କାଳୀପୂଜା ଓ ଦୀପାବଳିରେ ମୁତୟନ ହେବେ ୧୭ପ୍ଲାଟୁନ୍ ପୁଲିସ

୧୯ ସ୍ଥାନରେ ପୂଜା ପାଇବେ ମା’

ଭୁବନେଶ୍ବର: କାଳୀପୂଜା ଓ ଦୀପାବଳି ପାଇଁ ରାଜଧାନୀରେ ୧୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ବୈଠକ ପରେ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ରାଜଧାନୀରେ ଚଳିତ ବର୍ଷ ସମୁଦାୟ ୧୯ଟି ସ୍ଥାନରେ ମା’ କାଳୀ ପୂଜା ପାଇବେ ବୋଲି ବିଭିନ୍ନ ମଣ୍ଡପ ଓ ପୀଠ ପକ୍ଷରୁ ଅନୁମତିପତ୍ର ଦାଖଲ କରାଯାଇଛି। ତେଣୁ କାଳୀପୂଜା ହେବାକୁ ଥିବା ସ୍ଥାନଗୁଡ଼ିକରେ ସମୁଦାୟ ୫ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ସେହିଭଳି ଭିଡ଼କୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ଦୀପାବଳିକୁ ନେଇ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଭିନ୍ନ ଛକରେ ଅଘଟଣ ଘଟିଲେ ବା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ, ଏସବୁକୁ ଏଡ଼ାଇବା ପାଇଁ ସହରକୁ ୧୩ ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ଭାଗରେ ଜଣେ ଲେଖାଏଁ ଅଧିକାରୀ ରହିବେ ଏବଂ ସେମାନଙ୍କ ଅଧୀନରେ ସର୍ବମୋଟ ୫ ସେକ୍ସନ୍ ଫୋର୍ସ କାମ କରିବେ। ଏହା ବାଦ୍ ୫ଜଣ ସବ୍ଇନ୍ସପେକ୍ଟର୍‌ ଓ ୩ସେକ୍ସନ୍ ଫୋର୍ସ ମୋବାଇଲ୍‌ ପାଟ୍ରୋଲିଂ କରିବେ। କୌଣସି ଜାଗାରେ ଗଣ୍ଡଗୋଳ ସୂଚନା ଆସିଲେ, ଘଟଣାସ୍ଥଳକୁ ଏହି କର୍ମଚାରୀମାନେ ଅବିଳମ୍ବେ ପହଞ୍ଚିବେ। ବାଣ ଫୁଟାରେ ଗୁରୁତର ହୋଇଥିବା ଲୋକଙ୍କ ଚିକିତ୍ସା ସୁବିଧା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ଏଏସ୍‌ଆଇଙ୍କ ନେତୃତ୍ବରେ ୧ସେକ୍ସନ୍ ଫୋର୍ସ ସଜାଗ ରହିବେ। ଏହି କ୍ରମରେ ଦୀପାବଳି ଓ କାଳୀପୂଜାର ଭସାଣ ଶେଷ ହେବା ପର୍ଯ୍ୟନ୍ତ ୬ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୭ଜଣ ଏସିପି, ୨୫ଜଣ ଇନ୍ସପେକ୍ଟର, ୪୦ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ନେଇ ସମୁଦାୟ ୧୭ପ୍ଲାଟୁନ୍ ଫୋର୍ସ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର