ଜଗତ୍‌ସିଂହପୁରରେ ମାଡ଼ୁଛି ଡେଙ୍ଗୁ

୫ଦିନରେ ଜଗତ୍‌ସିଂହପୁରରୁ ୪୬, କଟକରୁ ୪୧ ରୋଗୀ ଚିହ୍ନଟ

କଟକ: ସାରା ରାଜ୍ୟରେ ମାଡି ଚାଲିଛି ଡେଙ୍ଗୁ। ହେଲେ ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ କୁଞ୍ଜକୋଠି ପଞ୍ଚାୟତର କନାଗୁଳି ଗ୍ରାମରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତକାଲି ଉକ୍ତ ଗ୍ରାମରୁ ୧୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଏସ୍‌ସିବିରେ ଆଜି ସଂଧ୍ୟା ସୁଦ୍ଧା ୧୨୯ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି। ଅନ୍ୟପଟେ ଗତ ୫ଦିନ ଭିତରେ ଏସ୍‌ସିବିରେ ୧୫୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ କଟକ ପରେ ଜଗତ୍‌ସିଂହପୁର ଜିଲ୍ଲାରେ ବଢି ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗଲା ୫ଦିନ ଭିତରେ କଟକର ୪୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଗତ୍‌ସିଂହପୁରର ୪୬ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଏସ୍‌ସିବିରେ ପରୀକ୍ଷା ହୋଇଥିବା ୧୬୫ଟି ରକ୍ତ ନମୁନାରୁ ୪୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ କଟକରୁ ୧୩, ଜଗତ୍‌ସିଂହପୁରରୁ ୬, ଯାଜପୁର, ଢେଙ୍କାନାଳ ଓ ନୟାଗଡରୁ ୪ଜଣ ଲେଖାଏଁ, କେନ୍ଦ୍ରାପଡା, ଖୋର୍ଦ୍ଧାରୁ ୩ଜଣ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମ ଓ ଭଦ୍ରକରୁ ୨ଜଣ ଲେଖାଏଁ ଓ କେନ୍ଦୁଝରରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଆଜି୧୦୭ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ଆଜି ୧୨୯ଜଣ ଡେଙ୍ଗୁ ରୋଗୀ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସେଥିରୁ ୧୧ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର