ତମିଆଁ-ମୁଦଲସର ସୁକତେଲ ସେତୁ ଭାଙ୍ଗିବା ଘଟଣା: ଦୋଷ ଲୁଚାଇବାକୁ ତରବରିଆ ଟେଣ୍ଡର ଡାକରା

ସ୍ପାନ ନୁହେଁ, ପୂରା ସେତୁକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ଦାବି

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ୍‌ ତମିଆଁ- ମୁଦଲସର ଗାଁ ମଝିରେ ଥିବା ସୁକତେଲ ସେତୁ ଭାଙ୍ଗିବା ଘଟଣା ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ଦୋଷ ଲୁଚାଇବାକୁ ଏବେ ତରବରିଆ ଭାବେ ଟେଣ୍ଡର ଆହ୍ବାନ କରାଯାଇଛି। ଅନ୍ୟପକ୍ଷରେ କେବଳ ସ୍ପାନ ନିର୍ମାଣ ନୁହେଁ, ପୂରା ସେତୁକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ‌ସେତୁ ନିର୍ମାଣ ସମୟରୁ ନିମ୍ନ ମାନର କାମ ହେଉଥିବା ସଂପର୍କରେ ଅଭିଯୋଗ ହୋଇଥିଲା। ଗୋଟିଏ ସ୍ପାନ ଦବିଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ‘ସମ୍ବାଦ’ରେ ବାରମ୍ବାର ପ୍ରକାଶିତ ହୋଇଥିଲା। ‌ଲୋକେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜାଣିପାରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତରବରିଆ ଭାବେ ମରାମତି କାମ କରିବାକୁ ସେତୁ ନିର୍ମାଣ କରିଥିବା ଠିକାସଂସ୍ଥାକୁ କୁହାଯାଇଥିଲା। ହେଲେ ମରାମତି ସମୟରେ ସେତୁ ଭୁଶୁଡ଼ି କାର୍ଯ୍ୟରତ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେତୁ ନିକଟରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ଗତ ବର୍ଷାରେ ତାହା ଧୋଇ ଯାଇଥିଲା। କିଛିଦିନ ପୂର୍ବରୁ ସାମାନ୍ୟ ବର୍ଷାରେ ଘାଇ ସୃଷ୍ଟି ହୋଇ ୧୨ରୁ ଅଧିକ ଗ୍ରାମ ବିଚ୍ଛିନ୍ନ ହୋଇଥିଲ‌ା। ଏବେ ପୁଣି ସମ୍ପୃକ୍ତ ଅଞ୍ଚଳବାସୀ ଆନ୍ଦେଳନ କରିବା ପାଇଁ ସଜବାଜ ହେଉଥିବା ଖବର ପାଇ ବିଭାଗ ପକ୍ଷରୁ ତରବରିଆ ଭାବେ ଭାଙ୍ଗିଥିବା ସ୍ପାନର ନିର୍ମାଣ ପାଇଁ ଟେଣ୍ଡର ଡାକିଥିବା ଜଣାପଡ଼ିଛି।

ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଠି ସଂଖ୍ୟା ୧୮୫୮/୧୩.୭.୨୧ରେ ୫୨ ଲକ୍ଷ ୯୪ ହଜାର ଟଙ୍କାର ଏକ ଟେଣ୍ଡର ଡକାଯାଇଥିବା ଜଣାପଡ଼ିଛି। ତେବେ ଏହାକୁ ସୁକତେଲ ସେତୁ ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ବିରୋଧ କରିଛନ୍ତି। ସେମାନେ ଭାଙ୍ଗିଥିବା ସ୍ପାନର ନିର୍ମାଣ ନୁହେଁ ବରଂ ସମ୍ପୂର୍ଣ୍ଣ ସେତୁକୁ ନୂତନ ଭାବେ ନିର୍ମାଣ କରିବାକୁ ପୁନର୍ବାର ଦାବି କରିଛନ୍ତି। କାରଣ ସେତୁର ୪ ନମ୍ବର ସ୍ପାନ ଭାଙ୍ଗିଥିବା ବେଳେ ୫ ନମ୍ବର ସ୍ପାନ ମଧ୍ୟ ଦବିଥିବା ଦେଖିବାକୁ ମିଳିଛି। ୫ ନମ୍ବର ସ୍ପାନ ମଧ୍ୟ ଦବିଥିବା ନେଇ ସେ ସମୟରେ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଅପରପକ୍ଷରେ ୫ ନମ୍ବର ସ୍ପାନ ଭାଙ୍ଗିଯିବା ଆଶଙ୍କା ଥିବାରୁ ୪ନମ୍ବର ସ୍ପାନର ନିର୍ମାଣ ପରେ ବି ଲୋକେ ଉକ୍ତ ସେତୁ ଉପରେ ସୁରକ୍ଷିତ ଭାବେ ଯିବା ଆସିବା କରି ପାରିବେ ନାହିଁ ବୋଲି କହିଛନ୍ତି। ନୂତନ ସେତୁ ନିର୍ମାଣ ନହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦେଳନ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଏଠାରେ ପ୍ରକାଶଥାଉ କି, ସୁକତେଲ ସେତୁ ନିର୍ମାଣ କାମର ଠିକା ବଲାଙ୍ଗୀରର ରାମକୁମାର ଅଗ୍ରୱାଲ ଇଜିନିୟରିଂ ପ୍ରାଇଭେଟ ଲିମିଟେଡକୁ ମିଳିଥିଲା। ଫେବ୍ରୁଆରି ୨୦୧୪ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସେତୁର ନିର୍ମାଣ କାମ ୨୬ ଫେବ୍ରୁଆରି ୨୦୧୬ରେ ଶେଷ ହେବାକଥା। ହେଲେ ଠିକାସଂସ୍ଥା ଧାର୍ଯ୍ୟ ଦିନ ପୂର୍ବରୁ ଅର୍ଥାତ ୮.୯.୨୦୧୫ରେ ନିର୍ମାଣ କାମ ସାରିଥିଲା। ଯଦ୍ବାରା ସମ୍ପୃକ୍ତ ଠିକା ସଂସ୍ଥା ୫୦ଲକ୍ଷରୁ ଅଧିକ ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା।

ସମ୍ବନ୍ଧିତ ଖବର