ଧାମନଗର ଉପନିର୍ବାଚନ: ଅନୁକମ୍ପା ଭୋଟ୍‌କୁ ନେଇ ନେତାଙ୍କ ମୁଣ୍ଡବ୍ୟଥା

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ମାଳମାଳ ନେତା ଓ କର୍ମୀ ଗାଁଗଣ୍ଡାରେ ବୁଲି ପ୍ରଚାର ଚଳାଇଛନ୍ତି। ଏହି ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିଜେଡିର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପ‌ରେ ସାରାରାଜ୍ୟର ନଜର ରହିଛି। ଉପନିର୍ବାଚନର ଫଳାଫଳ କ’ଣ ହେବ, ସେ ସଂକ୍ରାନ୍ତରେ ରାଜନୈତିକ ସମୀକ୍ଷକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା ମଧ୍ୟ ଅପେକ୍ଷାରେ ରହିଛନ୍ତି। ତେବେ ଏହି ଉପନିର୍ବାଚନରେ ଅନୁକମ୍ପା ଭୋଟ୍‌କୁ ନେଇ ନେତାଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି।

୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ହାତରେ ଥିଲା। ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ କେବଳ ଧାମନଗରରୁ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ବିଜୟୀ ହୋଇ ଦଳର ସମ୍ମାନ ରକ୍ଷା କରିଥିଲେ। ଧାମନଗର ଅଞ୍ଚଳରେ ତାଙ୍କର ବି ଢେର ପତିଆରା ରହିଥିଲା। ତାଙ୍କର ଅକାଳ ବିୟୋଗ ପରେ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦଳ ପ୍ରାର୍ଥୀ କରି ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ଆଶା ରଖିଛି। ଏହାକୁ ଚେକ୍ ଦେବାକୁ ଯାଇ ବିଜେଡି ମହିଳା କାର୍ଡ ଖେଳିବା ସହ ଅବନ୍ତୀ ଦାସଙ୍କ ପରି ଜଣେ ନବାଗତଙ୍କୁ ପ୍ରାର୍ଥୀ କରିଛି। ସେପଟେ ବିଜେଡି ଟିକଟ୍‌ରୁ ବଞ୍ଚିତ ହୋଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଧାମନଗରର ମାଟି ଓ ସ୍ବାଭିମାନର କଥା କହି ଲୋକଙ୍କଠାରୁ ଅନୁକମ୍ପା ଭୋଟ୍‌ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। ରାଜେନ୍ଦ୍ରଙ୍କ ପ୍ରତି ଭୋଟରଙ୍କ ସମବେଦନା ଉଭୟ ବିଜେଡି ଓ ବିଜେପିକୁ ଚିନ୍ତାରେ ପକାଇଛି। ବିଜେଡିରୁ ବିଦା ହେବା ପରେ ‘ବହିଷ୍କାର ମୋ ପାଇଁ ଆଶୀର୍ବାଦ’ ହୋଇଛି ବୋଲି କହି ପ୍ରଚାର କରୁଛନ୍ତି ରାଜେନ୍ଦ୍ର। ତାଙ୍କର ଏଭଳି ଆବେଗପୂର୍ଣ୍ଣ କଥାରେ ଲୋକେ କାଳେ ଭୋଟ୍‌ ଅଜାଡ଼ି ଦେବେ, ସେ ଦୃଷ୍ଟିରୁ ଦୁଇ ଦଳ ନେତା ହରଡ଼ଘଣାରେ ରହିଛନ୍ତି।

ଅନ୍ୟପକ୍ଷରେ, ଉପନିର୍ବାଚନ ଜିତିବାକୁ ବିଜେଡି ପୂରା ଦମ୍‌ରେ ଲାଗିଛି। ସେହିପରି ୨୦୨୪କୁ ଲକ୍ଷ୍ୟ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ବିଜୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ‘ମାଟିର ପୁଅ’ କହି ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରୁଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ‘ବିକାଶର କଥା’ କହି ଲୋକଙ୍କ ପାଖକୁ ଯାଉଛନ୍ତି। ତାଙ୍କ ସାଥୀରେ ଧାମନଗର ନିର୍ବାଚନମଣ୍ଡଳୀର ମାଆ ଓ ଭଉଣୀମାନେ ଅଛନ୍ତି ବୋଲି କହି ଅବନ୍ତୀ ପ୍ରଚାର ବେଳେ ମହିଳା କାର୍ଡ ଖେଳି ଭୋଟ୍‌ ନିବେଦନ କରୁଛନ୍ତି। ସେହି ଦୃଷ୍ଟିରୁ ଏହି ଉପନିର୍ବାଚନ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷାର ସମୟ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର