‘ଚାକିରି ଦିଅ, ନଚେତ ଜମି ଫେରାଇ ଦିଅ’ ଦାବିରେ ଟାଟା ପ୍ରକଳ୍ପ ଆଗରେ ଧାରଣା

ଛତ୍ରପୁର: ‘ଆମକୁ ସ୍ଥାୟୀ ଚାକିରି ଦିଅ, ନଚେତ ଜମି ଫେରାଇ ଦିଅ’ । ଏହି ନାରା ଦେଇ ଟାଟା ପ୍ରକଳ୍ପ ସମ୍ମୁଖରେ ବିସ୍ଥାପିତ ଶିକ୍ଷିତ ଯୁବକ ଓ ଯୁବତୀ ମାନେ ଧାରଣା ଅବ୍ୟାହତ ରଖିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, କମ୍ପାନି କର୍ତ୍ତୃପକ୍ଷ ଯୁବକଯୁବତୀମାନଙ୍କୁ ଅଣକୁଶଳୀ ଠିକା ଶ୍ରମିକରେ ପରିଣତ କରି କମ୍ ଦରମା ଦେଇ ସରକାରଙ୍କ ନିକଟରେ ବାହାବା ନେଉଛି। ଏହାକୁ ବରଦାସ୍ତ କରାଯିବ ନାହିଁଁ। ଆଗାମୀ ଦିନରେ ଶିକ୍ଷିତ ତାଲିମପ୍ରାପ୍ତ ଯୁବକଯୁବତୀ ହକ୍ ପାଇଁ ସପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହାସହ ୭ ଦଫା ଦାବି ପୂରଣ ପାଇଁ ଦାବି ହୋଇଛି।

ଅନ୍ୟପକ୍ଷ‌ରେ ଟାଟା ସ୍ବତନ୍ତ୍ର ଅର୍ଥନୈତିକ ଜୋନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ଟାଟା ଚା” ପ୍ୟାକିଂ ୟୁନିଟ୍‌ରେ ସ୍ଥାନୀୟ ଲୋକ (ଜମି ହରାଇଥିବା)ଙ୍କୁ ଅଣଦେଖା କରାଯାଇଛି। ବାହାର ଜିଲ୍ଲା ଓ ରାଜ୍ୟର ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି। ଆମେ ଜମି ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛୁ, ମାତ୍ର ଟାଟା କମ୍ପାନି ଆମକୁ ଶୋଷଣ କରୁଛି। ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଟାଟା କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ କିଛି ସୁଫଳ ନମିଳିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି। ଆନ୍ଦୋଳନକୁ ବିଭିନ୍ନ ଶ୍ରମିକ ନେତା ମାନେ ସମର୍ଥନ ଜଣାଇ ସାମିଲ ହୋଇଛନ୍ତି। ପରେ ଏକ ପ୍ରତିନିଧି ଦଳ ସନ୍ଧ୍ୟାରେ ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ତହସିଲଦାର ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର