି ସଜାଡ଼ୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର