ବିଶ୍ରା କଣ୍ଟେନମେଣ୍ଟ ଜୋନ୍ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ପୁଲିସ ମହାନିର୍ଦେଶକ

ରାଉରକେଲା: ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରର  ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି l ସ୍ୱତନ୍ତ୍ର ହେଲିକେପ୍ଟରରେ ଦିନ ୧୧ଟା ବେଳେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିଥିଲେ l ତାଙ୍କ ସହ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଗୁଇନ୍ଦା) ରାଧାକୃଷ୍ଣ ଶର୍ମା ଯାଇଥିଲେ l

ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ, ରାଉରକେଲା ଏସପି କେ .ଶିବ ସୁବ୍ରମଣି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ପୁଲିସ ମହାନିର୍ଦେଶକ ରିଜର୍ଭ ପୁଲିସର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ l ବାରେକରେ ରହୁଥିବା ପୁଲିସଙ୍କ ସମସ୍ୟା, କ୍ୟାଣ୍ଟିନର ପରିଷ୍କାର ପରିଚ୍ଛନ୍ନତା ସଂକ୍ରାନ୍ତରେ ଦାୟିତ୍ୱରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l

ଏହାପରେ ସେ ରଘୁନାଥପାଲି, ଉଦିତନଗର, ପ୍ଲାଣ୍ଟସାଇଟ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ  ଲକଡାଉନରେ  ସୁରକ୍ଷା ବ୍ୟବସ୍ଥା କିପରି ଗ୍ରହଣ କରାଯାଇଛି ପଚାରି ବୁଝିଥିଲେ l ସହରର  ମୁଖ୍ୟ ମାର୍କେଟ ,ପ୍ରମୁଖ ଛକରେ କର୍ତ୍ତବ୍ୟରତ ପୁଲିସ, ଅସ୍ଥାୟୀ କ୍ୟାମ୍ପରେ ଥିବା ପୁଲିସଙ୍କୁ ସେମାନଙ୍କ ସମସ୍ୟା ଗୋଟି ଗୋଟି କରି ପଚାରି ବୁଝିଥିଲେ l

ତା’ପରେ ବିଶ୍ରା  କଣ୍ଟେନମେଣ୍ଟ ଜୋନ୍ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ  l ଶେଷରେ ଏସପିଙ୍କ କାର୍ଯ୍ୟାଳୟରେ ଡିଆଇଜି କବିତା ଜାଲାନ, ଏସପି କେ. ଶିବା ସୁବ୍ରମଣୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସହରର ଆଇନ ସ୍ଥିତିର ସମୀକ୍ଷା କରି ଝାରସୁଗୁଡ଼ା ଫେରିଯାଇଥିଲେ l

 

ସମ୍ବନ୍ଧିତ ଖବର