କେନ୍ଦ୍ରାପଡ଼ା : ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଲଟିଛି ଗାଈ ଗୁହାଳ!

କେନ୍ଦ୍ରାପଡ଼ା : ଲକ୍ଷାଧିକ ଟଙ୍କା ବ୍ୟୟରେ ତିଆରି ହୋଇଥିଲା ଡାକ୍ତରଙ୍କ ପାଇଁ କ୍ବାର୍ଟର ଓ ହସ୍ପିଟାଲର ୱାର୍ଡ। କିନ୍ତୁ ତାହା ବ୍ୟବହାର ‌ନ ହୋଇ ଏକପ୍ରକାର ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବାବେଳେ ତାହା ଏବେ ପାଲଟିଛି କିଛି ଲୋକଙ୍କ ଗାଈ ଗୁହାଳ। ଆଜି ରାଜ୍ୟ ସରକାରଙ୍କ ‘୫-ଟି’ ସଚିବ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ସରକାରୀ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ପରଖୁ ଥିବା ବେଳେ ‘ସମ୍ବାଦ’ ଟିମ୍‌ ଆଖିରେ ପଡିଥିଲା ଜିଲ୍ଲାର ଡେରାବିଶ୍ ବ୍ଲକ ସନ୍ଥପୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଏଭଳି ଦୟନୀୟ ସ୍ଥିତି। ନବେ ଦଶକରେ ସ୍ଥାପନ ହୋଇଥିଲା ସନ୍ଥପୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୬ରେ ନବ ନିର୍ମିତ ଡାଇରିଆ ୱାର୍ଡ ୱାର୍ଡ଼ ବି ଏବେ ପାଲଟିଯାଇଛି ଡାଏରି ଫାର୍ମ। ତା’ ଭିତରେ ବନ୍ଧା ହେଉଛନ୍ତି ୨ ହଳ ଗାଈ ବଳଦ। ଘର ଭିତରେ ଗଛ ଉଠିଲାଣି। ନିକଟରେ ଏକ ପରିତ୍ୟକ୍ତ କାର୍ ପଡ଼ି ରହିଛି। ଅନ୍ୟପଟେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲେଖାଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରର ଏକ ନୂତନ କୋଠାକୁ ୨୦୦୨, ଜାନୁଆରି ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। କିନ୍ତୁ ଡାକ୍ତର ଓ କର୍ମଚାରୀ ଅଭାବରେ ଏହା କି କାମରେ ଆସୁଛି ବୋଲି ପ୍ରଶ୍ନ ଉଠୁଛି।

ଦୀର୍ଘବର୍ଷ ହେଲା ଡାକ୍ତର ପଦବି ଖାଲି ପଡ଼ିଥିଲାବେଳେ ୩ ଦିନ ତଳେ ଡେରାବିଶ୍ ଡାକ୍ତରଖାନାର ଡାକ୍ତର ପ୍ରତେଚ ରଂଜନ ସାମଲ ଏଠି ଆସି କାର୍ଯ୍ୟରେ ଯୋଗଦେଇଛନ୍ତି । ପୂର୍ବରୁ ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଭରସାରେ ଚାଲି ଆସିଥିଲା ପିଏଚ୍‌ସି। ଏଭଳି ସ୍ଥିତିରେ ଅଧିକାଂଶ ଦିନ ଗୋଟିଏ ଓଳି ଡାକ୍ତରଖାନା ଖୋଲୁଛି। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ଅବସ୍ଥା ‘୫–ଟି’ ଯୋଜନାକୁ ଆହ୍ବାନ ଦେଉଛି।

ସମ୍ବନ୍ଧିତ ଖବର