ଶକ୍ତି ବିଭାଗର ୯ଟି ଅନଲାଇନ୍‌ ସେବା ଆରମ୍ଭ

ରାଜ୍ୟବାସୀଙ୍କୁ ସଶକ୍ତ କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୫-ଟି ଉପକ୍ରମ ଅଧୀନରେ ଶକ୍ତି ବିଭାଗର ୯ଟି ଅନଲାଇନ୍‌ ସେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅନଲାଇନ୍‌ ସେବାଗୁଡ଼ିକ ଏକକ ଇ-ଜିଲ୍ଲା ପ୍ଲାଟଫର୍ମରେ ସଂଯୁକ୍ତ କରାଯାଇଛି। ଯାହାକି ହିତାଧିକାରୀଙ୍କ ପାଇଁ edistrict.odisha.gov.in ଏବଂ eicelectricityodisha.nic.in ରେ ଉପଲବ୍ଧ ହେବ। ବୈଦ୍ୟୁତିକ କାର୍ଯ୍ୟର ଅନୁ‌ମୋଦନ, ସାଧାରଣ ଯାଞ୍ଚ, ଜରୁରୀକାଳୀନ ନିରୀକ୍ଷଣ ଓ ସମସ୍ୟା, ବୈଦ୍ୟୁତିକ ଯନ୍ତ୍ରର ପରୀକ୍ଷା ଓ କାଲିବ୍ରେସନ୍, ସୁପରଭାଇଜର୍‌ ଲାଇସେନ୍ସ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଅସ୍ଥାୟୀ ପ୍ରକଳ୍ପ ଲାଇସେନ୍ସ ଓ ଚାର୍ଟାଡ୍‌ ଇଲେକ୍ଟ୍ରିକାଲ ସୁରକ୍ଷା ଇଞ୍ଜିନିୟରିଂ ପ୍ରମାଣପତ୍ର ଏବେ ଅନଲାଇନରେ ଉପଲବ୍ଧ ହେବ।

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକଙ୍କୁ ବାଧାମୁକ୍ତ ସେବା ଯୋଗାଇବାକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଆଣିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। ଡିଜିଟାଲ ଟ୍ରାନ୍‌ସଫର୍ମେସନ୍ ଜରିଆରେ ରାଜ୍ୟର ଲୋକଙ୍କୁ ସଶକ୍ତ କରିବା ଲାଗି ଉଦ୍ୟମ କରାଯାଉଛି। ନୂତନ ଅନଲାଇନ୍‌ ପ୍ଲାଟଫର୍ମ ସହ ରାଜ୍ୟରେ ଥିବା ଇଲେକ୍ଟ୍ରିକାଲ କର୍ମଚାରୀ ଯଥା ବିଦ୍ୟୁତ୍‌ କର୍ମୀ, ସୁପରଭାଇଜର୍‌ ଓ କଣ୍ଟ୍ରାକ୍ଟର୍‌ ଅନଲାଇନ୍‌ ଜରିଆରେ ନିଜର ଲାଇସେନ୍‌ସର ଅନୁମୋଦନ ଓ ନବୀକରଣ କରିପାରିବେ। ବୈଦ୍ୟୁତିକ ଲାଇ‌ସେନ୍ସିଂ, ସୁରକ୍ଷା ଯାଞ୍ଚ ଓ ପରୀକ୍ଷଣ ଭଳି ଅନଲାଇନ୍ ସେବାଗୁଡ଼ିକକୁ ସାମିଲ କରିବା ଶିଳ୍ପ ସଂସ୍ଥାମାନଙ୍କ ପାଇଁ ସହଜ ହେବ। ବାଣିଜ୍ୟିକ ପ୍ରତିଷ୍ଠାନ ଓ ଅନ୍ୟ ହିତାଧିକାରୀମାନେ ସମୟସୀମା ଭିତରେ ନିଜେ ନ ଆସି ଡିଜିଟାଲ ଜରିଆରେ ଆବଶ୍ୟକ ଅନୁମୋଦନ ପାଇବାରେ ସକ୍ଷମ ହୋଇପାରିବେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ସମୟରେ ରିଅଲ-ଟାଇମ୍‌ ପେମେଣ୍ଟ ପାଇଁ ଆବେଦନକାରୀଙ୍କ ପାଇଁ ସହଜ ହେବ। ସ୍ବଚ୍ଛତା ଓ ବିଶ୍ବସନୀୟତା ପାଇଁ ଆବେଦନକାରୀ ଡିଜିଟାଲ ଦସ୍ତଖତ ହୋଇଥିବା ଇ-ସାର୍ଟିଫିକେଟ୍‌କୁ ଡାଉନ୍‌ଲୋଡ କରିପାରିବେ। ଠିକ୍ ସମୟରେ ସେବା ପ୍ରଦାନ ହିଁ ଏହି ଅନଲାଇନ୍‌ ସେବାର ମୂଳମନ୍ତ୍ର ହେବ। ନାଗରିକମାନଙ୍କ ପାଇଁ ସୁବିଧା ଓ ଡିଜିଟାଲ ସଶକ୍ତୀକରଣ ପାଇଁ ପ୍ରମୁଖ ସେବାକୁ ସଫଳତାର ସହ ଅନଲାଇନ୍‌ରେ ରୂପାନ୍ତରିତ କରିଥିବାରୁ ଶକ୍ତି ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାଜ୍ୟକୁ ନୂତନ ଶିଖରକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ହକିକୁ ଆଗକୁ ନେବାଠାରୁ ମହାମାରୀ ସମୟରେ ଅମ୍ଲଜାନ ଯୋଗାଣ, ଭୁବନେଶ୍ବରରେ ଶତପ୍ରତିଶତ ଟିକାକରଣ ଓ ପୁରୀରେ ଟ୍ୟାପ୍‌ରେ ପାନୀୟ ଜଳଯୋଗାଣ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥି‌ଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି.କେ ଜେନା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଇଆଇସି(ବିଦ୍ୟୁତ) ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର