ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି: ରଣହୁଙ୍କାର ଦେଲେ ବିଜେପିର ବିଧାୟକ, ନେତା

ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ, ମୁଖ୍ୟାଳୟ ସ୍ଥାନାନ୍ତର ଦାବି

୧୦ରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ

ସମ୍ବଲପୁର : ଆଇନ୍‌ ଅନୁସାରେ ୨ ଜଣ ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବା କଥା। କିନ୍ତୁ ୨୦୧୬ରୁ ଏହି ପରିଷଦ ଗଠନ କରାଯାଇନାହିଁ। ଜଣେ ଅଧ୍ୟକ୍ଷ ହିଁ ଏହି ପରିଷଦ ଚଳାଉଛନ୍ତି। ଶହଶହ କୋଟି ଟଙ୍କାର କାମ ଜଣେ ବ୍ୟକ୍ତି କରୁଛନ୍ତି। ଏହି ସରକାରୀ ଅର୍ଥକୁ ବିଜେଡି ନିଜ ଦଳୀୟ ପାଣ୍ଠି ଭାବରେ ବ୍ୟବହାର କରୁଛି। ଜାଣିଶୁଣି ବିକାଶ ପରିଷଦର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାକୁ ଅଣାଯାଉନାହିଁ। ଏହି ପ୍ରସଂଗରେ ବିଜେପି ଆଉ ଚୁପ୍‌ ବସିବନାହିଁ। ଆନ୍ଦୋଳନକୁ ଓହ୍ଲାଇବ। ଆସନ୍ତା ୧୦ ତାରିଖ ଦିନ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଜୋରଦାର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକ ଓ ନେତାମାନେ ଏକାଠି ହୋଇ ଏହିଭଳି ରଣହୁଙ୍କାର ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଲେ, ବିନା ସଦସ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚାଲିଛି। ନବନିଯୁକ୍ତ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏକା ଏହାକୁ ଚଳାଉଛନ୍ତି। ଏହି ପରିଷଦର ବାର୍ଷିକ ବଜେଟ୍ ପୂର୍ବରୁ ୧୦୦ କୋଟି ଥିଲାବେଳେ ଏବେ ୨୦୦ କୋଟି ହୋଇଛି। ଜଣେ ବ୍ୟକ୍ତି ଏତେ ଟଙ୍କାର ବଜେଟ୍ କେମିତି ପାସ୍‌ କରି ପାରିବେ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ନିୟମ ଅନୁଯାୟୀ ପଶ୍ଚିମ ଓଡ଼ିଶାର ସାଂସଦ ଓ ବିଧାୟକ ମାନଙ୍କୁ ନେଇ ପୂର୍ଣ୍ଣାଙ୍ଗ ପରିଷଦ ଗଠନ କରିବା ତଥା ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାକୁ ଆଣିବାକୁ ଦାବି କରିଥିଲେ। ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଂଗ କହିଥିଲେ, ରାଜ୍ୟରେ ଥିବା ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ୧୯୯୮ ମସିହାରେ ଡବ୍ଲୁଓଡିସିର ପରିକଳ୍ପନା ଓ ୨୦୦୦ ମସିହାରେ ଗଠନ ହୋଇଥିଲା। କିନ୍ତୁ ଗତ ୨୩ ବର୍ଷ ମଧ୍ୟରେ ଏହା ଆଞ୍ଚଳିକ ବୈଷମ୍ୟ ଦୂର କରିବା ବଦଳରେ ଏକ ସ୍ଥାଣୁ ଅନୁଷ୍ଠାନରେ ପରିଣତ ହୋଇଛି। ୨୦୦୫ ମସିହାରେ ସିଏଜି ନିଜ ଅଡିଟ୍ ରିପୋର୍ଟରେ ଦେଇଥିବା ପରାମର୍ଶକୁ ଓଡ଼ିଶା ସରକାର ଗ୍ରହଣ କରିଥିଲେ ବି ୧୬ ବର୍ଷ ଧରି ଏହାଉପରେ କିଛି ନକରି ଚୁପ୍‌ ହୋଇ ବସିଛନ୍ତି। ୨୦୨୦ରେ ସିଏଜି ପୁଣିଥରେ ମନ୍ତବ୍ୟ ଦେଇ ଡବ୍ଲୁଓଡିସି ଯେଉଁ ଉଦ୍ଦେଶ୍ୟ ରଖି ଗଠିତ ହୋଇଥିଲା, ତାହା ସାଧିତ ହେବା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏହାର କାର୍ଯ୍ୟକାରିତାରେ ଅନେକ ଛିଦ୍ର ଥିବା ଉଲ୍ଲେଖ କରିଛନ୍ତି। ତେଣୁ ଏହାର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାର କୌଣସି ବି ଜିଲ୍ଲା ସଦର ମହକୁମାରେ ସ୍ଥାପନ କରିବା, ପ୍ରତି ଜିଲ୍ଲାରେ ହୋଇଥିବା କାର୍ଯ୍ୟାଳୟକୁ ସାଇନ୍‌ ବୋର୍ଡରେ ସୀମିତ ନରଖି ସକ୍ରିୟ କରିବା, ତୁରନ୍ତ ସାଂସଦ, ବିଧାୟକ ଓ ବିଶେଷଜ୍ଞ ସଦସ୍ୟଙ୍କୁ ପରିଷଦରେ ସ୍ଥାନ ଦେବା, ଅଭିଜ୍ଞ ସଦସ୍ୟ ଭାବେ କୌଣସି ରାଜନୈତିକ ବ୍ୟକ୍ତି ବଦଳରେ ଅଭିଜ୍ଞତା ସମ୍ପନ୍ନ କୌଣସି ସ୍ଥାନୀୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲେ। ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କହିଲେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ସବୁଠୁ ଅବହେଳିତ ଜିଲ୍ଲା ହେଲା ହେଲା ଦେବଗଡ଼। ପରିଷଦ କେଉଁ ଜିଲ୍ଲାର ଉନ୍ନୟନ ପାଇଁ କେତେ ପାଣ୍ଠି ଦେବ ତାର ନିର୍ଦ୍ଦିଷ୍ଟ ନିୟମାବଳୀ କରାଯାଇ ନାହିଁ। ଅଧ୍ୟକ୍ଷ ଏକା ପରିଷଦ ଚଳାଇ ନିଜ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାୟକ ଏହି ପ୍ରସଂଗକୁ ନେଇ ହେବାକୁ ଥିବା ଆନ୍ଦୋଳନ ସଂପର୍କରେ ଘୋଷଣା କରିଥିଲେ। ଉପରୋକ୍ତ ସମସ୍ତ ଦାବି ନେଇ ଆସନ୍ତା ୧୦ ତାରିଖ ଦିନ ରାଜଭବନ ସମ୍ମୁଖରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ସମସ୍ତ ବିଜେପି ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଦସ୍ୟ, ବିଜେପିର ସମସ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ବଲପୁରୀ ପୋଷାକ ପିନ୍ଧି ଆନ୍ଦୋଳନ କରିବେ ବୋଲି ସେ ସୂଚନା ଦେଇଥିଲେ। ଓଡ଼ିଶା ସରକାର ସବୁ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଥିବା ଓ ସାବତ ଛୁଆ ଭଳି ବ୍ୟବହାର କରୁଥିବା ସମ୍ବଲପୁର ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଥିଲେ। କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସିଙ୍କ ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ, ରାଜ୍ୟ ସଂପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହପାତ୍ର ଓ ରାମଚନ୍ଦ୍ର ମେହେର, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଂଜୟ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର